Unknown

 

 

 

 

 

 

 

 

 

 

 

ସୁନା ଚଢ଼େଇ

ଭୂପେନ୍‍ ଗୋସ୍ୱାମୀ

 

 

 

 

 

 

 

 

 

 

 

 

 

ସୁନା ଚଢ଼େଇ

 

ହାତ ଘଡ଼ିରେ ନଜର ଦେଲା ବିକାଶ ।

 

ଆଠଟା ବାଜି ବାର ମିନିଟ୍ ।

 

ହାତ ବଢ଼ାଇ ଝରକାର ପର୍ଦାଟିକୁ ଆଡ଼େଇ ଦେଲା ।

 

ଚତୁର୍ଦ୍ଦିଗରେ ଆଲୋକ ବିଛେଇ ହୋଇ ପଡ଼ିଲା । ନିଓନ ଲାଇଟରେ ଗୁଡ଼ିକ ଯେପରି ସ୍ୱପ୍ନିଳ ଛାୟା । ପକାଇ ସମସ୍ତ ସ୍ଥାନଟିକୁ ମାୟାବୀ କରିପକାଇଛି ।

 

ଝଲକାଏ ଥଣ୍ଡା ପବନ ଆସି ପିଟି ହୋଇଗଲା ତାର ମୁହଁରେ । ଖୁବ୍ ଭଲ ଲାଗୁଛି ତାକୁ ।

 

ଲାଇଟ ଜଳାଇ ସିଗାରେଟ ଧରାଇବା ମାତ୍ରେ ଫୋନ୍‍ଟା ଶବ୍ଦକରି ଉଠିଲା । ଅବଶ ହାତରେ କ୍ରେଡେଲ୍ ଉପରୁ ରିସିଭର୍‍ଟିକୁ ଉଠାଇ ନେଲା ସେ ।

 

ହ୍ୟାଲୋ, ମୁଁ ବି-ସି କହୁଛି ।

 

“ହୋଟେଲ ଅଳକାରୁ” ମୁଁ କହୁଛି । ନାମ ବସୁଧା ମଲ୍ଲିକ । ଆପଣ କି ବର୍ତ୍ତମାନ ଖୁବ୍ ବ୍ୟସ୍ତ ଅଛନ୍ତି ?—ଫୋନର ଅପର ପ୍ରାନ୍ତରରୁ ସୁରେଳା ନାରୀକଣ୍ଠ ଭାସିଆସିଲା ।

 

ନା—

 

ଅଳକା’କୁ ଯଦି ଥରେ ଦୟାକରି ଆସନ୍ତି ତ’ ଖୁବ୍ ଉପକୃତ ହେବି......

 

ଅଳକା ବାର୍ । ଅଭିଜାତ ଏହି ବାରରେ ବହୁ ଦାମୀ ଓ ନାମ୍ନୀ ଲୋକଙ୍କର ଭିଡ଼ ଜମେ ସନ୍ଧ୍ୟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ । ସେହି ସମୟରେ ନୂଆ ଲୋକ ଯଦି ସେଠାରେ ଯାଇ ପହଞ୍ଚେ ଆଗେ ସେ ଚମକିତ ହେବ ଏବଂ ଲଜ୍ଜାରେ ମୁହଁ ତଳକୁ କରିବ । ଦିନେ ଦୁଇଦିନ ଯାତାୟତ ପରେ ସେଠାକାର ମାୟା ଆଉ ଜୀବନରେ ଭୁଲିପାରିବ ନାହିଁ ।

 

ଟିକିଏ ଚିନ୍ତାକରି ବିକାଶ କହିଲା—ବର୍ତ୍ତମାନ ସାଙ୍ଗେ ସାଙ୍ଗେ କଣ ଯିବାକୁ ହେବ ?

 

ପ୍ଳିଜ୍ ମି: ଚୌଧୁରୀ ! ଆସନ୍ତୁ...ଅନ୍ୟ ପ୍ରାନ୍ତରରୁ ଅନୁରୋଧ ମିଶ୍ରିତ ସ୍ୱର ଭାସି ଆସିଲା ବସୁଧା ମଲ୍ଲିକର । ...ଆମେ ଆପଣଙ୍କ ପାଖକୁ ଯାଇଥାନ୍ତୁ, କିନ୍ତୁ ଗୋପନୀୟତା ପ୍ରକାଶ ପାଇବା ଆଶଙ୍କା ଥିବାହେତୁ ଆପଣଙ୍କୁ ଆସିବାକୁ ଅନୁରୋଧ କରୁଛୁ ।

 

ମୃଦୁ ହସର ରେଖା ବିକାଶର ଅଧର ପ୍ରାନ୍ତରରେ ଖେଳିଗଲା । କହିଲା—ଆଚ୍ଛା, ଯାଉଛି ।

 

କ୍ରେଡ଼େଲ୍ ଉପରେ ରିସିଭରଟାକୁ ରଖିଦେଇ ସିଗାରେଟରେ ଲମ୍ବା ଟାଣ ଦେଲା ବିକାଶ । ପିଠିଟାକୁ ଚେୟାରର ବ୍ୟାକରେ ଆରାମ ନେବାପାଇଁ ଆଉଜାଇ ଦେଲା । ମନ୍ଦ ନୁହେଁ । ଅବସନ୍ନ ମନ୍ଥର ଦିନଗୁଡ଼ିକ ଓ ଅଭିଶପ୍ତ ରାତ୍ରି ଯେପରି ସହଜରେ ଅତିବାହିତ ହେବାକୁ ଚାହେଁନା । କେତେଦିନ ହେଲା ଇନିସ ପେକଟର ସୁଭାଷସେନଙ୍କର ଦେଖା ନାହିଁ । ପୁଲିସ ଚାକିରି । କାହାର ଅନୁସରଣ କରି କେଉଁଆଡ଼େ ବୁଲୁଛନ୍ତି କିଏ ଜାଣେ । ...ବାର ରୁ ବସୁଧା ମଲ୍ଲିକ ଫୋନ କରିଛି । ନାମଟି ଖୁବ ସୁନ୍ଦର । ସିଏ କି ବାରମେଡ଼୍‍ । କଣ ଏପରି ଜରୁରି କାର୍ଯ୍ୟ ଅଛି ଯେ, ବର୍ତ୍ତମାନ ତାକୁ ସେଠାକୁ ଯିବାକୁ ହେବ ସଫେଣ ତରଳ ନିଶାର ସମୁଦ୍ରକୁ । ହୁଏତ ଏପରି କିଛି ଘଟଣା ସେଠାରେ ଘଟିଛି ଯାହା ସେମାନେ ପୁଲିସରେ ଜଣାଇବାକୁ ଚାହାନ୍ତି ନାହିଁ । ଜଣେ ଗୁଇନ୍ଦା ହେଲେ ସେମାନଙ୍କର ସମସ୍ୟା ସମାଧାନ ହେବ ବୋଲି ଆଶା କରନ୍ତି ।

 

ଡ୍ରେସି° ଟେବୁଲ ପାଖକୁ ଆସି ଲୁକିଂ ଗ୍ଳାସରେ ନିଜକୁ ଦେଖିଲା ବିକାଶ । ଡ୍ରୟାରରୁ ଦୁଇଖଣ୍ଡ ଶହେ ଟଙ୍କିଆ ନୋଟ ବାହାର କରି ପର୍ସରେ ରଖିଲା । ଏହାପରେ ରୋମାଞ୍ଚକର ନିଶାର ତରଙ୍ଗରେ ଭାସୁ ଭାସୁ ଚିତ୍କାର ଭୃତ୍ୟ ଅନନ୍ତକୁ ଡାକିଲା—ଅନନ୍ତ ଅନନ୍ତ.....

 

ପାଖ ଘରୁ ଦୌଡ଼ି ଆସିଲା ଅନନ୍ତ । ଚିତ୍କାର ଶୁଣି ବୋଧ ହୁଏ ସେ ଭୟ ପାଇଥିଲା । କମ୍ପିତ କଣ୍ଠରେ କହିଲା—କଣ ବାବୁ...

 

ମୁଁ ବାହାରକୁ ଯାଉଛି । ସେନ୍‍ ସାହେବ ଆସିଲେ କହିବ ମୁଁ ଅଳକା ହୋଟେଲରେ ଅଛି-। କେତେବେଳେ ଫେରିବି ଠିକ୍‍ ନାହିଁ । କହୁ କହୁ ଦୁଆର ଆଡ଼କୁ ଆଗେଇ ଆସିଲା ବିକାଶ ! ପଛରୁ ପୁଣି ଡାକିଲା ଅନନ୍ତ ।

 

ଦରଜା ମୁହଁରେ ଠିଆ ହୋଇଗଲା ବିକାଶ । ବେକ ଘୂରାଇ ପଚାରିଲା—କିଛି କହିବ-?

 

ଅଲକା ହୋଟେଲଟା ଭଲ ନୁହେଁ । ବଡ଼ ବିଷମ ଜାଗା...କହିଲା ଅନନ୍ତ ।

 

କୌଣସି ବାର୍ ତ ଭଲ ନୁହେଁ...

 

ଅନନ୍ତର ଉତ୍କଣ୍ଠା ଦେଖି କହିଲା ବିକାଶ ।

 

ତୁମର ଅନେକ ଶତ୍ରୁ ସେ ବାରକୁ ଯାଆନ୍ତି ମୁଁ ଜାଣେ...

 

ଭଲ କଥା । ସେମାନଙ୍କ ସାଙ୍ଗରେ ଦେଖା ହେବ...ବିକାଶ ହସି ହସି କହିଲା ।

 

ଅନନ୍ତ ଆଉ କିଛି କହିବାକୁ ସାହସ କଲାନାହିଁ । ସେ ଜାଣେ ବିକାଶ ବିପଦକୁ ହସି ହସି ଆଲିଙ୍ଗନ କରେ । ବିପଦ ମଧ୍ୟ ଭଲପାଏ ଏ ବିକାଶକୁ ଗୁଇନ୍ଦାମାନେ ବୋଧହୁଏ ଏହିପରି ହୋଇଥାନ୍ତି । ଅନନ୍ତ କହିଲା—ଗାଡ଼ି ବାହାର କରିବି ?—

 

ନା, ଟ୍ୟାକସିରେ ଯିବି...

 

ଫୁଟ୍‍ପାଥରେ ଆସି ଠିଆହେଲା ବିକାଶ ।

 

ଗୋଟାଏ ଟ୍ୟାକସି ମଧ୍ୟ ଠିକ୍‍ ସେତିକିବେଳେ ଆସି ତା’ ପାଖରେ ବ୍ରେକ କଷି ଠିଆ ହୋଇଗଲା । ବିସ୍ମିତ ଦୃଷ୍ଟିରେ ସେ ଚାହିଁଲା ଡ୍ରାଇଭର ଆଡ଼େ ।

 

ଭିତରକୁ ଆସନ୍ତୁ, ସାର୍‍ !.....

 

ପଛ ଦୁଆରଟାକୁ ଖୋଲି ଦେଲା ଡ୍ରାଇଭର ।

 

ସ୍ଥିର ଦୃଷ୍ଟିରେ ବିକାଶ ଚାହିଁଲା ତା’ ଆଡ଼େ ।

 

ଡ୍ରାଇଭର ଏପରି ଦୃଷ୍ଟିରେ ତାକୁ ଦେଖୁଛି କାହିଁକି ?

 

କେତୋଟି ମୁହୂର୍ତ୍ତ ଯାଏ ଚିନ୍ତା କରିବାକୁ ଲାଗିଲା ବିକାଶ । ଡ୍ରାଇଭର ତାର ଅପରିଚିତ ବୋଲି ମନେ ହୁଏନା । କେବେ କେଉଁଠି ଦେଖିଛି ଯେପରି ।

 

ଅଳକାରୁ ମିସ୍ ମଲ୍ଲିକ ମୋତେ ପଠାଇଛନ୍ତି...ଡ୍ରାଇଭର କହିଲା ।

 

ପୁଣି ଚିନ୍ତା ଟିକିଏ କଲା ବିକାଶ । ଭାବିଲା ଡ୍ରାଇଭର କଥା ବୋଧହୁଏ ସତ୍ୟ । କେହି ଯଦି ତାକୁ ବିପଦରେ ପକାଇବା ଲାଗି ଚେଷ୍ଟା କହୁଥାଏ । ତାହାହେଲେ ଫୋଜରେ କଥାବାର୍ତ୍ତା କରିବା କି ସମ୍ଭବ ? ଏହାଛଡ଼ା ପେଶାଦାରୀ ପୋଖତ କ୍ରିମିନାଲ ବ୍ୟତୀତ ଏପରି ମାରାତ୍ମକ ଅଭିଯାନ ପାଇଁ ସାଧାରଣ କ୍ରିମିନ୍ୟାଲ କି ନିଜର ବିପଦକୁ ଡାକି ଆଣିବା ଉଚିତ ?

 

ପଛ ସିଟରେ ବସି ଦୁଆରଟାକୁ ବନ୍ଦ କରି ପଛକୁ ଚାହିଁ ଦେଖିଲା ଅନନ୍ତ ଦୁଆର ମୁହଁରେ ଛିଡ଼ା ହୋଇଛି ।

 

ଡାହାଣ ପାଖର ଷ୍ଟ୍ରୀଟ୍ ଲାଇଟର ଆଲୁଅ ଆସି ପଡ଼ିଛି ତାର ମୁହଁ ଉପରେ । ଅନନ୍ତର ଆଖି ଦୁଇଟା ମର୍କରୀ ଲ୍ୟାମ୍ପ ପରି ଜଳୁଛି ।

 

ମୃଦୁ ଗର୍ଜନ କରି ଟ୍ୟାକସିଟା ପିଚ୍ଛିଳି ଗଲା ।

 

ଗଭୀର ଚିନ୍ତାରେ ଆଚ୍ଛନ୍ନ ହେଲା ବିକାଶ ।

 

ଅନନ୍ତକୁ ସେ ଏତେ ଗମ୍ଭୀର ହେବାର ଦେଖିଲା କାହିଁକି ? ତାର ଆଖି ଦୁଇଟା କାହିଁକି ଏପରିଭାବେ ଜଳି ଉଠିଛି । ତେବେ କ’ଣ ସେ କୌଣସି ବିପଦର ଇଙ୍ଗିତ ପାଇଛି । ଅସମ୍ଭବ ନୁହେଁ-। ପାଞ୍ଚ ବର୍ଷ ପୂର୍ବେ ଅନନ୍ତ ଥିଲା ବିଖ୍ୟାତ ପକେଟ ମାର୍ । ବେଳେ ବେଳେ ସ୍ମଗଲର ଦଳର କାର୍ଯ୍ୟ ମଧ୍ୟ କରିଥାଏ । ବୟସ ସେତେ ନ ହେଲେ ମଧ୍ୟ ଅପରାଧୀ ମହଲରେ ବେଶ ନାମ ଅର୍ଜନ କରିଥିଲା ସେ । କିନ୍ତୁ କି ଏକ ଅଜ୍ଞାତ କାରଣ ନେଇ ହଠାତ୍ ସେ ବିକାଶ ପାଖକୁ ଆସି ଖଣ୍ଡିଏ ଚାକିରି ତା’ ପାଇଁ ଯୋଗାଡ଼ କରିଦେବା ଲାଗି ଅନୁରୋଧ କରିଥିଲା ଅନନ୍ତ ।

 

ଚାକିରି...କଥାଟା ଶୁଣି ଚମକି ପଡ଼ିଥିଲା ବିକାଶ ।

 

ହଁ ବାବୁ...ଏସବୁ କାମ ଆଉ କରିବାକୁ ଇଚ୍ଛା ହେଉନାହିଁ ।

 

ସତେନା କ’ଣ ? ଆଶ୍ଚର୍ଯ୍ୟ ହୋଇ ହସିବାକୁ ଚେଷ୍ଟା କରିଥିଲା ବିକାଶ । ସେ ରକ୍ତର ସ୍ୱାଦ ପାଇଛି ସିଏ କି କେବେ ରକ୍ତର ନିଶା ଛାଡ଼ି ଦେଇପାରେ ?

 

ବିଶ୍ଵାସ କରନ୍ତୁ ବାବୁ...ଅନନ୍ତର ଆଖି କୋଣରେ ଅଶ୍ରୁ ଢଳ ଢଳ ହେଲା । କହିଥିଲା—କାମ ନ ପାଇଲେ ମୁଁ ଆତ୍ମହତ୍ୟା କରିବି ବାବୁ ।

 

ଟିକିଏ କ’ଣ ଚିନ୍ତା କରିଥିଲା ବିକାଶ । କହିଥିଲା...ତୁମେ କି ଜାଣନା ମୁଁ କି କାମ କରେ-?

 

ଜାଣେ ବାବୁ—

 

ଖୁଣୀ, ଗୁଣ୍ଡା ଏମାନେ ମୋତେ ଆଦୌ ସହ୍ୟ କରିପାରନ୍ତି ନାହଁ । —

 

ଠିକ୍ କଥା ବାବୁ ।—ଅନନ୍ତ ଗର୍ବିତ କଣ୍ଠରେ କହିଥିଲା...ଏହି କାରଣରୁ ତ’ ଆପଣଙ୍କ ପାଖକୁ ଆସିଛି । ବୁଦ୍ଧିବାନ ବ୍ୟକ୍ତିଙ୍କ ପାଖରେ ରହିବା ବହୁ ଭାଗ୍ୟର କଥା ।

 

ବିକାଶ ତାକୁ ନିଜ ପାଖରେ ରଖିଥିଲା ।

 

ଏଥର ନିଶ୍ୱାସ ନେଇ ସମ୍ମୁଖକୁ ଚାହିଁଲା ବିକାଶ ।

 

ଟ୍ୟାକସି ଗଭର୍ଣ୍ଣର ହାଉସ୍ ରାସ୍ତା ଦେଇ ଗତି କରୁଛି ।

 

ଅନନ୍ତର ଆଖି ଦୁଇଟି ଏପରି ମାରାତ୍ମକଭାବେ ଜଳି ଉଠିଥିଲା କାହିଁକି ?

 

ତେବେ କି ଏହି ଡ୍ରାଇଭର ନୀଚ କ୍ଲାସର ସରିସୃପ ।

 

ତୀକ୍ଷ୍‍ଣ ଦୃଷ୍ଟିରେ ଚାହିଁଲା ବିକାଶ ।

 

ମୁଣ୍ଡର ବାଳ ଗୁଡ଼ିକ ଖୁବ ଛୋଟ ଛୋଟ ହୋଇଛି । ମଙ୍ଗୋଲିଆନ ଟାଇପର ମୁହଁରେ କୃଷ୍ଣବର୍ଣ୍ଣ ଶ୍ମଶ୍ରୁ । ବେକଟା ଖୁବ୍ ମୋଟା । ହାତର ପାପୁଲି ଦୁଇଟା ବେଶ ଚଉଡ଼ା । ଶକ୍ତଦେହୀ, ବଳିଷ୍ଠ ଗଠନ ।

 

ମନର ଅତଳ ଅନ୍ଧକାରରେ ଏହି ମୁଖର ଛାୟା ଯେପରି ଅନ୍ୟ କେଉଁଠି ଅଛି ।

 

ନିଜର ପ୍ରଶ୍ନର ଉତ୍ତର ପାଇବା ପୂର୍ବରୁ ଟ୍ୟାକସି ଖଣ୍ଡିକ ଫୁଟ୍‍ପାଥକୁ ଲାଗି ଠିଆ ହୋଇଗଲା ।

 

ବିକାଶ ଏକଧ୍ୟାନରେ ଚାହିଁଥାଏ ।

 

ଲାଲ ଓ ନୀଳବର୍ଣ୍ଣ ନିୟମ । ଜଳୁଛି—ଲିଭୁଛି ।

 

ଅଳକା ବାର୍...

 

କାଚର ପୁସ୍ ଡୋର ପାଖରେ ଖଣ୍ଡିଏ ବୋର୍ଡ଼ ଝୁଲୁଥାଏ । ଲେଖାଯାଏ—Bar open till twelve O'clock—

 

—ଆସନ୍ତୁ, ସାର ।

 

ଟ୍ୟାକସିର ଦୁଆର ଖୋଲି ଡ୍ରାଇଭର ଆହ୍ୱାନ ଜଣାଇଲା ବିକାଶକୁ ।

 

ବିକାଶ ଫୁଟ୍‍ପାଥରେ ଠିଆହୋଇ ମିଟର ଆଡ଼େ ଚାହିଁବାମାତ୍ରେ ଡ୍ରାଇଭର କହିଲା—ଭଡ଼ା ମିସ୍ ମଲ୍ଲିକ ଦେବେ, ସାର୍‍ !

 

ଭୂରୁ ଦୁଇଟି ଦୀର୍ଘାୟୀତ ହେଲା ବିକାଶର । ଟ୍ୟାକସିର ନମ୍ବର ପ୍ଲେଟ ଉପରେ ଦୃଷ୍ଟି ବୁଲାଇ ନେଇ ଧୀର ପଦକ୍ଷେପରେ ସେ ଆସି ଠିଆହେଲା ବାର୍‍ର ସ୍ୱର୍ଣ୍ଣ ସ୍ପଟିକ ଦୂଆର ମୁହଁରେ ।

 

ଦରଓ୍ୟାନ ସଲାମ ବଜାଇ ପୁସ ଡୋରରେ ଚାପ ଦେଲା ।

 

ଦୁଆରଟି ମେଲା ହୋଇଗଲା, ଭିତରକୁ ଆସିଲା ବିକାଶ ।

 

ମୁଣ୍ଡ ଉପରେ ଥିବା କୌଣସି ଏକ ଅଦୃଶ୍ୟ କୋଣରୁ ନୀଳ ଆଲୋକ ଆସି ତାରି ଚାରିପାଖରେ ବିଛେଇ ହୋଇଗଲା । ଗୋଡ଼ ତଳେ ଥିବା କାର୍ପେଟ, କାନ୍ଥ ଟେବୁଲ, ଚେୟାର ପ୍ରଭୃତି ନୀଳ ସମୁଦ୍ରରେ ବୁଡ଼ିଗଲା ଯେପରି ।

 

କାଚ ଗିଲାସ ସାମନାରେ ନେଇ ଯେଉଁମାନେ ବସିଥିଲେ କୋଣ ଟେବୁଲ ପାଖରେ, ଟ୍ରେ-ରୁ ଗିଲାସ ନେଇ ପାନୀୟ ଢାଳି ଦେଲେ ଶୂନ୍ୟ ଗିଲାସରେ ନୀଳପରୀ ଓୟେଟ୍ରେସମାନେ । ସେମାନଙ୍କୁ ଲକ୍ଷ୍ୟକରି ବଙ୍କିମ ହସ ହସିଲେ ।

 

ଛୋଟ ଛୋଟ ପାଦ ପକାଇ ଆଗେଇ ଚାଲିଥାଏ ବିକାଶ ।

 

ଲମ୍ବା ହଲ୍‍ର ଶେଷ ପ୍ରାନ୍ତରରୁ ଜଣେ ଓୟେଟ୍ରେସ ଛନ୍ଦୋବନ୍ଦ ଭଙ୍ଗୀରେ ଆଗେଇ ଆସୁ ଆସୁ ହଠାତ୍ ଥମକି ଛିଡ଼ା ହୋଇଗଲା ।

 

ତାର ଦୃଷ୍ଟି ନିଷ୍ପଳକ—ଢେଉ ଖେଳା ଭଙ୍ଗୀ ।

 

ବିକାଶର ମନେହେଲା—ବୋଧହୁଏ ଅଭିଶାପ ପାଇ କୌଣସି ଦେବକନ୍ୟା ନୀଳ ପ୍ରସ୍ତରର ମୂର୍ତ୍ତିରେ ପରିଣତ ହୋଇଛି ।

 

ବାଁ ପାଖରେ କାଚ ଦରଜା ଠେଲି ଷ୍ଟୁଆର୍ଟ ଆଲୀ ଦୌଡ଼ି ଦୌଡ଼ି ପାଖକୁ ଆସି ସସମ୍ମାନରେ କହିଲା—ଆପଣଙ୍କ ପାଇଁ ମିସ୍ ମଲ୍ଲିକ ଅପେକ୍ଷା କରି ବସିଛନ୍ତି, ସାର୍ !

 

ସହଜ ଦୃଷ୍ଟିରେ ଚାହିଁଲା ବିକାଶ ।

 

ମି: ଆଲିକୁ ସେ ଇତିପୂର୍ବରୁ ଦେଖିଛି ବୋଲି ତ ମନେ ହୁଏନା । ତେବେ ସୁଦ୍ଧା କହିଲା-। ଚାଲନ୍ତୁ...

 

ଷ୍ଟୁଆର୍ଡ ମି: ଆଲୀ ସହିତ ଅନ୍ୟ ପ୍ରାନ୍ତରକୁ ଆସି ଷ୍ଟେୟାର କେସରେ ଉପରକୁ ଉଠିଲା ବିକାଶ । ଡାହାଣ ପାଖର ଲମ୍ବା ପ୍ୟାସେଜ୍ ଅତିକ୍ରମ କରି ଗୋଟିଏ ରୁଦ୍ଧ ଦୁଆର ସମ୍ମୁଖରେ ଆସି ଠିଆହେଲେ ଉଭୟେ ।

 

କଲିଂ ବେଲର ବୋତାମରେ ଚାପ ଦେଲା ମି: ଆଲୀ ।

 

ମୃଦୁ ଟଂ-ଟାଂ ଶବ୍ଦ ଶୁଭିଲା କୌଣସି ଏକ ଅଦୃଶ୍ୟ ସ୍ଥାନରୁ ।

 

ଆସନ୍ତୁ, ସାର୍ ! —ଆଲୀ ବାଁ-ହାତରେ କବାଟ ଫାଙ୍କ କରି ସାଦର ଆହ୍ୱାନ ଜଣାଇଲା ଭିତରକୁ ଯିବା ପାଇଁ ।

 

ବିକାଶ ଧୀରେ ପାଦରେ ଆସିଲା ।

 

ଗୋଲାପୀ ଓ ସାଦା ମିଶ୍ରିତ ରଙ୍ଗରେ ଝଲମଲ ହେଉଥାଏ ଘରଟି । ନରମ ସ୍ନିଗଧ ଆଲୋକରେ କାନ୍ଥର ରଙ୍ଗ ଚକ ଚକ ଦିଶୁଥାଏ । ମନେହୁଏ ଅପୂର୍ବ ଭେଲଭେଟ୍ କନାରେ ଘରଟିକୁ କିଏ ଯେପରି ଆବୃତ କରାଇ ଦେଇଛି ।

 

ମି: ଚୌଧୁରୀ...

 

ସମ୍ମୁଖକୁ ଚାହିଁଲା ବିକାଶ ।

 

ଅପୂର୍ବ ।

 

ସ୍ୱପ୍ନାଲୋକରୁ ବୋଧହୁଏ ଭାସି ଆସୁଛି ଅପରୂପାର ଅପୂର୍ବ କଣ୍ଠସ୍ୱର । ରୂପସୀ ତରୁଣୀ ଆସି ସମ୍ମୁଖରେ ଛିଡ଼ାହେଲା । ସ୍ଳଭଲେସ୍ ସାଦାବ୍ଳାଉଜ । ଅତି ଶୁଭ୍ର ପତଳା ଶାଢ଼ୀଟିକୁ ପେଞ୍ଚପରି ଘୂରାଇ ସର୍ବାଙ୍ଗରେ ଜଡ଼ାଇଛି । ଘନ କୃଷ୍ଣ ସୁଦୀର୍ଘ କେଶର ଚୁର୍ଣ୍ଣ ରୂପରେ ଗୋଲାପୀ ଆଲୋକର ଝରଣା । ମୁହଁଟି ଯେପରି ସଦ୍ୟ ପ୍ରସ୍ଫୁଟିତ ଗୋଲାପ ପାଖୁଡ଼ା ପରି, ଓଠରେ ସୂର୍ଯ୍ୟର ପ୍ରଥମ ପରଶର ଅପୂର୍ବ ହସ ।

 

ମୁଁ ଆପଣଙ୍କୁ ଫୋନ୍ କରିଥିଲି...

 

ବିକାଶ କୌଣସି ଉତ୍ତର ଦେଲାନାହିଁ । କେବଳ ମୁଗ୍‍ଧ ଦୃଷ୍ଟିରେ ଚାହିଁଥାଏ ।

 

ଆପଣ ଆସିବେ ଏହା ମୁଁ ଆଶା କରି ନ ଥିଲି ! ...ଉପରକୁ ମୁହଁ ଉଠାଇ ମସୃଣ ଲମ୍ବା ଗ୍ରୀବା ଉର୍ଦ୍ଧକୁ ଟେକି ହସିଲା ବସୁଧା, ହସର ଚମକରେ ଛୋଟ ଛୋଟ ଢେଉ ଉଠିଲା ତାର ସର୍ବାଙ୍ଗରେ । ବିକାଶର ଆଖିରେ ପ୍ରାୟ ମୋହାଞ୍ଜନ ଲେପି ଦେଲା ବସୁଧା ।

 

ବସନ୍ତୁ...ବସୁଧା କହିଲା ।

 

ମୁଗ୍‍ଧ ବିକାଶ ବସିଲା ।

 

ଆପଣଙ୍କୁ ବିରକ୍ତ କଲି ବୋଧହୁଏ ?

 

ହସିଲା ବିକାଶ ।

 

ଏହି ପରିବେଶ ଆପଣଙ୍କ ପକ୍ଷରେ—

 

ନା—ନା—

 

ସାମାନ୍ୟ ଡ୍ରିଙ୍କ...

 

ଡ୍ରିଙ୍କ ? କୋଲ୍‍ଡ଼ ଅରେଞ୍ଜ ସ୍କୋୟାସ୍ । .....

 

ଘୋଡ଼ାର ଖୂରା ପରି ଗୋଲାପି ରଙ୍ଗର ଟେବୁଲ ଉପରେ ଭେଲଭେଟର ଆଚ୍ଛାଦନ । ବାଁ-ପଟରେ ଛଅ’ ଇଞ୍ଚ ସୁନେଲି ରଙ୍ଗର ଟିଆ ପକ୍ଷୀ ।

 

ଅପୂର୍ବ ।

 

ଶୁଆଟା ଆଡ଼େ ସ୍ଥିର ଦୃଷ୍ଟିରେ ଚାହିଁଥାଏ ବିକାଶ ।

 

ବସୁଧା ଖଣ୍ଡ ଏ ଚେୟାରରେ ବସି ଥିଲା । ଗୋଟିଏ ବୋତାମ ପରି ବସ୍ତୁରେ ଚାପ ଦେଲା ବସୁଧା । । ଟିଆ ପକ୍ଷୀଟି ଟିକିଏ ଶବ୍ଦ କରି ଉଡ଼ିଆସ ଟେବୁଲ ଉପରେ ବସିଲା ।

 

ଥଣ୍ଟରେ ଖୁଣ୍ଟିବାକୁ ଲାଗିଲା ଗୋଲାପି ଭେଲଭେଟ କନାକୁ । ଜୀବନ୍ତ ଟିଆ ପରି ଯେପରି ହିଂସ୍ର ହୋଇ ଉଠିଛି ସେ ।

 

ବସୁଧା ପକ୍ଷୀଟି ଉପରେ ହାତ ବୁଲାଇ ଦେଲା । କହିଲା—ଆପଣଙ୍କର ଯଥେଷ୍ଟ ସୁନାମ ଅଛି ମି: ଚୌଧୁରୀ । ତେଣୁ ଆପଣଙ୍କୁ ମୁଁ ନିର୍ବାଚିତ କରିଛି ।

 

ବିକାଶ କିଛି ବୁଝିପାରିଲା ନାହିଁ ।

 

ଅନ୍ୟ ପାଖର ଦୁଆରଟା ଖୋଲିଗଲା । ସ୍ୱପ୍ନପୁରୀରୁ ଯେପରି ଛିଟିକି ଆସିଲା ଆଉ ଏକ ନାରୀ । ଢେଉ ଢେଉକା ନୀଳ ସମୁଦ୍ରରେ ସଦ୍ୟ ଫୁଟନ୍ତ କମଳଟିଏ ।

 

ଟ୍ରେ ଟାକୁ ଟେବୁଲ ଉପରେ ରଖିଦେଲା ସେହି ଅପରୂପା ସୁନ୍ଦରୀ ।

 

ବସୁଧା ବିକାଶ ଆଡ଼କୁ ଗୋଟିଏ ଗିଲାସ ଆଗେଇ ଦେଲା । ବସି ପଡ଼, କେତକୀ ! ...କହିଲା ବସୁଧା ।

 

ମି. ଚୌଧୁରୀ । ...ଚେୟାରରେ ଆଉଜି ପଡ଼ିଲା ବସୁଧା । ପ୍ରଶ୍ନିଳ ଦୃଷ୍ଟିରେ ବିକାଶ ଚାହିଁଲା ବସୁଧା ଆଡ଼େ ।

 

ସ୍ଥିର ଦୃଷ୍ଟିରେ ଚାହିଁ ବିକାଶ କହିଲା—ଆମେ ଆପଣଙ୍କର ପରିଚୟ ଜାଣୁ । ଆମର ପରିଚୟ ଜାଣିବା ନିମନ୍ତେ ନିଶ୍ଚୟ ଆପଣ କୌତୂହଳୀ ହେଉଥିବେ ।

 

ତା ଠିକ୍...ଛୋଟ ଉତ୍ତରଟିଏ ଦେଲା ବିକାଶ ।

 

ଅଳକା ବାରର ମେନେଜର ମୁଁ । —ବସୁଧା କହିଲା—ହୁଏତ ଭାବୁଛନ୍ତି, ବାରର ମେନେଜର ଜଣେ ନାରୀ ହେବା କି ସମ୍ଭବ ! କିନ୍ତୁ ଏହା ହେଉଛି ଆମର ମାଲିକ୍ ଅଗରଓ୍ୟାଲାଙ୍କର ବିଜିନେସ୍ ଟ୍ରିକ୍‍ସ ।

 

ବିକାଶ ଆଉ ଟିକିଏ ଅରେଞ୍ଜ ସ୍କୋୟାସ ଗଳାଧଃକରଣ କଲା ।

 

ମି—ଚୌଧୁରୀ, ଯେଉଁ କାର୍ଯଭାର ଆପଣଙ୍କ ଉପରେ ଆମ୍ଭେ ନ୍ୟସ୍ତ କରୁଛୁ, ଯଦିଓ ତାହା ଖୁବ୍ ବିପଦସଙ୍କୁଳ, ତେବେ ସୁଦ୍ଧା ଆପଣଙ୍କ ପକ୍ଷରେ ତାହା କିଛି ନୁହେଁ ।

 

କେତକୀ ହାଲୁକା ନଜରରେ ଚାହିଁଲା ବିକାଶ ଆଡ଼େ ।

 

କାର୍ଯ୍ୟଟି ଠିକ୍ ଭାବେ କରିପାରିଲେ ଆମେ ଆପଣଙ୍କୁ ଦଶହଜାର ଟଙ୍କା ଦେବୁ । ବର୍ତ୍ତମାନ ପାଞ୍ଚହଜାର ନିଅନ୍ତୁ—ବସୁଧା ସେଲଫରୁ ନୋଟ୍‍ ବିଡ଼ା ବାହାର କରି ଆଗେଇ ଦେଲା ବିକାଶ ଆଡ଼କୁ ।

 

କି କାମ ମୋତେ କରିବାକୁ ହେବ ତାହା କିନ୍ତୁ ମୁଁ ଏପର୍ଯ୍ୟନ୍ତ ଜାଣିନାହିଁ ମିସ୍ ମଲ୍ଲିକା--–ବିକାଶ ଶହେ ଟଙ୍କିଆ ନୋଟ୍‍ବିଡ଼ା ଆଡ଼େ ଚାହିଁ କହିଲା ।

 

ଗୋଟିଏ ଛୋଟ ମୁଦି ଆପଣଙ୍କୁ ସଂଗ୍ରହ କରି ଦେବାକୁ ହେବ ।

 

ମୁଦି । —ବିକାଶର ଲଲାଟରେ ଭାଙ୍ଗ ପଡ଼ିଲା ।

 

ହଁ—ବସୁଧା କହିଲା—ସୁନାର ମୁଦିଟା ଅଛି ଓଟପକ୍ଷୀର ଡିମ୍ୱ ଭିତରେ ମୁଦିରେ ଅଛି ବଡ଼ ଖଣ୍ଡିଏ ହୀରା । ଏହି ହୀରାଟି କିନ୍ତୁ ସାଧାରଣ ହୀରା ନୁହେଁ । ହୀରାର ଭିତରେ ବିଶେଷ ଏକ କୌଶଳରେ ନୀଳାଭ-ରେଖାଙ୍କିତ ଗୋଟିଏ ନୀଳ ଗୋଲାପ ଅଛି ।

 

ବିସ୍ମିତ ଦୃଷ୍ଟିରେ ବିକାଶ ଚାହିଁଥାଏ ବସୁଧା ଆଡ଼େ ।

 

ଆପଣ ନିଶ୍ଚୟ ଭାବୁଛନ୍ତି ହୀରା ପରି କଠିନ ବସ୍ତୁ ଦେହରେ ନୀଳ ଗୋଲାପ ଅଙ୍କନର ସମ୍ଭବ ହେଲା କିପରି ? ଆପାତ ଦୃଷ୍ଟିରେ ତାହା ସତ୍ୟବୋଲି ସମ୍ଭବ ନୁହେଁ । ଶକ୍ତ ପଥର ଉପରେ ଏନଗ୍ରେଭିଂ ମଧ୍ୟ ଅସମ୍ଭବ । ତେବେ ସୁଦ୍ଧା ଏହା ସମ୍ଭବ ହୋଇଥିଲା ଏକ ଐତିହାସିକ ରାଜବଂଶର ଶେଷ ରାଜାଙ୍କର ଏକକ ପ୍ରଚେଷ୍ଟାରେ ଓ ଦୀର୍ଘଦିନର ସାଧନା ଫଳରେ ।

 

ଐତିହାସିକ ରାଜବଂଶ ।

 

ହଁ ଇତିହାସର ପୃଷ୍ଠାରେ ଏହି ରାଜ ପରିବାରର ନାମ ଆପଣ ପାଇବେ ନାହିଁ । ତେବେ ସୁଦ୍ଧା ମୁଁ କହୁଛି ଏହି ରାଜବଂଶର ପ୍ରଥମ ପ୍ରତିଷ୍ଠାତା ରାଜା କରମସିଂ ଥିଲେ । ଏ ବଂଶର ଏକମାତ୍ର ମାଙ୍ଗଳିକ ଚିହ୍ନ ଏହି ନୀଳ ଗୋଲାପଟି । ଇଂରେଜମାନଙ୍କ ନିକଟରେ ପରାଜୟ ସ୍ୱୀକାର କରିବା ପରେ ଏ ବଂଶର ଶେଷରାଜା କୁମାରସିଂ ବନ୍ଦୀ ଜୀବନ ଯାପନ କରିବା ପୂର୍ବରୁ ତାଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ହାତରେ ଦେଇଥିଲେ ଏହି ବିଶେଷ ଚିହ୍ନଯୁକ୍ତ ମୁଦିଟିକୁ ।

 

କାହିଁକି ? —ପଚାରିଲା ବିକାଶ ।

 

ପୃଥିବୀର ବୁକୁରୁ ଲୀନ ହେଉଥିବା ଏ ବଂଶର ବଂଶଧରମାନଙ୍କୁ ଖୋଜି ବାହାର କରିବାର ସହଜତମ ପନ୍ଥା ଏହା । ଇଂରେଜଙ୍କର ଜେଲରେ କୁମାରସିଂଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ଏହି ମୁଦିଟି ସେହି ବଂଶର ଚାରିଜଣ ରାଜପୁରୁଷଙ୍କର ହାତ ବଦଳ ହୋଇ ପଞ୍ଚମ ରାଜପୁରୁଷ ହିମାଳୟ ସିଂ-ଙ୍କର ହାତକୁ ଆସିଲା । କିନ୍ତୁ...

 

ହଠାତ୍ ନୀରବ ହୋଇଗଲା ବସୁଧା ।

 

କହନ୍ତୁ—ବିକାଶ ମନେ ପକାଇଦେଲା ।

 

ହିମାଳୟ ସିଂ ହେଉଛନ୍ତି ପୃଥିବୀରେ ସବୁଠାରୁ ଦରିଦ୍ରତମ ବ୍ୟକ୍ତି । ବହୁଦିନ ଯାଏ ମୁଦିଟିକୁ ନିଜ ପାଖରେ ରଖିବା ପରେ ଯେତେବେଳେ ଦାରିଦ୍ର୍ୟତା ଆଉ ସହ୍ୟ କରି ପାରିଲେ ନାହିଁ, ସେତେବେଳେ ମୁଦିଟିକୁ ସେ ବିକ୍ରୟ କରିଦେଲେ ।

 

କିଏ କିଣିଥିଲେ ?

 

କିଣିଥିଲେ ମି. କଦେରମ୍ ନାମକ ଜଣେ ଜୁୟେଲର୍ । କିନ୍ତୁ ତିନିବର୍ଷ ପୂର୍ବେ ହଠାତ୍ ଦିନେ ତାଙ୍କର ଆଇରନ୍ ସେଫରୁ ଏହି ଐତିହାସିକ ମୂଲ୍ୟବାନ ବସ୍ତୁଟି କେଉଁଆଡ଼େ ଅଦୃଶ୍ୟ ହୋଇଗଲା । ଏହି ଘଟଣାର ଦୁଇମାସ ପରେ ହାର୍ଟଫେଲ୍ କରି ତାଙ୍କର ମୃତ୍ୟୁ ହୋଇଥିଲା । ଏପରି କି ତାଙ୍କର ଜୁୟେଲାରୀ ଫାର୍ମ ମଧ୍ୟ ବନ୍ଦ ହୋଇଗଲା ।

 

ଅବଶ୍ୟ ପଥର ସମ୍ବନ୍ଧରେ ସମୟ ସମୟରେ ଏପରି ଅଲୌକିକ କାହାଣୀ ଶୁଣାଯାଏ–କହିଲା ବିକାଶ ।

 

ଅନେକ ଅଲୌକିକ କାହାଣୀ ମୋର ମଧ୍ୟ ଅଜଣା ନାହିଁ । ବସୁଧା କହିଲା—ଏହି ମୁଦିଟିକୁ ଆମେ କିପରି ଫେରି ପାଇବା ସେହି ଚେଷ୍ଟାରେ ଆମେ ଅଛୁ ।

 

କିନ୍ତୁ, କେବଳ କାହାଣୀ ଉପରେ ନିର୍ଭର କରି ତଦନ୍ତ କରିବାତ’ ସମ୍ଭବ ନୁହେଁ ମିସ୍ ମଲ୍ଲିକ ! —ଚିନ୍ତିତ କଣ୍ଠରେ କହିଲା ବିକାଶ ।

 

ତା’ଜାଣେ । ବିଭିନ୍ନ ସୁତ୍ରରୁ ମୁଁ ନିଜେ ମଧ୍ୟ ମୁଦିଟିର ସନ୍ଧାନ କରିଛି ଏବଂ ଜାଣିପାରିଛି ବର୍ତ୍ତମାନ ତାହା କେଉଁଠି ଅଛି ।

 

ଜାଣନ୍ତି ? —

 

ହଁ ! ବିଖ୍ୟାତ ମିଲିଓନାର ମି. ମହେଶ ପ୍ରଧାନଙ୍କ ସଂଗ୍ରହଶାଳାରେ ଏହି ବସ୍ତୁଟି ଅଛି ।

 

ମିଲିଓନାର ମି. ପ୍ରଧାନ ? —ଚମକି ପଡ଼ିଲା ବିକାଶ । ମି. ପ୍ରଧାନଙ୍କର କିଉରିଓ ହବି ଅଛି ଏହା ପ୍ରାୟ କାହାରି ଅଜଣା ନୁହଁ ।

 

ମି. ପ୍ରଧାନଙ୍କ ପାଖରୁ ମୁଦିଟିକୁ ଆଣି ଆମକୁ ଦେବାକୁ ପଡ଼ିବ ମି: ଚୌଧୁରୀ । ...କହିଲା ବସୁଧା ।

 

ମୁଦି ସହିତ ଆପଣଙ୍କର କି ପ୍ରକାର ସମ୍ୱନ୍ଧ ଅଛି, ମିସ୍ ମଲ୍ଲିକ—

 

କେତକୀ ! —ହାଲୁକା ଦୃଷ୍ଟିରେ କେତକୀ ଆଡ଼େ ଚାହିଁ ବସୁଧା କହିଲା—କେତକୀ ହେଉଛି ରାଜା ହିମାଳୟ ସିଂଙ୍କର ଏକମାତ୍ର କନ୍ୟା ।

 

ମି: ଚୌଧୁରୀ—ଛଳ ଛଳ ନେତ୍ରରେ କହିଲା କେତକୀ । କ୍ରନ୍ଦନ ଜଡ଼ିତ କଣ୍ଠରେ ସେ କହିଲା—ମୋର ବାବା ବର୍ତ୍ତମାନ ମୃତ୍ୟୁଶଯ୍ୟାରେ । ସେ କିପରି ଟିକିଏ ଶାନ୍ତି ଲାଭ କରନ୍ତି ସେଇ ଚେଷ୍ଟା କରନ୍ତୁ, ମି. ଚୌଧୁରୀ ।

 

ଚେଷ୍ଟା କରି ଦେଖିବି । —ବିକାଶ କିଛି ଚିନ୍ତା ନ କରି ହଠାତ୍ କହିଲା—ଏ ଟଙ୍କା ରଖନ୍ତୁ, ମିସ୍ ମଲ୍ଲିକ୍ । ପାରିଶ୍ରମିକ ଲୋଭରେ ମୁଁ କାର୍ଯ୍ୟ କରେନା ।

 

ବସୁଧା ଓ କେତକୀର ଚକ୍ଷୁ ଆଶାର ଆଲୋକରେ ଝଲ୍ ମଲ୍ ହୋଇ ଉଠିଲା ।

 

ଚିନ୍ତିତ ମନରେ ତଳକୁ ଓହ୍ଲାଇ ଆସିଲା ବିକାଶ ।

 

ତଳର ହଲ ଘରଟା ସିଗାରେଟ୍ ଧୂଆଁ ଓ ମଦର ଉଗ୍ର ଗନ୍ଧରେ ଭରପୂର । ମାତାଲମାନେ ବଡ଼ ଅସହାୟ ବୋଲି ମନେ ହେଉଥାନ୍ତି :

 

ଆଶ୍ଚର୍ଯ୍ୟ ହେଲା ବିକାଶ ।

 

ବୋମ୍ବାଇର ବିଶିଷ୍ଟ ପ୍ରତ୍ନତାତ୍ତ୍ୱିକ ପ୍ରଫେସର ମି: ଚନ୍ଦ୍ରଶେଖରମଙ୍କୁ ଦେଖି ।

 

କଣ କରିବ କିଛି ବୁଝି ନପାରି ଧୀରେ ଧୀରେ ତାଙ୍କର ନିକଟସ୍ଥ ହେଲା ସେ । ମୃଦୁ ହସି କହିଲା—ମୋର ଯଦି ଭୁଲ ନ ହୋଇଥାଏ ତାହାହେଲେ ଆପଣ ନିଶ୍ଚୟ ମି: ଚନ୍ଦ୍ରଶେଖରମ୍ ।

 

ଇୟେସ୍, ମି: ଚୌଧୁରୀ ! ପ୍ରଫେସରଙ୍କର ହସଟି କରୁଣ । କହିଲେ—ଟିକିଏ ଡ୍ରିଙ୍କ୍ କରୁଛି ।

 

ବିକାଶ ଭାବିଲା—ଭାରତର ବିଶିଷ୍ଟ ପ୍ରତ୍ନତାତ୍ତ୍ୱିକମାନଙ୍କର ଗତକାଲି ଇଉନିଭର୍ ସିଟି ହଲରେ କନଫରେନସ ଶେଷ ହୋଇଛି । ପ୍ରଫେସର ଚନ୍ଦ୍ରଶେଖରମ୍ ହୁଏତ ଯୋଗଦେବା ପାଇଁ ଆସିଥିଲେ ।

 

କିଛିଦିନ ଏଠାରେ ବୋଧହୁଏ ରହିବେ ? —ପଚାରିଲା ବିକାଶ ।

 

ଓ, ଇୟେସ୍ । ସପ୍ତାହେ ନିଶ୍ଚୟ ! ...ପ୍ରଫେସର କହିଲେ—ହୋଟେଲ୍ “ନୀରା”କୁ ଆସନ୍ତୁ, । ସ୍ୟୁଟ୍ ନମ୍ୱର ନାଇନ୍ । ମୁଁ ସେଇଠାରେ ଅଛି ।

 

ନିଶ୍ଚୟ ଯିବି...ଆଉ କଥା ନ ବଢ଼ାଇ ବିକାଶ ଫୁଟ୍‍ପାଥରେ ଆସି ଠିଆହେଲା । ପୁଣି ମନେପଡ଼ିଲା ବସୁଧାର କଥା ।

 

ବସୁଧା ଯେପରି ବହୁ କଥା ଗୋପନ କରିଛି ।

 

ମହେଶ ପ୍ରଧାନଙ୍କର ସଂଗ୍ରହ ଶାଳାରୁ ଏହି ରତ୍ନଟିକୁ କି ଆଣିପାରିବ ସେ ?

 

ନା, ସହଜ ନୁହେଁ । ସହଜ ହୋଇଥିଲେ ବସୁଧା କାହିଁକି ତାର ସାହାଯ୍ୟ ପ୍ରାର୍ଥନା କରନ୍ତା ।

 

ଫାଟକ ଅତିକ୍ରମ କରି ସରୁ ରାସ୍ତାଦେଇ ଅନ୍ୟମନସ୍କ ଭାବେ ଚାଲୁଥାଏ ବିକାଶ ।

 

ବାବୁ—

 

ଆହ୍ୱାନ ଶୁଣି ପଛକୁ ଫେରିଚାହିଁଲା ସେ । ତାର ଭୃତ୍ୟ ଅନନ୍ତ ଠିଆ ହୋଇଛି ।

 

ଜଣେ ବୃଦ୍ଧ ଉଦ୍ରବ୍ୟକ୍ତି, ସାଙ୍ଗରେ ଜଣେ ସ୍ତ୍ରୀ ଲୋକ ଆପଣଙ୍କ ସହିତ କଥାବାର୍ତ୍ତା ହେବେ ବୋଲି ଅପେକ୍ଷା କରିଛନ୍ତି—

 

କାହିଁକି ? —

 

ଜାଣେନା ! ମୋର କିପରି ଖଟ୍‍କା ବୋଧ ହେଉଛି...ଅନନ୍ତର କଣ୍ଠରେ ଉତ୍କଣ୍ଠା ।

 

ହସିଲା ବିକାଶ । ଡ୍ରଇଂରୁମର ପର୍ଦ୍ଦା ଆଡ଼େଇ ଦୁଆର ମୁହଁରେ ଠିଆ ହେଲା ।

 

ଦୁଆର ଆଡ଼େ ମୁହଁ କରି ବସିଥିଲେ ଜଣେ ବୃଦ୍ଧ ଓ ଜଣେ ତରୁଣୀ । ଦୁହେଁ ଏକା ସାଙ୍ଗରେ ଚମକି ପଡ଼ି ଠିଆହେଲେ ।

 

ଆପଣମାନେ ବସନ୍ତୁ—ଶାନ୍ତ କଣ୍ଠରେ କହିଲା ବିକାଶ ।

 

ଆମେ ବିଖ୍ୟାତ ଗୁଇନ୍ଦା ବିକାଶ ବାବୁଙ୍କ ସହିତ ଦେଖା କରିବାକୁ ଆସିଛୁ—

 

ମୁଁ ବିକାଶ ଚୌଧୁରୀ । ଆପଣମାନେ—

 

ମୁଁ କେତକୀ ସିଂ, ଇଏ ହେଉଛନ୍ତି ମୋର ପିତା ହିମାଳୟ ସିଂ...ଆଶ୍ଚର୍ଯ୍ୟ ମଧୁ-କ୍ଷରିତ କଣ୍ଠରେ କହିଲା କେତକୀ ।

 

ଶୁଣିବା ମାତ୍ରେ ବିକାଶର ହୃତପିଣ୍ଡ ଥରି ଉଠିଲା । ପ୍ରଚଣ୍ଡ ଚେଷ୍ଟାରେ ବିସ୍ମୟ ଦମନ କରି କହିଲା—କଣ କହିବାର ଅଛି କହନ୍ତୁ...

 

ଆମେ ଗୋଟିଏ ପ୍ରାଚୀନ ରାଜବଂଶର ବଂଶଧର । ଆମର ପାରିବାରିକ ଚିହ୍ନଯୁକ୍ତ ଗୋଟିଏ ମୁଦି ଅପହୃତ ହୋଇଛି, ମି: ଚୌଧୁରୀ । ମୁଦିଟିର ଉଦ୍ଧାରର ଆଶା ପୋଷଣ କରି ଆପଣଙ୍କ ପାଖକୁ ଆସିଛୁ ।

 

ବିକାଶର ମନେହେଲା, ନୀଳ ଗୋଲାପ ରେଖାଯୁକ୍ତ ହୀରକ ମୁଦ୍ରିକାଟିକୁ କେନ୍ଦ୍ର କରି କେଉଁଠି ଯେପରି ଜଟିଳ ଆବର୍ତ୍ତର ସୃଷ୍ଟି ହୋଇଛି । ଅଳକା ବାର୍‍ର କେତକୀ ଓ ଏହି ତରୁଣୀ କେତକୀ—ଏମାନଙ୍କ ମଧ୍ୟରେ ପ୍ରକୃତ କେତକୀ କିଏ ? ଦୁହେଁ କି ଅଭିନୟ କରୁଛନ୍ତି କେତକୀର ଭୂମିକାରେ । କହିଲା—ଆପଣଙ୍କର ଅନ୍ୟ ଭଉଣୀ ଅଛନ୍ତି, ମିସ୍ ସିଂ ?—

 

ନା, ମି: ଚୌଧୁରୀ ! ...ଏଥର ହିମାଳୟ ସିଂ ଦୃଢ଼ କଣ୍ଠରେ କହିଲେ—ଏହି କେତକୀ ମୋର ଏକମାତ୍ର କନ୍ୟା ।

 

ଆପଣଙ୍କର ମୁଦିଟି କେତେଦିନ ହେଲା ଚୋରୀ ଯାଇଛି ? —

 

ଠିକ୍ ମୋର ମନେ ନାହିଁ...

 

କାହିଁକି ?

 

ମାସେ ଆଗରୁ ଦିନେ ଆଇରନ୍ ସେଫ୍ ଖୋଲି ରତ୍ନଟିକୁ ଦେଖି ନପାରି ଖୁବ୍ ଚିନ୍ତିତ ହୋଇପଡ଼ିଲି । ତେଣୁ ବାଧ୍ୟ ହୋଇ ଆଜି ଆପଣଙ୍କ ପାଖକୁ ଆସିଛି ।

 

ସର୍ବଦା ସେହି ମୁଦିଟି କି ଆଇରନ୍ ସେଫରେ ଥାଏ ? —

 

ହଁ । ...ହିମାଳୟ ସିଂ ମିନତି ସ୍ୱରରେ କହିଲେ—ଆପଣ ଯଦି ମୁଦିଟିକୁ ଆଣି ପାରନ୍ତି ତାହାହେଲେ ମୁଁ ଆପଣଙ୍କୁ ଦଶହଜାର ଟଙ୍କା ଦେବି ।

 

କୌଣସି ସୂତ୍ର ନ ପାଇଲେ ମୋ ପକ୍ଷରେ କି ଅସୁବିଧା ହେବନାହିଁ, ମି-ସିଂ ! ଆପଣଙ୍କର ଯଦି ସାହାଯ୍ୟ ପlଏ—

 

ମି. ଚୌଧୁରୀ ! ମୁଦିଟି ହେଉଛି ରାଜବଂଶର ଏକମାତ୍ର ସାକ୍ଷୀ ଓ ଗୌରବର ସାମଗ୍ରୀ । ...ହିମାଳୟ ସିଂ କହିଲେ—ଶୁଣିଛି ଲକ୍ଷପତି ମହେଶ ପ୍ରଧାନ ଐତିହାସିକ ସ୍ମୃତିଚିହ୍ନମାନ କ୍ରେୟ କରି ତାଙ୍କର ସଂଗ୍ରହଶାଳାରେ ରଖିଛନ୍ତି । ମୋର ଧାରଣା, ହୁଏତ ରାଜବଂଶର ଏହି ମୁଦିଟି ତାଙ୍କ ପାଖରେ ଅଛି ।

 

ତାହାହେଲେ ଉପଯୁକ୍ତ ମୂଲ୍ୟ ଦେଇ ତାଙ୍କ ପାଖରୁ ମୁଦିଟିକୁ ଆଣୁ ନାହାନ୍ତି କାହିଁକି-? ବିକାଶ କହିଲା ।

 

ନା ମି: ଚୌଧୁରୀ, ତାହା ସମ୍ଭବ ନୁହେଁ । ...ମୃଦୁ କଣ୍ଠରେ କହିଲା କେତକୀ ସିଂ ।

 

କାହିଁକି ?

 

ଯେ ନିଜର ଅର୍ଥର ପରିମାଣ ଜାଣେନା, ତାକୁ କି ଅର୍ଥର ପରିମାଣର ପ୍ରଲୋଭନ ଦେଖାଇ କୌଣସି ଲାଭ ଅଛି ? —କେତକୀ ଦୀର୍ଘ ନିଃଶ୍ଵାସ ଛାଡ଼ିଲା ।

 

ବିକାଶ ସଳଖି ଚାହିଁଲା ହିମାଳୟ ସିଂଙ୍କର ଆଡ଼େ ।

 

ସାଦା ପ୍ୟାଣ୍ଟ, କଳା ରଙ୍ଗର ପ୍ରିନସକୋଟ୍, ମୁଣ୍ଡରେ କାଶ୍ମିରୀ ଟୋପି—ରାଜକୀୟ ଚେହେରା । ସୋଫାରେ ବସିବାର ଭଙ୍ଗୀଟି ମଧ୍ୟ ଆଭିଜାତ୍ୟପୂର୍ଣ୍ଣ । ବେଳେବେଳେ ତଳକୁ ଝୁଙ୍କି ଅସହିଷ୍ଣୁ ହୋଇ ହାତପାଖରେ ଥିବା ଷ୍ଟିକ୍‍ଟିକୁ ବଜ୍ର ମୁଷ୍ଟିରେ ଚାପି ଧରିଥାନ୍ତି ।

 

ମୋତେ ଟିକିଏ ଭାବିବାଲାଗି ସମୟ ଦିଅନ୍ତୁ, ମି. ସିଂ...ବିକାଶ କହିଲା ।

 

ଆଶାକରେ କାଲି ଆପଣଙ୍କର ମତାମତ ଜାଣି ପାରିବି । ...କେତକୀ ସୋଫାରୁ ଉଠି ଠିଆ ହୋଇଥିବା ଦେଖି ହିମାଳୟ ସିଂ ଷ୍ଟିକ୍ ଧରି କନ୍ୟା ପାଖରେ ଆସି ଠିଆହେଲେ ।

 

ଆପଣଙ୍କର ଠିକଣା ? —ବାଁ—ପଟ ଆଡ଼କୁ ମୁଣ୍ଡ ବଙ୍କେଇ ଶାନ୍ତ ଚାହାଣୀରେ ଚାହିଁ ପଚାରିଲା ବିକାଶ ।

 

କେତକୀ ତାର ଭ୍ୟାନିଟିରୁ ଖଣ୍ଡିଏ ଛୋଟ ସାଦା ଆଇଭରି କାର୍ଡ଼ ବାହାର କରି ଆଗେଇ ଦେଲା ବିକାଶର ହାତକୁ । ଏହା ପରେ ସେମାନେ ବିଦାୟ ନେଇ ଚାଲିଗଲେ ।

 

ସୁନେଲି ଅକ୍ଷରରେ ଲେଖା ଠିକଣା ।

 

ହଠାତ୍ ଯେପରି ସାଦା କାର୍ଡ଼ଟିର ମଧ୍ୟରେ ଭାସି ଉଠିଲା ବସୁଧା ମଲ୍ଲିକ ଓ ସେଠାକାର କେତକୀ ସିଂର ମୁହଁ ଦୁଇଟି ।

 

ଗଭୀର ଅନ୍ଧକାର ଗହ୍ୱର ମଧ୍ୟରୁ ଥୋକା ଥୋକା କୃଷ୍ଣବର୍ଣ୍ଣ ଧମନୀ କୁଣ୍ଡଳୀ ମନ-ଆକାଶରେ ମେଘର ସୁଷ୍ଟି କଲା ଯେପରି ।

 

ସେ ଦୁହିଁଙ୍କର ଉଦ୍ଦେଶ୍ୟ ଏକ ଓ ଅଭିନ୍ନ ।

 

ଦୁଆର ଏପାଖରୁ କାହାରି ଛାୟା ଆସି ପଡ଼ିଲା ଭିତରେ ।

 

ବିକାଶ ଦୁଆର ଆଡ଼େ ଚାହିଁଲା । ସହସା ସେ ଆନନ୍ଦରେ ଚିତ୍କାର କରି ଉଠିଲା—କି ସୌଭାଗ୍ୟ ମୋର । ହଠାତ୍ କିପରି ଆସି ପହଞ୍ଚିଲେ ଇନିସପେକ୍‍ଟର, ସେନ୍ ! ସୂର୍ଯ୍ୟ ନିଶ୍ଚୟ ପଶ୍ଚିମରେ ଉଇଁଛନ୍ତି ?

 

ହସି ହସି ଆଗେଇ ଆସି ଖଣ୍ଡିଏ ସୋଫାରେ ନତ୍—କରି ବସି ପଡ଼ି ଇନିସପେକ୍‍ଟର ସୁଭାଷ ସେନ୍ କହିଲେ—ଏଥର ନିଶ୍ଚିତ ମୃତ୍ୟ ମୋର...

 

କ’ଣ କହୁଛନ୍ତି ? ପୋଖତ ଗୋଇନ୍ଦା ଅଫିସର ସୁଭାଷ ସେନ୍‍ଙ୍କର କଣ୍ଠରେ ଆଜି ଏକି ଅସମ୍ଭବ କଥା ଉଦୟ ହୁଏ ? ...ପ୍ରାଣ ଖୋଲା ହସ ହସି ଉଠିଲା ବିକାଶ ।

 

ହସନ୍ତୁ, ଭଲ କରି ହସନ୍ତୁ । ଏହାପରେ ମୋର ମୃତ ଦେହ ଯେତେବେଳେ ଦେଖିବେ ଦୟାକରି ଦି-ବିନ୍ଦୁ ଲୁହ ସେହି ଶବଦେହ ଉପରେ ପକାଇବେ...ମ୍ଳାନ କଣ୍ଠରେ କହିଲେ ସୁଭାଷ ସେନ୍ ।

 

କିଛି ଯେ ବୁଝିପାରୁ ନାହିଁ । କଣ ହୋଇଛି କହନ୍ତୁ ତ’ ।—

 

ଦୀର୍ଘଶ୍ୱାସ ଛାଡ଼ିଲେ ସେନ୍ ସାହେବ । କେତୋଟି ମୁହୂର୍ତ୍ତଯାଏ ନୀରବ ଥାଇ କହିଲେ–ଦସ୍ୟୁ ଭୀମସେନ୍...

 

—ଭୀମସେନ୍ !

 

ହିଁ । ବୋମ୍ବାଇର ସମୁଦ୍ରରୁ ସିଧା ସିଧା ଉଦୟ ହୋଇଛି ଆସି ଏଠାକାର ଆକାଶରେ ।

 

ଭଲ କଥା । ଅତି ସୁ-ଖବର...ହସି ହସି କହିଲା ବିକାଶ ।

 

ସୁ-ଖବର...ଟିକିଏ ରାଗିଲେ ଯେପରି ଇନିସପେକ୍‍ଟର ସେନ୍ । କହିଲେ—ଦସ୍ୟୁ ଭୀମସେନ, କିଏ ଜାଣନ୍ତି ? ଇଣ୍ଟର ନ୍ୟାସନ୍ୟାଲ୍ ସ୍ମଗଲର୍ । ଇଉରୋପ୍ ଆମେରିକାର ବିଖ୍ୟାତ ଗୋଇନ୍ଦାମାନଙ୍କୁ ସେ ରମ୍ଭା ଦେଖାଇ ବହାଲ ତବିୟତରେ ବିତରଣ କରୁଛି ।

 

ବୁଝିଛି । ଶ୍ରୀକୃଷ୍ଣଙ୍କର ଶତନାମ ପରି ସେ ନାମଧାରୀ । ...ବିକାଶକୁ ଗମ୍ଭୀର ହେବା ଦେଖାଗଲା । କହିଲା—କଣ ଘଟିଛି କହନ୍ତୁତ’ ?

 

ସମୁଦ୍ର ପାଣିରୁ ସୁନାଥଳି ଉଠାଇଲା ବେଳେ ତାର ଜଣେ ସହକାରୀ ପୁଲିସର ଗୁଳିରେ ନିହିତ ହୋଇଛି । ମୃତ୍ୟୁ ପୂର୍ବରୁ ତାର ଜମାନବନ୍ଦୀରୁ ଜଣାଯାଏ ଏହି ବିଖ୍ୟାତ ବ୍ୟକ୍ତିଟି ବର୍ତ୍ତମାନ ଏହିଠାରେ ଅଛନ୍ତି । ତେଣୁ ତାହାରି ସନ୍ଧାନରେ ବାହାରିବାକୁ ହୋଇଛି...

 

ସୁଭାଷ ସେନ୍ ବିରକ୍ତି-ପୂର୍ଣ୍ଣ କଣ୍ଠରେ କହିଲେ ..ଏବେତ’ ବୁଝି ପାରୁଛନ୍ତି ଆପଣଙ୍କର ସାହାଯ୍ୟ ବ୍ୟତୀତ ଅନ୍ୟ ଗତ୍ୟନ୍ତର ନାହିଁ ।

 

ବିକାଶ କୌଣସି ଉତ୍ତର ଦେଲା ନାହିଁ । ଆଖି ବନ୍ଦ କରି ସୋଫାରେ ଆଉଜି ପଡ଼ିଲା । କିଛି ସମୟ ପରେ ସେ କହିଲା—ଲକ୍ଷପତି ମି: ପ୍ରଧାନ କି ଆପଣଙ୍କର ପରିଚୟ ?

 

ମୋର ଦୁଃର୍ଭାଗ୍ୟ, ଏହି ବିଖ୍ୟାତ ବ୍ୟକ୍ତିକୁ ଦେଖିଲେ ସୁଦ୍ଧା ନିକଟକୁ ଯିବାରେ ସୌଭାଗ୍ୟ ହୋଇନାହିଁ । ହଠାତ୍ ତାଙ୍କ କଥା କହିଲେ ଯେ...

 

ସାଗ୍ରହେ ପଚାରିଲେ ଇନିସପେକଟର ସୁଭାଷ ସେନ୍ ।

 

ବିକାଶର ମନେହେଲା ସ୍ମଗଲର ଭୀମସେନ୍ ସହିତ ହୀରକ ଅଙ୍ଗୁରୀର ଅଦୃଶ୍ୟ ଯୋଗାଯୋଗ ଅଛି । ଧୀରେ ଧୀରେ ସେ ସମସ୍ତ ଘଟଣାଟି ବିବୃତ କଲା ସେନ୍‍—ସାହେବଙ୍କ ଆଗରେ । ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କଲା ପରେ ସେ କହିଲା—ସ୍ପଷ୍ଟ ଜଣାଯାଏ, ମି: ମହେଶ ପ୍ରଧାନଙ୍କ ପାଖରେ ଅଛି ଏହି ଐତିହାସିକ ଅଙ୍ଗୁରୀଟି ।

 

ସୁଭାଷ ସେନ୍, ନୀରବରେ ଶୁଣୁଥିଲେ ।

 

ଆପଣଙ୍କର So-called ଏହି ଭୀମସେନ୍‍ଙ୍କ ସମ୍ବନ୍ଧରେ ଆଜି ପର୍ଯ୍ୟନ୍ତ ଯେଉଁ ତଥ୍ୟ ଗୁଡ଼ିକ ସଂଗ୍ରହ ହୋଇଛି ସେ ସମସ୍ତ ଜାଣିବା ମୋର ପ୍ରୟୋଜନ, ମି: ସେନ୍ ।

 

ପୁଣି ମଧ୍ୟ ବିକାଶ କହିଲା—ଏହାଛଡ଼ା ଆଉ ତିନୋଟି ସମ୍ବାଦ ମୋତେ ଦେବାକୁ ହେବ-। ପ୍ରଥମେ—ଅଳକା ବାର୍‍ର ବସୁଧା ମଲ୍ଲିକ ସମ୍ବନ୍ଧରେ ଜାଣିଥିବେ, ଦ୍ୱିତୀୟ—ଟ୍ୟାକସି ନମ୍ବର ଓ୍ୟାନ୍ ଜିରୋ ଓ୍ୟାନ୍‍ର ଡ୍ରାଇଭରର ଅତୀତ ଓ ବର୍ତ୍ତମାନର ପରିଚୟ, ଆଉ ତୃତୀୟ—ଏହି କାର୍ଡ଼ ଖଣ୍ଡିକ...

 

ଆଇଭରି କାର୍ଡ଼ ଖଣ୍ଡିକ ଉପରେ ନଜର ଦେଲେ ସୁଭାଷ ସେନ୍ ।

 

କାର୍ଡ଼ ଖଣ୍ଡିକ ନେଇ ଯାଆନ୍ତୁ । ଡଷ୍ଟିଂ କରି ଫିଙ୍ଗର ପ୍ରିଣ୍ଟ୍ ପାଇବେ । ଆପଣଙ୍କର ସଂଗ୍ରହ—ଶାଳାରେ ଥିବା କୌଣସି ଛାପ ସହିତ ତାହା ମିଳୁଛି କି ନା ମୋତେ ଜଣାଇବେ ।

 

କାର୍ଡ଼ଟିକୁ ଖଣ୍ଡିଏ କାଗଜରେ ଗୁଡ଼ାଇ ପକେଟରେ ରଖି ସୁଭାଷ ସେନ୍ କହିଲେ—ରାତି ଅନେକ ହୋଇଛି—ମୁଁ ଯାଏଁ...

 

ସୁଭାଷ ସେନ୍ ଯିବା ପରେ ବିକାଶ ଷ୍ଟଡ଼ିକୁ ଆସିଲା । ଅନନ୍ତକୁ ଡାକି ବୁକ୍ ସେଲ୍‍ଫରୁ ଖଣ୍ଡିଏ ବହି ଆଣି ଚେୟାରରେ ବସି ପଡ଼ିଲା ।

 

ବହି ନେଇ ବସିଲେ ବାବୁ, ମୁଁ ତେଣେ ଖାଇବାର ଯୋଗାଡ଼ କରିଛି, ଥଣ୍ଡା ହୋଇଯିବ......ଅନନ୍ତ ଆସି କହିଲା ।

 

ଅନନ୍ତ...କଭର ପେଜ୍ ଓଲଟାଉ ଓଲଟାଉ ଶାନ୍ତ କଣ୍ଠରେ କହିଲା ବିକାଶ—ଟ୍ୟାକସି ଡ୍ରାଇଭରକୁ ତୁମେ ଚିହ୍ନ, ନା ?

 

ହଁ, ବାବୁ ! ଲୋକଟା ଗୋଟାଏ ଶୟତାନ !

 

କେମିତି ଜାଣିଲ ? —

 

ଆଗେ ଚୋରାରେ ମନ୍ଦିର କାରବାର କରୁଥିଲା । ବର୍ତ୍ତମାନ କରେ କି ନା ତାହା ଜାଣେନା କହିଲେ ହୁଏତ’ ଚେଷ୍ଟା କରି ଦେଖିପାରେ ।—

 

ନା, ଦରକାର ନାହିଁ...ଯେଉଁ ସ୍ତ୍ରୀ ଲୋକଟି ଓ ସେହି ଭଦ୍ର ଲୋକ, ଟିକିଏ ଆଗରୁ ଆସିଥିଲେ ସେମାନଙ୍କୁ ଚିହ୍ନିଛ କି ?

 

ଲୋକଟା ଚିହ୍ନା-ଚିହ୍ନା ମନେ ହେଉଥିଲା—ଅନନ୍ତ ଟିକିଏ ଚିନ୍ତା କରି ପୁଣି କହିଲା—ସେ ଲୋକଟି କୋକେନ୍ ଓ ଅଫିମର ବ୍ୟବସାୟ କରେ ବୋଲି ମନେ ପଡ଼ୁଛି ।

 

ଆଚ୍ଛା, ଠିକ୍ ଅଛି । ତୁମେ ଯାଅ, ବଢ଼ାବଢ଼ି କର...

 

ଅନନ୍ତ ଚାଲିଗଲା ପରେ ବିକାଶ ଗଭୀର ଚିନ୍ତାରେ ଆଚ୍ଛନ୍ନ ହୋଇ ପଡ଼ିଲା ।

 

ଫୋନ୍ ଶବ୍ଦରେ ହଠାତ୍ ନିଦଟା ଭାଙ୍ଗିଗଲା ବିକାଶର । ରିସିଭର ଉଠାଇ ନେଇ ସେ କହିଲା—କିଏ ? ...ହଁ, ମୁଁ କହୁଛି...ଖୁନ୍...ମୋତେ ଯିବାକୁ ହେବ ? ଆଚ୍ଛା, ଯାଉଛି ।

 

ବିରକ୍ତ ହୋଇ ରିସିଭର୍‍ଟାକୁ କ୍ରେଡ଼େଲ ଉପରେ ରଖି ଦେଇ ସେ ଘଡ଼ି ଆଡ଼େ ନଜର ଦେଲା ।

 

ରାତି ଚାରିଟା ପଇଁତ୍ରିଶ ।

 

ଆଲୁଅ ଜଳାଇ ବାଥରୁମ୍‍ରୁ ମୁହଁ ହାତ ଧୋଇ ଆସି ଯିବା ପାଇଁ ପ୍ରସ୍ତୁତ ହେଲା ସେ । ଟାଇରେ ନଟ୍ ଦେଉ ଦେଉ ଅନନ୍ତକୁ “ରାଜଦୂତ” ବାହାର କରିବାକୁ କହିଲା । ଡ୍ରୟାରରୁ ନାଇଟ୍ରୋ ଏକସ୍‍ପ୍ରେସ ରିଭଲଭରଟିକୁ ବାହାର କରି ଚେମ୍ବର ଖୋଲି ଦେଖିଲା ପକେଟରେ ଆଗ୍ନେୟାସ୍ତ୍ରଟିକୁ ରଖି ସେ ବାହାରେ ଆସି ଠିଆ ହେଲା ।

 

ଅନନ୍ତ “ରାଜଦୂତ” ପାଖରେ ଠିଆ ହୋଇଥିଲା । ତାକୁ ସତର୍କ ରହିବା ଲାଗି ନିର୍ଦ୍ଦଶ ଦେଇ ସେଲ୍‍ଫରେ ଚାପ ଦେଲା ବିକାଶ ।

 

ରାତ୍ରି ଶେଷର ମୃଦୃ ଥଣ୍ଡା ପବନ ମୁହଁ ଓ ମୁଣ୍ଡରେ ବାଜି ଶାନ୍ତିର ପ୍ରଲେପ ବୋଳି ଦେଉଥାଏ ।

 

କୃଷ୍ଣା ନଦୀର ବନ୍ଧ ପାଖରେ ଜଣେ ବ୍ୟକ୍ତି ମରି ପଡ଼ିଛି । ନୂଆବଜାର ଓ କେଶରପୁରର କ୍ରସିଂ ପାଖରେ ପହଞ୍ଚିବା ମାତ୍ରେ ଜଣେ କନେଷ୍ଟବଲ୍ ହାତ ଦେଖାଇ ବାଧା ଦେଲା ବିକାଶକୁ ।

 

ଘାଟ ପାଖକୁ ଯାଆନ୍ତୁ, ସାର୍ ! ଇନିସପେକ୍‍ଟର ସେନ୍ ସାହେବ ସେଠାରେ ଅଛନ୍ତି...ରାସ୍ତା ଦେଖାଇ ଦେଲା ପୁଲିସମ୍ୟାନ୍ ।

 

ଫୁଟପାଥ୍ କଡ଼ରେ ବାଇକ୍ ଲକ୍ କରି ପାହାଚ ବାଟେ ଓହ୍ଲାଇଲା ବିକାଶ ।

 

ବାଁ-ପଟେ ଛୋଟ ଡାଇନାମୋ ଚାଲୁଛି । ଫ୍ଳଡ୍ ଲାଇଟ୍ ହାତରେ ଧରି ଅଫିସରମାନେ ଆଣ୍ଠୁଏ ପାଣିରେ ପଶି ଅନୁସନ୍ଧାନ ଚଳାଇଛନ୍ତି ।

 

ସେନ୍ ସାହେବ ବିକାଶକୁ ଦେଖି ଆଗେଇ ଆସିଲେ ।

 

ବଡ଼ି କେଉଁଠି ?

 

ଏଇ ଆଡ଼େ…

 

ବଢ଼ି ପାଣିର ବାଲି କାଦୁଅ ଚତୁର୍ଦ୍ଦିଗରେ । ଦୁହେଁ ଗୋଟିଏ ଅପରିଷ୍କାର ସ୍ଥାନରେ ଆସି ଠିଆ ହେଲେ ।

 

ପାଣି ପାଖକୁ ଲାଗି କାଦୁଅ ଓ ପାଣିରେ ବୁଡ଼ିଥିବା ଜଣେ ବ୍ୟକ୍ତି ଚିତ୍ ହୋଇ ପଡ଼ିଥିଲା-। ସର୍ବାଙ୍ଗ ଶ୍ୱେତବର୍ଣ୍ଣ—ବୋଧହୁଏ ଅନେକ ସମୟ ଯାଏ ପାଣିରେ ପଡ଼ିଥିଲା ।

 

ବୁଲେଟ୍ ମୁଣ୍ଡର ପଛପଟ ଦେଇ ବାହାରି ଯାଇଛି...ଇନସପେକ୍‍ଟର କହିଲେ ।

 

ବଡ଼ି କଣ ଏଇଠାରେ ପଡ଼ିଥିଲା ?

 

ହଁ...

 

ଏଠାକାର ସନ୍ଧାନ ପାଇଲେ କିପରି ?

 

ଫୋନରେ...

 

ଫୋନ୍ ? ...ବିସ୍ମିତ କଣ୍ଠସ୍ଵର ବିକାଶର ।

 

କିଏ ଜଣେ ଅଜ୍ଞାତନାମା ବ୍ୟକ୍ତି ଫୋନରେ ଆମକୁ ଜଣାଇଥିଲା ।

 

ଅଚିହ୍ନା ବ୍ୟକ୍ତି...

 

ହଁ, ସେ ପୁଲିସି ଝମେଲା ଭିତରେ ପଶିବାକୁ ଚାହାନ୍ତି ନାହିଁ ବୋଲି ନିଜର ପରିଚୟ ଗୋପନ ରଖିଥିଲେ ।

 

ଜଣେ ଅଫିସରଙ୍କର ହାତରୁ ଆଲୁଅ ନେଇ ମୃତ ଦେହ ଉପରେ ଝୁଙ୍କି ପଡ଼ିଲା ବିକାଶ-। ଦେଖିବା ମାତ୍ରେ ବୋଧହୁଏ ଚମକି ପଡ଼ିଥିଲା । ହିମାଳୟ ସିଂ । ବିକାଶ କହିଲା—ମୃତ ବ୍ୟକ୍ତିର ପରିଚୟ ପାଇଛନ୍ତି ?

 

ନା—

 

ନିଶ୍ୱାସରେ ଥଣ୍ଡାପବନ ଟାଣିନେଲା ବିକାଶ । ସ୍ଥିର ଦୃଷ୍ଟିରେ ଲକ୍ଷ୍ୟ କଲା—ମନ ଭିତରେ ଝଡ଼ ଉଠିଲା ।

 

ଏହିପରି ଭାବେ ମୃତ୍ୟୁ ମୁଖରେ ପଡ଼ିବ ତାହା କି ହିମାଳୟ ସିଂ ଜାଣିଥିଲା । ତାର ମୃତ୍ୟୁ କି ଏଇଠାରେ ହୋଇଛି ?

 

ଧୀରେ ଧୀରେ ପ୍ରଭାତର ଆଲୋକ ସ୍ପଷ୍ଟ ହେଉଥାଏ । କୃଷ୍ଣା ବୁକୁରେ ଦିନର ପରଶ-ସ୍ପର୍ଶ ସରମ-ରଙ୍ଗ ବିଛେଇ ହୋଇ ପଡ଼ୁଥାଏ ।

 

ସାର୍...

 

ସୁଭାଷ ସେନ୍ ଓ ବିକାଶ ଉଭୟେ ଫେରି ଚାହିଁଲେ ।

 

କୌଣସି ସୂତ୍ର ମିଳିଲା ନାହିଁ—ଜଣେ ଅଫିସର କହିଲେ ।

 

ପୁଣି ଥରେ ମୃତ ଦେହ ଆଡ଼େ ଚାହିଁ ବିକାଶ କହିଲା—ପୋଷ୍ଟମର୍ଟମ ରିପୋର୍ଟ ମୋର ଆଗେ ଦରକାର । ତୁମ୍ଭମାନଙ୍କର ରେକର୍ଡ଼ରେ ଏହି ଲୋକଟିର ପରିଚୟ ମିଳିବା ମଧ୍ୟ ଅସମ୍ଭବ ନ ହୋଇପାରେ ।

 

ସୁଭାଷ ସେନ୍ ନୀରବରେ ଶୁଣୁଥିଲେ ।

 

ମୋର ଆଉ ଏଠାରେ ରହିବାର ପ୍ରୟୋଜନ ନାହିଁ । ଆସୁଛି...ସେଇ୍‍ଫରେ ଷ୍ଟାଟ୍ ଦେଇ ଷ୍ଟାଣ୍ଡ୍‍ରୁ ଓହ୍ଲାଇ ଦେଲା “ରାଜଦୂତକୁ” ବିକାଶ । ବସିବା ପରେ ଧୀରେ ଧୀରେ ସ୍ପିଡ୍ ବଢ଼ିବାକୁ ଲାଗିଲା ।

 

ବାଟରେ ଆସୁ ଆସୁ ତାର କେବଳ ମନେ ହେଉଥାଏ ଐତିହାସିକ ହୀରକ ମୁଦ୍ରିକା ସହ ସ୍ମଗଲର୍ ଭୀମସେନର କି କୌଣସି ଯୋଗସୂତ୍ର ଥାଇ ପାରେନା ।

 

ଷ୍ଟଡ଼ିରେ ବସି ଏକାଗ୍ରଚିତ୍ତରେ ଖଣ୍ଡିଏ ବହି ନେଇ ପଡ଼ୁଥିଲା ବିକାଶ । ଡାଇମଣ୍ଡ କେତେ ପ୍ରକାର, କେଉଁଠି ସେଗୁଡ଼ିକର । ଉତ୍ପତ୍ତି, କିପରିଭାବେ କାଟିଲେ ବିଶେଷ ଗଠନକୁ ଆସିପାରେ, ଖୁବ୍ ଭଲ ଏବଂ ମୂଲ୍ୟବାନ ଡାଇମଣ୍ଡର ବୈଶିଷ୍ଟ୍ୟ କଣ ଏ ସମସ୍ତ ଦେଖିବାକୁ ଲାଗିଲା ।

 

ବାବୁ—

 

ବିକାଶ ଚାହିଁଲା ଅନନ୍ତ ଆଡ଼େ ।

 

କେତକୀ ଦେବୀ ଆସିଛନ୍ତି...

 

ହାତ ଘଡ଼ି ଆଡ଼େ ଚାହିଁଲା ବିକାଶ । ସାଢ଼େ ଆଠଟା । ମନେ ମନେ ହସିଲା ସେ । କାହିଁକି ତରୁଣୀଟି ମୃତ୍ୟୁ ଆଡ଼କୁ ଏପରି ଭାବେ ଆଗେଇ ଆସୁଛି ।

 

ଡ୍ରଇଂରୁମ୍‍କୁ ଆସିଲା ବିକାଶ ।

 

ଆଜିର କେତକୀ ସିଂ ଯେପରି ଉଦ୍‍ଭିନ୍ନ-ଯୌବନା । ନିଟୋଳ ସତେଜ ଦେହଟି ତାର ଅତି ସୁଶ୍ରୀ ଦେଖାଯାଉଛି । ଶାଢ଼ୀ ନୁହେଁ, ଗୋଲାପି ସ୍ଳିଭଲେସ୍ ବ୍ଲାଉଜ୍ ଓ ସ୍କାଟ୍ । ଅତି ସୁନ୍ଦର ଲମ୍ବା ପାଦ ଦୁଇଟିରେ ମୁନିଆ ସ.ଦା ସୁ । ଫୁଲି ଉଠିଥିବା ଘନକୃଷ୍ଣ କେଶ, ଫ୍ୟାନ୍‍ର ପବନରେ ମୃଦୁଭାବେ ଥରୁଥାଏ । ସ୍ନିଗ୍‍ଧ ସୁନ୍ଦର ଆଖିଦ୍ୱୟରେ ଲୁଚାଛପାର ଆଭାସ ନାହିଁ ।

 

ଆପଣଙ୍କର ମତାମତ ଜାଣିବା ପାଇଁ ଆସିଲି, ମି-ଚୌଧୁରୀ...କେତକୀର ପରିଷ୍କାର କଣ୍ଠସ୍ୱର ।

 

ଆପଣଙ୍କର କେସ୍ ମୁଁ ହାତକୁ ନେଲି । ...ବିକାଶ ଗମ୍ଭୀର କଣ୍ଠରେ କହିଲା ।

 

ଧନ୍ୟବାଦ ! many thanks ମି-ଚୌଧୁରୀ ! ...କେତକୀର ସ୍ୱରରେ କୃତଜ୍ଞତା ଫୁଟି ଉଠିଲା ।

 

ଆପଣଙ୍କର ଫାଦାର କେଉଁଠି ? ...ହଠାତ୍ ପ୍ରଶ୍ନ କଲା ବିକାଶ ।

 

ଆଜି ସକାଳେ ସେ ଦିଲ୍ଲୀ ଚାଲି ଯାଇଛନ୍ତି—ଫେରୁ ଫେରୁ କିଛିଦିନ ଡେରି ହେବ ।

 

ଆପଣଙ୍କର ଫାଦାର୍ ଆର୍ଥାତ୍ ମି-ସିଂଙ୍କର ଆଉ ଭାଇ ଅଛନ୍ତି କି ?

 

ନା । ହଠାତ୍ ଏପରି ପ୍ରଶ୍ନ କାହିଁକି କଲେ Mr chaudhury ! —ଗଭୀର ଭ୍ରମର-କୃଷ୍ଣ ଆଖି ଦୁଇଟି ମେଲା କରି ବିକାଶ ଆଡ଼େ ଚାହିଁଲା କେତକୀ ।—

 

ସାଧାରଣ କୌତୁହଳୀ ହୋଇ ପଚାରିଲି, ମିସ୍ ସିଂ...କହି ହସିଲା ବିକାଶ ।

 

ଫୋନ୍‍ଟା ହଠାତ୍ ଶବ୍ଦାୟିତ ହୋଇ ଉଠିଲା ।

 

ରିସିଭର୍‍ ଉଠାଇ ନେଲା ବିକାଶ । ହ୍ୟାଲୋ...ହଁ, ମୁଁ ବିକାଶ ଚୌଧୁରୀ କହୁଛି । କିଏ ? ...ମି-ପ୍ରଧାନ ? ...ନମସ୍କାର...ଓ, ଆଚ୍ଛା । ହଁ, ହଁ—ସାଙ୍ଗେ ସାଙ୍ଗେ ଯାଉଛି । ଆଚ୍ଛା, ଦୟାକରି ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ, Mr Pradhan ! ମୋ ସାଙ୍ଗରେ ଜଣେ ଭଦ୍ର ମହିଳା ଯିବେ । ଆପଣଙ୍କର ସଂଗ୍ରହଶାଳା ସେ ଦେଖିବାକୁ ଚାହାନ୍ତି ? ଆପଣ ଅନୁମତି ଦେବେ କି ? ...ଧନ୍ୟବାଦ !

 

ରିସିଭର୍‍ ରଖିଦେବାପରେ ବିକାଶକୁ ବେଶ୍ ଗମ୍ଭୀର ଦେଖାଗଲା । ମହେଶ ପ୍ରଧାନ କାହିଁକି ତାକୁ ଡକାଇଛନ୍ତି ? କଣ ଏପରି ପ୍ରୟୋଜନ ଅଛି ତା ପାଖରେ ? ଅତଳ ଅନ୍ଧକାରରେ ବୁଡ଼ି ପୁଣି ଯେପରି ଉପରକୁ ଭାସି ଉଠିଛି ସେ । କହିଲା ମିସ୍-ସିଂ...

 

Yes, ମି-ଚୌଧୁରୀ !

 

ମି-ପ୍ରଧାନଙ୍କର ପ୍ୟାଲେସ୍‍କୁ ମୁଁ ଯାଉଛି । ଆପଣ ଯିବେ ?

 

ମୁଁ ? କେତକୀର ଆଖି ଦୁଇଟି ଥରି ଉଠିଲା ଯେପରି ।

 

ହଁ, ଆପଣଙ୍କର ପରିଚୟ ଦେବି କେନି ସ୍ମିଥ୍ ବୋଲି । ମୋର ବାନ୍ଧବୀ । ...ବିକାଶ କ୍ରମଶଃ ଗମ୍ଭୀର ହୋଇ ଉଠୁଥାଏ । କହିଲା—ମି-ପ୍ରଧାନଙ୍କ ପାଖରେ ମୁଦିଟି ଅଛି କି ନା—ଯଦି ଥାଏ ତାହା ଅସଲି କି ନକଲି, ଆପଣ ସାଙ୍ଗରେ ଥିଲେ ତାହା ଜାଣିବାର ସହଜ ହେବ ।

 

କେତକୀ କ’ଣ କହିବାକୁ ଯାଉଥିଲା କିନ୍ତୁ କହି ପାରିଲା ନାହିଁ । କେତକୀକୁ ନେଇ ବିକାଶ ଫୁଟ୍‍ପାଥ୍‍କୁ ଆସିଲା । କେତକୀ ଗଭୀର ଯନ୍ତ୍ରଣାମୟ ଦୁଶ୍ଚିନ୍ତାରେ ଡୁବି ଯାଇଥାଏ ।

 

ଟ୍ୟାକସି ଅଟକାଇ କେତକୀକୁ ନେଇ ଭିତରେ ବସିଲା ବିକାଶ । ନିର୍ଦ୍ଧିଷ୍ଟ ସ୍ଥାନ ଆଡ଼େ ଟ୍ୟାକସି ଛୁଟିଲା ।

 

ମନେ ମନେ ହିସାବ କରୁଥାଏ ବିକାଶ । ଭୁଲ୍ ସେ କରୁନାହିଁ ତ ? ହୀରକ ଅଙ୍ଗୁରୀର କଥା ପଡ଼ୁ ପଡ଼ୁ ଖୁଣ । ସେଇ ଲୋକଟି କଣ ପ୍ରକୃତ ହିମାଳୟ ସି° ! —ପ୍ରଧାନ ଲକ୍ଷପତି, ବହୁ କାରଖାନାର ମାଲିକ, ଆମଦାନୀ ଓ ରପ୍ତାନିର ପୋଖତ ବ୍ୟବସାୟଦାର । ସ୍ମଗଲର୍ ଭୀମସେନ ନୂତନ ନାମନେଇ ଆତ୍ମ ଗୋପନ କରି ନାହିଁ ତ ?

ଶକ୍ତ ଜାଲରେ ପଡ଼ି ବିକାଶ ଯେପରି ଛଟ ପଟ ହେଉଛି । ଉଦ୍ଧାର ପାଇବାର ଉପାୟ ସେ ଦେଖି ପାରେନା ।

ପ୍ୟାଲେସ୍ ।

ମି-ପ୍ରଧାନଙ୍କର ସୁବିଶାଳ ପ୍ୟାଲେସର ଗେଟ୍ ପାଖରେ ଟାକ୍‍ସି ଠିଆହେଲା । ଫୁଟ୍‍ପାଥରେ ଓହ୍ଲାଇ ପଡ଼ିଲେ ସେମାନେ । ଟ୍ୟାକସି ଭଡ଼ା ଦେଇ ପ୍ୟାଲେସଟା ଉପରେ ସେମାନେ ଦୁଷ୍ଟ ବୁଲାଇନେଲେ ଗ୍ରାନାଇଟ୍ ପଥରରେ ତିଆରି । ଅପୂର୍ବ...

ଦରଓ୍ୟାନ ଗେଟ୍ ଖୋଲି ସଲାମ ଦେଲା । ଲାଲ ସୁରକୀ ଦ୍ଧଳା ରାସ୍ତା ଦେଇ ସେମାନେ ପୋର୍ଟିକୋରେ ଆସ ଠିଆହେଲେ ।

ଉଭୟ ପାଖରେ ସବୁଜ ମଖମଲ ପରି ଲନରେ ଶିଳ୍ପୀର ଦୃଷ୍ଟିନେଇ ମନୋରମ ବଗିଚା ନିର୍ମିତ ହୋଇଛି ।

ଉଜ୍ୱଳ ଝଲମଲ ଫୁଲ ଗୁଡ଼ିକ ବୋଧହୁଏ ସେମାନଙ୍କୁ ନୀରବ ଆହ୍ୱାନ ଜଣାଇଲା ।

ଡ୍ରଇଂ ରୁମ୍‍ର ଭାରି ଫର୍ଦ୍ଦା ଖଣ୍ଡିକ ଟିକିଏ ଆଡ଼େଇ ହୋଇଗଲା । ଆଭିଜାତ୍ୟ-ପୂର୍ଣ୍ଣ ମଧ୍ୟବୟସୀ ଅତି ସୁଦର୍ଶନ ଭଦ୍ର ବ୍ୟକ୍ତିଟିକୁ ଚିହ୍ନିବାରେ ଆଦୌ ଅସୁବିଧା ହେଲାନାହିଁ ବିକାଶର ।

 

ମି-ପ୍ରଧାନ ଦ୍ରୁତ ପଦରେ ସିଡ଼ିରେ ଓହ୍ଲାଇ ତଳକୁ ଆସି ବିକାଶର ଡାହାଣ ହାତ ଚାପିଧରି ଆନନ୍ଦରେ କହିଲେ—very glad to meet you ମି-ଚୌଧୁରୀ । ...ତାପରେ କହିଲେ—ଇଏ ବୋଧହୁଏ କେନି ସ୍ମିଥ ଆପଣଙ୍କର ବାନ୍ଧବୀ—

 

ଇୟେସ୍ ମି-ପ୍ରଧାନ ! —ବିକାଶ କହିଲା ।

 

ସପ୍ରଶ୍ନ ଦୃଷ୍ଟିରେ କେତକୀ ଆଡ଼େ ଚାହିଁ ସେମାନଙ୍କୁ ନେଇ ସୁବୃହତ୍ ଡ୍ରଇଂରୁମ୍‌କୁ ଆସିଲେ ମି-ପ୍ରଧାନ ।

 

ଗୋଡ଼ତଳେ ନରମ ମଖମଲ୍‍ର ଲାଲ କାର୍ପେଟ୍ । ସୋଫା, ଟେବୁଲ, ଝରକା, ଦୁଆରର ପର୍ଦ୍ଦା, ଫର୍ନିଚର ସମସ୍ତ ନିଖୁଣ ଭାବେ ରଙ୍ଗ ମିଳାଇ ସଜ୍ଜିତ ହୋଇଛି ।

 

ଇଙ୍ଗିତରେ ଦୁହିଁଙ୍କୁ ବସିବାକୁ କହି ମି-ପ୍ରଧାନ କହିଲେ—ଆପଣଙ୍କୁ କଷ୍ଟ ଦେବାର ମୋର ଇଚ୍ଛା ନ ଥିଲା, ମି ଚୌଧୁରୀ ! କିନ୍ତୁ କ’ଣ କରିବି ? ବାଧ୍ୟହୋଇ କରିବାକୁ ହୋଇଛି ।

 

ମି-ପ୍ରଧାନଙ୍କର କଥା ଓ ବ୍ୟବହାରରେ ବିକାଶ ଲଜ୍ଜିତ ହେଲା । ମୃଦୁ କଣ୍ଠରେ କହିଲା–ନା-ନା, କଷ୍ଟ ଆଉ କଣ ! ଆପଣଙ୍କ ପରି ବିଖ୍ୟାତ ବ୍ୟକ୍ତିସହ ପରିଚିତ ହୋଇ ମୁଁ ଗର୍ବ ଅନୁଭବ କରୁଛି ।

 

ନିଃଶବ୍ଦରେ ଆଉ ଜଣେ ସୁବେଶୀ ବ୍ୟକ୍ତି ଆସି ମି-ପ୍ରଧାନଙ୍କ ପାଖରେ ଠିଆ ହେଲେ ।

 

ରାଧାଚରଣ ! ...ପ୍ରଧାନ ହସିଲେ । କହିଲେ—ଇଏ ହେଉଛନ୍ତି ମୋର ସେକ୍ରେଟରୀ ।

 

ବିକାଶ ହାତ ଉଠାଇ ନମସ୍କାର କଲା ।

 

ରାଧାଚରଣ ! ....ମି-ପ୍ରଧାନ କହିଲେ—ମି-ଚୌଧୁରୀଙ୍କର ବାନ୍ଧବୀଙ୍କୁ ମୋର ସଂଗ୍ରହଶାଳାକୁ ନେଇଯାଅ...କହି ହାସ୍ୟ ମୁଖରେ କେତକୀ ଆଡ଼େ ଚାହିଁଲେ ମି-ପ୍ରଧାନ ।

 

କେତକୀ ବିହ୍ୱଳ ଦୃଷ୍ଟିରେ ଚାହିଁ ରାଧାଚରଣଙ୍କ ସହ ଚାଲିଗଲା ।

 

ମି-ଚୌଧୁରୀ ! ଏଥର ମୋର ପ୍ରୟୋଜନୀୟ କଥା ଶୁଣନ୍ତୁ...

 

ବିକାଶ କୌଣସି ଉତ୍ତର ଦେଲା ନାହିଁ । ମି-ପ୍ରଧାନ କହିଲେ—ଚାଲନ୍ତୁ ମୋର କନ୍‍ସଲ୍‍ଟିଏ ଚେମ୍ୱାରକୁ ।

 

ବିକାଶ ଉଠି ଠିଆ ହେଲା ।

 

ବସନ୍ତୁ—ବସନ୍ତୁ...ପ୍ରଧାନ ହସିଲେ । ବିକାଶ କିଛି ବୁଝି ପାରିଲା ନାହିଁ । ବୋକା ଦୃଷ୍ଟିରେ ଦେଖିଲା ଡାହାଣ ପାଖର ବିରାଟ କାନ୍ଥଟା ଦୁଇଭାଗ ହୋଇଗଲା ଓ ସେଇ ରାସ୍ତାରେ ସେମାନଙ୍କର ସୋଫା ଦୁଇଟି ଆଗେଇ ଆସିଲେ ଆଉ ଗୋଟିଏ ସୁଦୃଶ୍ୟ କକ୍ଷକୁ । ପଲକ ଭିତରେ ଘଟଣାଟି ଏତେ ତୀବ୍ର ଗତିରେ ଘଟିଗଲା ସେ ବିକାଶ ବିସ୍ମୟରେ ଅଭିଭୂତ ହୋଇ ପଡ଼ିଲା ।

 

ଗୋଟିଏ ଟେବୁଲ୍ ଉପରୁ ଦୁଇଟି କପ୍ ଉଠାଇ ନେଇ ଆଗେଇ ଆସିଲେ ମି-ପ୍ରଧାନ । ପ୍ରଶାନ୍ତ ହସି ହସି କହିଲେ—ଆପଣ କଫି ନିଶ୍ଚୟ ପସନ୍ଦ କରନ୍ତି ।

 

ନିଜକୁ ସଂଯତ କରି କଫି କପରେ ଛୋଟ ସ୍ପର୍ଶ ଦେଲା ବିକାଶ । ଦେଖିଲା ମି-ପ୍ରଧାନ ଟୋବାକୋ ପାହଚରୁ ତମାଖୁ ବାହାର କରି ସିଗାରେଟ୍ ପେପରରେ ଗୁଡ଼ାଇଲେ । ତମାଖୁର ମଧୁର ସୌରଭ କକ୍ଷ ମଧ୍ୟରେ ଖେଳେଇଗଲା ।

 

ମୁଁ ଆପଣଙ୍କର ସାହାଯ୍ୟ ଚାହେଁ, ମି-ଚୌଧୁରୀ !

 

ସାହାଯ୍ୟ ?

 

ହଁ । ମୁଁ ସାତକୋଟି ଟଙ୍କାର ଦୁଷ୍ପ୍ରାପ୍ୟ ବସ୍ତୁ ମୋର ସଂଗ୍ରହଶାଳାରେ ରଖିଛି । ବର୍ତ୍ତମାନ ଜାଣି ପାରିଛି କୌଣସି ଦୁର୍ବୃତ୍ତ ସେଗୁଡ଼ିକ ଚୋରି କରିବାଲାଗି ଚେଷ୍ଟା କରୁଛି ।

 

ଆପଣ ପୁଲିସର ହେଲ୍‍ପ ନେଉ ନାହାନ୍ତି ? —ବିକାଶ କହିଲା ।

 

ସମ୍ଭବ ନୁହେଁ, ମି-ଚୌଧୁରୀ !

 

କିନ୍ତୁ, ମୁଁ କି କରିପାରିବି ?

 

କାହିଁକି ନପାରିବେ, ମି-ଚୌଧୁରୀ ! ଆପଣ ଯଦି ନପାରନ୍ତି ତାହାହେଲେ ଅଳକା-ବାରର ବସୁଧା ମଲ୍ଲିକକୁ କଥାଦେଲେ କିପରି ?

 

ବିକାଶର ଗଳା ଯେପରି ଅଠା ଅଠା ହୋଇଗଲା ଏଇ କଥା କଥା ଶୁଣି ।

 

ହସିଲେ ମି-ପ୍ରଧାନ । ବିକାଶର ମନେହେଲା ହସଟି ଅତି ମାରାତ୍ମକ ଏବଂ ବିଷାକ୍ତ ।

 

ମୋର ସଂଗୃହିତ ବସ୍ତୁଗୁଡ଼ିକ ଷ୍ଟକ—ରୁମରେ ରଖିଛି । ରୁମ୍ ଖୁବ୍ ମଜବୁତ୍ ଓ ଆଧୁନିକ ବିଜ୍ଞାନର ସାହାଯ୍ୟରେ ନିର୍ମିତ । ତେବେ ସୁଦ୍ଧା ସନ୍ଦେହ ହୁଏ । କେଉଁ ବାଟ ଦେଇ ଅଜ୍ଞାତ ଶତ୍ରୁ ଏହି ଷ୍ଟକ-ରୁମ୍ ଭିତରକୁ ଆସିପାରେ କେବଳ ଏହି କଥାଟି ମୋତେ କହିଦେବାକୁ ହେବ ।

 

ବିକାଶ ନିଜକୁ ବଡ଼ ଅସହାୟ ବୋଧ କଲା । ଯେଉଁ ଷ୍ଟକ-ରୁମ୍ ସତର୍କତା ସହ ବିଜ୍ଞାନ ସମ୍ମତଭାବେ ନିର୍ମିତ ତାହା ସେ ଏପର୍ଯ୍ୟନ୍ତ ସ୍ଵଚକ୍ଷୁରେ ଦେଖିନାହିଁ, ସେହି ଘରର ଦୁର୍ବଳ ସ୍ଥାନଟି କେଉଁଠି ତାହା ସେ କହିବ କିପରି ?

 

ମି-ପ୍ରଧାନ କହିଲେ—ଏହି ମୁଦିଟିକୁ ମୁଁ ଖୁବ୍ ଶସ୍ତାରେ କିଣିଥିଲି । ମାତ୍ର ଅଶୀ ହଜାର ଟଙ୍କାରେ । କିନ୍ତୁ ଅରଜିନ୍ୟାଲ୍ କି ନୁହେଁ ଜାଣେନା । ମୁଦିଟି ଆପଣଙ୍କୁ ଦେଉଛି । ତାହା ଅସଲି କି ନୁହେଁ ପରୀକ୍ଷା କରି ମୋତେ ପୁଣି ଫେରାଇ ଦେବେ । ମାତ୍ର ଗୋଟିଏ ସର୍ତ୍ତ ଅଛି, ମି-ଚୌଧୁରୀ !

 

ସର୍ତ୍ତ ।

 

ହଁ, ଚବିଶ ଘଣ୍ଟା ଭିତରେ ମୁଦିଟିକୁ ଫେରାଇ ଦେବାକୁ ପଡ଼ିବ । ଏହି ଚବିଶ ଘଣ୍ଟା ଆପଣଙ୍କର ବାନ୍ଧବୀ ମୋର ଏଠାରେ ଅଟକି ଥିବେ । ନା-ନା, ତାଙ୍କର କୌଣସି ଅସମ୍ମାନ ହେବାର ଆଶଙ୍କା କରିବେ ନାହିଁ । ମୁଦିଟି ଫେରି ପାଇଲେ ସେ ମୁକ୍ତି ପାଇବେ ।

 

କଣ କରିବ ବିକାଶ କିଛି ବୁଝି ପାରେନା । ଐତିହାସିକ ମୁଦିଟି ତାକୁ ଯେପରି ହାତଠାରି ଡାକୁଛି । ହଠାତ୍ ଗୋଟିଏ ଅଶୁଭ ଚିନ୍ତାରେ କଣ୍ଠ ତାର ଶୁଖିଗଲା । ହିମାଳୟ ସିଂ-କୁ କେହି ଗୁଳି କରି ହତ୍ୟା କରିଛି । କେତକୀର ମୃତ୍ୟୁ ଘଟିବା ମଧ୍ୟ ଅସମ୍ଭବ ନୁହେଁ । ମି-ପ୍ରଧାନ ଯଦି ଏହି ହତ୍ୟାକାଣ୍ଡର ନାୟକ ହୁଅନ୍ତି, ତେବେ ସେ କେବେହେଲେ କେତକୀକୁ ଆଘାତ କରି ସହଜରେ ପୁଲିସର ଦୃଷ୍ଟିରେ ପଡ଼ିବାକୁ ସାହସ କରିବେ ନାହିଁ ।

 

ସାର୍ !

 

ଚମକି ଉଠିଲା ବିକାଶ ।

 

ରାଧାଚରଣ ଗୋଟିଏ ଛୋଟ ଲାଲ ରଙ୍ଗର ଭେଲଭେଟ୍‌ର ବକ୍‍ସ ଧରି ଠିଆ ହୋଇଛନ୍ତି ।

 

ମୁଦିଟିକୁ ମି-ଚୌଧୁରୀଙ୍କୁ ଦିଅ...

 

ରାଧାଚରଣ ବାକ୍‍ସର ଢାଙ୍କୁଣୀ ଖୋଲି ଟେବୁଲ ଉପରେ ରଖି ନିଃଶବ୍ଦରେ ଘରୁ ବାହାରି ଗଲେ ।

 

ଅଦମ୍ୟ କୌତୁହଳ ନେଇ ମୁଦିଟିକୁ ଉଠାଇ ନେଲା ବିକାଶ । ସୁନ୍ଦର ହୀରାର ପରିଷ୍କାର ଦାନା । ଭିତରେ ନୀଳ ରେଖାରେ ଅଙ୍କିତ ନୀଳ ଗୋଲାପ ।

 

ଆଉ ଗୋଟିଏ କଥା ମି-ଚୌଧୁରୀ ! —ମହେଶ ପ୍ରଧାନ କହିଲେ—ଶୁଣିଛି ମୁଦିଟି ବଡ଼ ଅଶୁଭ । ଖୁବ୍ ସାବଧାନରେ ରଖିବେ ।

 

ବିକାଶ ନିଷ୍କଳକ ଦୃଷ୍ଟିରେ ଚାହିଁଥାଏ ନୀଳ ରେଖାର ନୀଳ ଗୋଲାପକୁ ।

 

ହିୟର, ମି-ଚୌଧୁରୀ ! ...ମି-ପ୍ରଧାନଙ୍କ ଗମ୍ଭୀର କଣ୍ଠସ୍ୱର । ବାନ୍ଧବୀଙ୍କର ସନ୍ଧାନ ଲାଗି ପୁଲିସର ସାହାଯ୍ୟ ନେବାକୁ ଚେଷ୍ଟା କରିବେ ନାହିଁ । ମୋର ଏହି ସୁବିଶାଳ ପ୍ରାସାଦରେ ବହୁ ଗୁପ୍ତ କକ୍ଷ ଅଛି । ଏପରି ଗୋଟିଏ କକ୍ଷଅଛି, ଯେଉଁ କକ୍ଷରେ ସନ୍ଧାନ ପାଇବାକୁ ପୁଲିସକୁ ପଚାଶ ବର୍ଷ ସମୟ ଲାଗିବ । ମୋର କର୍ମଚାରୀମାନେ ମଧ୍ୟ ଅତ୍ୟନ୍ତ ପ୍ରଭୁଭକ୍ତ । କୌଣସି ପ୍ରକାର ଅତ୍ୟାଚାର କିମ୍ୱା ପ୍ରଲୋଭନରେ ସେମାନେ ମୁହଁ ଖୋଲିବେ ନାହିଁ ।

 

ମି-ପ୍ରଧାନଙ୍କର ଉୟାବହ କଣ୍ଠସ୍ୱର ଶୁଣୁ ଶୁଣୁ ବିକାଶର ସର୍ବାଙ୍ଗ ଶିହରୀ ଉଠୁଥାଏ । ଭୟରେ ବୁକୁ ଭିତରଟା ଥରି ଉଠିଲା ।

 

କ୍ଳାନ୍ତ ଅବସନ୍ନ ଦିନଟା ରାତ୍ରିର ପରଶରେ ପ୍ରାଣବନ୍ତ ହୋଇ ଉଠିଲା ଯେପରି ।

 

ରାତିର ଅନ୍ଧକାରରେ ବୋଧହୁଏ କଳି ଉଠିଲା ନିଶାଚରମାନଙ୍କର ଦୃଷ୍ଟି ।

 

ମୁଦିଟିକୁ ବହୁ ପ୍ରକାରେ ବହୁଥର ଦେଖିଛି ବିକାଶ । ଯେତେଥର ଦେଖୁଛି, ସେତେଥର ସେ ମୁଗ୍‍ଧ ହୋଇଛି । ଅପୂର୍ବ ଶିଳ୍ପ ନିଦର୍ଶନ । ଯିଏ ଏହି ଗୋଲାପଟିକୁ ଆଙ୍କିଛନ୍ତି ସେ ଯେ କେବଳ ଜଣେ ଶିଳ୍ପୀ ଥିଲେ ତାହା ନୁହେଁ, ହୁଏତ ଜଣେ ବିରାଟ ମହାପୁରୁଷ ସେ ଥିଲେ । ପ୍ରାଣର ସମସ୍ତ ଆବେଗ ଯେପରି ଭରି ରହିଛି ନୀଳ ଗୋଲାପର ରେଖାରେ ।

 

କିନ୍ତୁ...

 

ମି-ପ୍ରଧାନଙ୍କର କଥା ଗୁଡ଼ିକ ପୁଣି ମନେ ପଡ଼ିଲା । ପରିଷ୍କାର କଣ୍ଠରେ ସେ ତାକୁ ଚାଲେଞ୍ଜ କରିଛନ୍ତି । ଆଶ୍ଚର୍ଯ୍ୟ ଲୋକଟାର କ୍ଷମତା । ପ୍ରତ୍ୟେକ ଘଟଣା ସେ ଜାଣିଛନ୍ତି । ତାଙ୍କର ସତର୍କ ଦୃଷ୍ଟି ଚତୁର୍ଦ୍ଦିଗରେ ବିସ୍ତାରିତ ।

 

ପ୍ୟାଲେସ୍‍ରୁ ବାହାରି ବିକାଶ ହୋଟେଲ୍ ନୀରାର ନଅ ନମ୍ବର ସ୍ୟୁଟକୁ ଯାଇଥିଲା । ବିଖ୍ୟାତ ପ୍ରତ୍ନତାତ୍ତ୍ୱିକ ମି-ଚନ୍ଦ୍ରଶେଖରମ୍ ତାଙ୍କର ଜିନିଷପତ୍ର ସଜାଡ଼ୁଥିଲେ, ବିକାଶକୁ ଦେଖି ଉଲ୍ଲସିତ ହୋଇ ଉଠିଲେ । କହିଲେ—କି ଆଶ୍ଚର୍ଯ୍ୟ ! ସତେରେ ଆପଣ ଆସିଲେ ?

 

ବିକାଶ ହସିଲା ।

 

ବୟ୍‍କୁ ଚା’ ଓ ଟିଫିନ୍ ଆଣିବାକୁ କହି ପ୍ରଫେସର ଚନ୍ଦ୍ରଶେଖରମ୍ ବିକାଶକୁ ପାଖରେ ବସାଇଲେ ସୋଫାଟିରେ । କହିଲେ—ଆଉ ସବୁ ଖବର କ’ଣ କହନ୍ତୁ...

 

ଆପଣଙ୍କ ପାଖକୁ ଆସିଛି...

 

ତାହାତ’ ଦେଖୁଛି । ନୂଆ କିଛି ଖବର ଅଛିତ’ କହନ୍ତୁ ।

 

ଆପଣଙ୍କର କନ୍‍ଫରେନସ କିପରି ହେଲା ?

 

ନୂଆ କିଛି ନୁହେଁ । ବର୍ଷକ ପରେ ପରସ୍ପର ପରସ୍ପରଙ୍କର ସାକ୍ଷାତ୍ ପାଇଲୁ, ଏତିକି ଯାହା ଲାଭ ।

 

ଆଜି କି ଚାଲିଯାଉଛନ୍ତି ?

 

ହଁ । ...ଘଡ଼ିରେ ନଜର ଦେଲେ ପ୍ରଫେସର । କହିଲେ—କାହିଁକି ପଚାରୁଛନ୍ତି...

 

ଆଚ୍ଛା, ପ୍ରଫେସର୍ ! ...ବିକାଶ କହିଲା—ରାଜା ଜରଣ ସିଂ କିମ୍ୱା ରାଜା କୁମାର ସିଂଙ୍କର ନାମ ଶୁଣିଛନ୍ତି କି ?

 

ହଁ, ଶୁଣିଛି । ଭୁଟାନର ଅଠର ମାଇଲ୍ ଉତ୍ତରକୁ ହିମାଳୟର ପାଦଦେଶର ଥିଲା ଛୋଟ ଗୋଟିଏ ସିଂ-ରାଜତ୍ୱ । ଏମାନେ ସେଠାକାର ପ୍ରଥମ ଓ ଶେଷ ରାଜା ।

 

ସେପରି କିଛି ଇତିହାସ ଅଛି କି ?

 

ନା । ତେବେ ସେମାନଙ୍କର ପରିବାରର ଚିହ୍ନ ନୀଳ ଗୋଲାପ । ଶୁଣାଯାଏ ଏହି ଦେଶର ରାଜପୁରୁଷମାନଙ୍କର ନିକଟରେ ଏପର୍ଯ୍ୟନ୍ତ ହୀରାର ମୁଦିରେ ନୀଳ ଗୋଲାପ ଅଙ୍କିତ ହୋଇଛି ।

 

ଏହି ମୁଦିଟିକୁ ପରୀକ୍ଷା କରି ଦେଖନ୍ତୁତ ! ..ବିକାଶ ପ୍ରଫେସରଙ୍କୁ ମୁଦିଟି ଦେଲା ।

 

ମୁଦିର ପଥର ଉପରେ ଦୃଷ୍ଟି ବୁଲାଇ ଆନନ୍ଦରେ ଥରିବାକୁ ଲାଗିଲେ ପ୍ରଫେସର । କହିଲେ—ଅରଛିନ୍ୟାଲ୍ । ତିରିଶ ବର୍ଷର ପୁରୁଣା । ପ୍ରକୃତରେ ଏହା ଏକ ଦୁର୍ଲଭ ବସ୍ତୁ । ପାଇଲେ କେଉଁଠୁ ?

 

ମି-ମହେଶ ପ୍ରଧାନଙ୍କ ପାଖରୁ...

 

ମି-ପ୍ରଧାନଙ୍କ ତୁଳନା ନାହିଁ । ତାଙ୍କର ସଂଗ୍ରହ ଶାଳାଟି ଜାତିର ଗୌରବ । ...ପ୍ରଶଂସାରେ ପଞ୍ଚମୁଖ ହୋଇ ଉଠିଲେ ପ୍ରଫେସର ।

 

କଣ ଭାବୁଛ...ଫାଇଲ ହାତରେ ଆଗେଇ ଆସିଲେ ଇନିସପେକ୍‍ଟର ସୁଭାଷ ସେନ୍ ।

 

ପ୍ରଫେସର ମି-ଚନ୍ଦ୍ରଶେଖରମ୍ କଥା ।

 

ସାମ୍‍ନା ସୋଫାରେ ବସିଲେ ସେନ୍ ସାହେବ । କହିଲେ ପ୍ରତ୍ନତାତ୍ତ୍ୱିକ ପ୍ରଫେସର ମି-ଚନ୍ଦ୍ର ଶେଖରମ୍ ଏପରି ଆକସ୍ମିକ ଭାବେ ମୃତ୍ୟୁ ମୁଖରେ ପଡ଼ିବେ କାହା ଚିନ୍ତା କରିପାରି ନାହିଁ ।

 

ମୃତ୍ୟୁ ମୁଖରେ ପଡ଼ିବେ, ମାନେ ? ଇଲେକ୍‍ଟ୍ରିକ୍ ଶକ୍ ଯେପରି ପାଇଲା ବିକାଶ ।

 

ହଁ । ଦିଲ୍ଲୀର ସମ୍ବାଦରେ ପ୍ରକାଶ, କାଲି ସେ ହଠାତ୍ ମୋଟର ଏକ୍‍ସିଡେଣ୍ଟରେ ମରିଯାଇଛନ୍ତି ।

 

କ’ଣ କହୁଛନ୍ତି ! …ବିକାଶର କଣ୍ଠରେ ବିସ୍ମୟ । ...ଆଜି ସକାଳେ ମୁଁ ତାଙ୍କ ସହିତ ହୋଟେଲରେ ଦେଖାକରି ଆସିଛି ।

 

ବାଜେ କଥା...ସୁଭାଷ ସେନ୍ କହିଲେ—ହୋଟେଲକୁ କିପରି ଆସିବେ ସେ ? ଶାରୀରିକ ଅସୁସ୍ଥତା ହେତୁ ସିଏତ’ କନ୍‍ଫରେନ୍‍ସକୁ ଆସି ନାହାନ୍ତି ।

 

ବିକାଶର ସର୍ବାଙ୍ଗ ଶୀତଳ ହୋଇ ଆସିଲା । ତେବେ ସେ କାହା ସହିତ କଥାବାର୍ତ୍ତା ହୋଇ ଆସିଛି ?

 

ସୁଭାଷ ସେନ୍ ପୁଣି କହିଲେ—ସ୍ମଗଲର ଭୀମସେନ୍ ଆପଣଙ୍କୁ ହାତେ ଦେଖାଇଛି । ଲୋକଟାର ଆଶ୍ଚର୍ଯ୍ୟ କ୍ଷମତା ।

 

ବିକାଶର ନିଜ ଉପରେ ରାଗ ହେଲା । କହିଲା—ମୃତଦେହ କି ରକ୍ତାକ୍ତ ହୋଇଛି ?

 

ହଁ । ମହାତ୍ମାଙ୍କର ପରିଚୟ ଜଣାପଡ଼ିଛି । ...ଫାଇଲଟାକୁ ବିକାଶ ଆଡ଼କୁ ବଢ଼ାଇ ଦେଇ ସୁଭାଷ ସେନ୍ କହିଲେ—ତୁମେ ଯେଉଁ ଟ୍ୟାକସିର ନମ୍ବର ଦେଇଥିଲ, ସେପରି ନମ୍ବରର କୌଣସି ଟ୍ୟାକସି ନାହିଁ । ତାହା ଗୋଟିଏ ପ୍ରାଇଭେଟ୍ କାର୍ । ବ୍ରେକ୍ ଡାଉନ୍ ହୋଇ କାରଖାନାରେ ତିନିମାସ ହେଲା ଅଛି ।

 

ବସୁଧା ମଲ୍ଲିକ ?

 

ନଜର ରଖିଛି । ଅଳକା ବାର୍‍ର ମାଲିକ ମି-ଅଗରଓ୍ୟାଲା ବର୍ତ୍ତମାନ ଭାରତର ବାହାରେ । ତେଣୁ ଟିକିଏ ଡେରି ହୋଇପାରେ ।

 

ବିକାଶ ଫାଇଲଟିକୁ ଖୋଲିଲା । ମୃତଦେହର ଛଅ ପ୍ରକାର ଫଟୋ ବିଭିନ୍ନ କୋଣରୁ ନିଆଯାଇଛି । ମୁହଁର ବ୍ଲୋଜ୍ ଅପ୍ । ପୋଷ୍ଟମର୍ଟମ ରିପୋର୍ଟ ଉପରେ ଏଥର ଆଖି ବୁଲାଇଲା ସେ-

 

ମୁଣ୍ଡର ପଛଆଡ଼େ ଦୁଇଟି ଗୁଳି ଲାଗିଛି । ପୟେଣ୍ଟ ଟୁ-ଟୁ ବୋର୍‍ର ରିଭଲଭର୍‍ର ଗୁଳି ।

 

ରାତି ବାରଟା ଭିତରେ ମୃତ୍ୟୁ ଘଟିଛି ।

 

ମୃତ ବ୍ୟକ୍ତିର ନାମ ଆର୍ ନଟରାଜନ୍ । ବୟସ ଆନୁମାନିକ ପଇଁଚାଳିଶ । ବୋମ୍ୱାଇରେ ଦଶବର୍ଷ ପୂର୍ବେ ପକେଟ୍ କାଟିବା ଅପରାଧରେ ତାର ଜେଲ୍ ହୋଇଥିଲା । ଏହାପରେ ତାର ଅପରାଧ ସମ୍ୱନ୍ଧରେ କୌଣସି ଘଟଣା ଶୁଣାନଗଲେ ସୁଦ୍ଧା ସେ ଯେ ମୁଁ ସ୍ମଗଲର ଭୀମସେନ୍‍ର ଦଳୀୟ ଲୋକ ଏହା ଜଣା ପଡ଼ିଥିଲା ।

 

ଲ୍ୟାବରେଟରୀ ପରୀକ୍ଷାରେ ତାର ଲୁଗାପଟାରୁ ମିଳିଛି ଅଫିମ ଓ କୋକେନ୍‍ର ଚୂର୍ଣ୍ଣ ।

 

ଫାଇଲଟାକୁ ବନ୍ଦ କରିଦେଲା ବିକାଶ ।

 

ଦଳର ଲୋକମାନେ ତାକୁ ନଦୀ କୂଳକୁ ଡାକିନେଇ ଗୁଳି କରି ହତ୍ୟା କରିଛନ୍ତି । ରକ୍ତ ପାଣିରେ ଧୋଇ ଯାଇଛି ।

 

ଅସମ୍ଭବ ନୁହେଁ । ...ବିକାଶ କହିଲା—ଆପଣଙ୍କୁ ଯେଉଁ କାର୍ଡ଼ ଖଣ୍ଡିକ ଦେଇଥିଲି ତହିଁରୁ ଛାପ ନେଇଛନ୍ତି କି ?

 

ହଁ । ...ସୁଭାଷ ସେନ୍ ଫାଇଲରୁ ଖଣ୍ଡିଏ ନୋଟ୍ ସିଟ୍ ବାହାର କରି କହିଲେ—ଦେଖନ୍ତୁ, ଫିଙ୍ଗର ପ୍ରିଣ୍ଟ୍ ଏକ୍‍ସପାର୍ଟର ରିପୋର୍ଟ ।

 

ରିପୋର୍ଟରେ ଆଖି ବୁଲାଇଲା ବିକାଶ । ଦୁଇଟି ହାତର ଛାପ ।

 

ତହିଁ ମଧ୍ୟରୁ ଗୋଟିଏ ହେଉଛି ଆର୍ ନଟରାଜନର ଓ ଅନ୍ୟଟି କାବେରୀ କାଉଲ୍ ।

 

କାବେରୀ କାଉଲ୍ ଅଭିନେତ୍ରୀ ।

 

ଆର୍‍ନଟରାଜନ ମୃତ ।

 

କାବେରୀ ବେଳେ ବେଳେ ବାଜେ ଲୋକଙ୍କ ସହିତ ବୁଲାବୁଲି କରିବାର ଦେଖା ଯାଇଛି-। ବର୍ଷକ ତଳେ ତାକୁ ଥାନାକୁ ଅଣା ଯାଇଥିଲା । କିଛି ପ୍ରଶ୍ନ ପଚାରିବା ପରେ ତାକୁ ଛାଡ଼ି ଦିଆଯାଇଥିଲା । ବର୍ତ୍ତମାନ ତାର ଗତିବିଧି ଅଜ୍ଞାତ ।

 

ବିକାଶ ବୁଝିପାରେ ହିମାଳୟ ସିଂ ହେଉଛି ମୃତ ଆର୍‍ନଟରାଜନ୍ ଓ କାବେରୀ କାଉଲ୍ କେତକୀ ସିଂ ଭୂମିକାରେ ଅଭିନୟ କରୁଛି ମି-ପ୍ରଧାନଙ୍କର ମ୍ୟାନ୍‍ସନରେ ଥାଇ ।

 

ତେବେ କି କାବେରୀ ଜାଣେନା ନଟ୍‍ରାଜନର ମୃତ୍ୟୁ ହୋଇଛି ବୋଲି ।

 

ସେହି ଅଦୃଶ୍ୟ ନାୟକଟି କିଏ ? ମହେଶ ପ୍ରଧାନ ନା, ସ୍ମଗଲର୍ ଭୀମସେନ୍ ?

 

ଫୋନ ରିଂ, ହେବାରୁ ରିସିଭର ଉଠାଇ ନେଲା ବିକାଶ । ଅପର ପ୍ରାନ୍ତରରୁ କଣ୍ଠସ୍ୱର ଶୁଣି ରିସିଭରଟିକୁ ସୁଭାଷ ସେନ୍‌ଙ୍କ ହାତକୁ ବଢ଼ାଇ ଦେଇ କହିଲା—ଡେପୁଟି କମିଶନର ଆପଣଙ୍କୁ ଡାକୁଛନ୍ତି ।

 

ସୁଭାଷ ସେନ୍ ରିସିଭର ନେଇ କହିଲେ, ମୁଁ ସୁଭାଷ କହୁଛି ସାର... ଆଚ୍ଛା, ମୁଁ ସାଙ୍ଗେ ସାଙ୍ଗେ ଯାଉଛି...ହଁ ସାର୍...

 

ରିସିଭର ରଖିଦେଇ କହିଲେ—ନାରାୟଣ ଗଡ଼ରେ ଚୋରା ଅଫିମ କାରବାରର ସନ୍ଧାନ ମିଳିଛି । କଷ୍ଟମ ଅଫିସରଙ୍କୁ ସାହାଯ୍ୟ କରିବା ପାଇଁ ମୋତେ ଯିବାକୁ ହେବ ।

 

ସୁଭାଷ ସେନ୍ ଚାଲିଯିବା ପରେ ବିକାଶ ଫାଇଲ୍‍ଟିକୁ ନେଇ ଷ୍ଟଡ଼ିକୁ ଆସିଲା । ଷ୍ଟିଲ୍ କେବିନେଟରେ ଫାଇଲ୍‍ଟିକୁ ରଖି ଫେରି ଆସିଲା ଡ୍ରଇଂ ରୁମ୍‌କୁ ।

 

କାବେରୀ ଓ ନଟରାଜନର ପରିଚାଳକ ସେହି ଅଦୃଶ୍ୟ ନାୟକ କି କେବଳ ହୀରାର ମୁଦିଟିକି ଚାହେଁ । ଯଦି ସେ ଏଡ଼େ ବୁଦ୍ଧିମାନ, ତେବେ କାହିଁକି ସେ ତାକୁ ନିୟୋଗ କରିଛି ? ସିଏ କି ଆଉ ମନେ କରିଥିଲା ଅର୍ଥ ଲୋଭରେ ବିକାଶ ମି-ପ୍ରଧାନଙ୍କର ସଂଗ୍ରହଶାଳାରୁ ଚୋରିକରି ମୁଦିଟିକୁ ଆଣି ଦେବ ?

 

ବାହରେ ଗାଡ଼ି ଅଟକାଇବାର ଶବ୍ଦ ଶୁଣି ଦୁଆରର ପର୍ଦ୍ଦାଟିକୁ ଆଡ଼େଇ ବାହାରକୁ ଚାହିଁଲା ବିକାଶ ।

 

ବସୁଧା ସହିତ ଷ୍ଟୁଆର୍ଟ ଅଲ୍ଲି ଭିତରକୁ ଆସିଲା । ସେମାନଙ୍କୁ ବସିବାକୁ କହି ବିକାଶ ପଚାରିଲା—ଆପଣଙ୍କର ରାଜକୁମାରୀ-ବାନ୍ଧବୀ କେଉଁଠାରେ ମିସ୍ ମଲ୍ଲିକ ?

 

କେତକୀ ଆସିପାରିଲା ନାହିଁ...ବସୁଧା ହସିଲା । ଅଲ୍ଲି ଏଟାଚିକେଶଟାକୁ କୋଳ ଉପରେ ରଖି ନିରବରେ ବସିଥାଏ ।

 

ମୁଦିଟିକୁ କି ସଂଗ୍ରହ କରିପାରି ନାହାନ୍ତି, ମି-ଚୌଧୁରୀ ? —ବସୁଧାର ଚିନ୍ତିତ କଣ୍ଠସ୍ୱର-

 

ପାଇଛି...ଛୋଟ କରି ଉତ୍ତର ଦେଲା ବିକାଶ ।

 

ପାଇଛନ୍ତି ? —ବସୁଧାର ଆଖି ଦୁଇଟି ବେଶ୍ ବଡ଼ ବଡ଼ ଦେଖାଗଲା ।

 

ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେବେକି, ମିସ୍ ମଲ୍ଲିକ୍ ? ମୁଦିଟି ପାଇଁ ଆପଣମାନଙ୍କର ଏତେ ଆଗ୍ରହ କାହିଁକି ?

 

ସେ କଥାତ ଆପଣଙ୍କୁ କହିଛି...

 

ଠିକ୍ କହିଛନ୍ତି ? ...ବିକାଶର ଅଧର ପ୍ରାନ୍ତରରେ ହସ ଫୁଟି ଉଠି ଚକିତରେ ପୁଣି ମିଳେଇ ଗଲା । କହିଲା—ମୁଦିଟି ଆପଣଙ୍କୁ ଦେଖାଇ ପାରେ, କିନ୍ତୁ ଦେଇ ପାରେନା ।

 

କାହିଁକି ? ...ବସୁଧାର ମୁଖ ମଣ୍ଡଳ ମ୍ଳାନ ଦେଖାଗଲା ।

 

ମି-ପ୍ରଧାନଙ୍କୁ ଫେରାଇ ଦେବାକୁ ହେବ । ସେଠାରେ କେତକୀ ସିଂକୁ ଜାମିନ୍ ସ୍ୱରୂପ ରଖି ଆସିଛି ।

 

ଏ ସବୁ କି ବାଜେକଥା କହୁଛନ୍ତି ? —ବସୁଧାର କଣ୍ଠରେ କ୍ରୋଧର ଚିହ୍ନ ।

 

ବିକାଶର ମୁଖମଣ୍ଡଳ ଗମ୍ଭୀର ହୋଇ ଉଠିଲା । ପକେଟରୁ ଭେଲଭେଟ୍‍ର ଲାଲ୍ ବାକସଟି ବାହାର କରି ଟେବୁଲ ଉପରେ ରଖିଲା ସେ ।

 

ବସୁଧା ସ୍ତବ୍‍ଧ । ପଲକହୀନ ଦୃଷ୍ଟିରେ ବସ୍ତୁଟି ଆଡ଼େ ଚାହିଁ କହିଲା—ଦେଖିବି କି ?

 

ଦେଖନ୍ତୁ—

 

ବସୁଧା ହାତରେ ନେଇ ଦେଖିଲା—କିଛି ସମୟପରେ ଅନିଚ୍ଛା ପ୍ରକାଶକରି ମୁଦିଟିକୁ ରଖିଦେଲା ବାକ୍ସ ଭିତରେ । ଅନୁନୟ ସ୍ୱରରେ କହିଲା—ମୁଦିଟା ମୋତେ ଦିଅନ୍ତୁ...

 

ନା—

 

ପନ୍ଦର ହଜାର ଟଙ୍କା ଦେଉଛି...

 

ଟଙ୍କା ତ ମୁଁ କେବେ ଚାହିଁନି—

 

ପଚିଶ ହଜାର...ହୀରା ଓ ସୁନାର ଦାମ୍‍ତ ଏତେ ହେବନାହିଁ ? ଐତିହାସିକ ମୂଲ୍ୟ ମୁ ଦେବାକୁ ଚାହୁଁଛି ।

 

ତଥାପି ମୁଁ ଅପାରଗ...

 

ମି-ଚୌଧୁରୀ ! ...ହଠାତ୍ ସୁତୀବ୍ର ଆର୍ତ୍ତନାଦ କରି ଉଠିଲା ବସୁଧା ।

 

ଚମକି ପଡ଼ି ବିକାଶ ତଳେ ଶୋଇ ପଡ଼ିଲା ।

 

ଭୀଷଣ ଶବ୍ଦରେ ଦୁଇଟି ଗୁଳି ଆସି ଆଘାତ କଲା କାନ୍ଥରେ । ଚୂନ ବାଲି କାନ୍ଥରୁ ଝରି ପଡ଼ିଲା ।

 

ଚକିତରେ ଅଲ୍ଲି ରିଭଲ୍‍ଭର୍ ବାହାର କରି ବଲ୍‍ବ ଗୁଡ଼ିକ ଗୁଳିରେ ଭାଙ୍ଗି ପକାଇଲା ।

 

ଘର ଭିତରେ ସୁଚୀଭେଦ୍ୟ ଅନ୍ଧକାର । ଛାତି ଉପରେ ଭରାଦେଇ ଧୀରେ ଧୀର ଡ୍ରୟାର ପାଖକୁ ଆଗେଇ ଆସି ଡ୍ରୟାରରୁ ପିସ୍ତଲ ବାହାର କରି ବିକାଶ କହିଲା—ମିସ୍, ମଲ୍ଲିକ...

 

ମୁଁ ଏଇଠି ଅଛି ମି-ଚୌଧୁରୀ ! ...ଗୋଟିଏ କୋଣରୁ ବସୁଧାର ମୃଦୁ କଣ୍ଠସ୍ୱର ଶୁଣାଗଲା ।

 

ଅନନ୍ତ ଜ୍ୱଳନ୍ତ ମହମବତୀ ନେଇ ଭିତରକୁ ଆସିଲା । ଡାକିଲା—ବାବୁ !

 

ଟେବୁଲ ଉପରେ ବତୀଟାକୁ ରଖିଦିଅ ।

 

ମହମବତୀର ମୃଦୁ ଆଲୋକରେ ବିକାଶ ଘରର ଚାରିଆଡ଼େ ଦୃଷ୍ଟି ବୁଲାଇ ନେଲା । ମି-ଅଲ୍ଲି ଫୋନ ଟେବୁଲ୍ ପାଖରେ ରିଭଲ୍‍ଭର୍ ନେଇ ଠିଆ ହୋଇଛି । ବସୁଧା ବିବର୍ଣ୍ଣ ଦୃଷ୍ଟିରେ ଚାହିଁଥାଏ । ଏଟାଚିକେଶରୁ ଦଶହଜାର ଟଙ୍କାର ଶହେଟଙ୍କିଆ ନୋଟ୍ ଘର ଭିତରେ ବିଛେଇ ହୋଇ ପଡ଼ିଛି ।

 

ମହମବତୀ ଟେବୁଲ୍ ଉପରେ ରଖିଦେଇ ଅନନ୍ତ କହିଲା—ମୁଁ ସେମାନଙ୍କୁ ଗୋଡ଼ାଉଥିଲି, ମାତ୍ର ମୋଟର ବାଇକ୍‌ରେ ଦୁହେଁ । ପଳାଇଗଲେ ।

 

ତୁମେ ଭିତରକୁ ଯାଅ—

 

ଅନନ୍ତ ଯିବାପରେ ଆଲ୍ଲି ନୋଟଗୁଡ଼ିକୁ ଏଟାଚିକେଶରେ ଭର୍ତ୍ତି କରୁଥାଏ । ବସୁଧା ଅନୁରୋଧ କଣ୍ଠରେ କହିଲା—ମୁଦିଟି ଦେବେ ନାହିଁ ମି-ଚୌଧୁରୀ ?

 

ନା—

 

ଚିନ୍ତା କରି ଦେଖନ୍ତୁ ଥରେ । ଫୋନରେ ମୋତେ ଖବର ଦେବେ । ...ଟିକିଏ ରାଗାନ୍ୱିତ ହୋଇ ଆଈ ସହିତ ଚାଲିଗଲା ବସୁଧା ।

 

ଭେଲଭେଟ୍‍ର କେସଟା ଛିଟିକି ପଡ଼ିଥାଏ । ମୁଦିଟା ଦରଜାପାଖରେ ଆସି ପଡ଼ିଥାଏ ।

 

ମୁଦିଟିକୁ ଉଠାଇ ନେଲା ବିକାଶ ।

 

କିନ୍ତୁ ଏ’ କ’ଣ ! ଏ ମୁଦିଟା ତ ସେ ମୁଦି ନୁହେଁ । ଇମିଟେଶନ୍ । ତେବେ କି ବସୁଧା ମୁଦିଟିକୁ ନେଇ ଚାଲିଯାଇଛି ?

 

ନିଜକୁ ବଡ଼ ଅସହାୟ ବୋଧକଲା ବିକାଶ ।

 

ପ୍ରଧାନଙ୍କର ପ୍ରାସାଦରେ ଆସି ପହଞ୍ଚିଲା ବିକାଶ ।

 

ରାଧାଚରଣ ସାଦର ଅଭ୍ୟର୍ଥନା କରି ତାକୁ ଆହ୍ୱାନ ଜଣାଇଲେ । ଡ୍ରଇଂ ରୁମ ଅତିକ୍ରମ କରି ସେମାନେ ଆସି ଗୋଟିଏ ସୁଦୃଶ୍ୟ କକ୍ଷରେ ପ୍ରବେଶ କଲେ ।

 

ଗୋଟିଏ ଲୋକର ଯେପରି ବିରାଟ ସାମ୍ରାଜ୍ୟର ଐଶ୍ୱର୍ଯ୍ୟ । ତାର ମନେହେଲା ସେ ଯେପରି କୌଣସି ଏକ ଐତିହାସିକ ସମ୍ରାଟର ମନ୍ତ୍ରଣାଳୟରେ ଆସି ପହଞ୍ଚିଛି ।

 

ହାତୀଦାନ୍ତର ଟେବୁଲ ପାଖରେ ବସିଥିଲେ ମହେଶ ପ୍ରଧାନ । କାବେରୀ ତାକୁ ଦେଖି ମୃଦୁ ହସ ହସିଲା ।

 

କିପରି ଅଛନ୍ତି ? —ପଚାରିଲା ବିକାଶ ।

 

ଚମତ୍କାର ! ...କାବେରୀର ଅଧରରେ ସେହି ହସ । —ମୋର ମନେ ହେଉଛି ମୁଁ ଯେପରି ମୋଗଲ ହାରେମେରେ ଅଛି ।

 

କାବେରୀର କଥା ଶୁଣି ବିକାଶର ମନେହେଲା ପ୍ରକୃତରେ ସେ ସାର୍ଥକ ଅଭିନେତ୍ରୀ ।

 

ମି-ପ୍ରଧାନ ଖଣ୍ଡିଏ ସିଗାରେଟ୍ ଧରାଇ କହିଲେ—ତାର ପୂର୍ବପୁରୁଷ ଥିଲେ ହିମାଳୟ ପାଦଦେଶରେ ଗୋଟିଏ ଛୋଟ ସିଂ ରାଜ୍ୟର ଦେଓ୍ୟାନ୍ । ସେହି ରାଜବଂଶର ପ୍ରଥମ ରାଜା କରଣ ସିଂ ଓ ଶେଷ ରାଜା କୁମାର ସିଂ ।

 

ବିକାଶ ଏହାଶୁଣି ଚମକି ଉଠିଲା ।

 

ତାହା ଲକ୍ଷ୍ୟ କରିଥିଲେ ମହେଶ ପ୍ରଧାନ । କହିଲେ—ଆପଣ ଚମକି ପଡ଼ିଲେ ? ଇଂରେଜମାନଙ୍କ ସହିତ ବିଦ୍ରୋହାଚରଣ କରି ଶେଷରେ ପରାଜିତ ହୋଇ ହିମାଳୟର ଗିରିକନ୍ଦର ଆଡ଼େ ପଳାଇ ଯାଇଥିଲେ ।

 

ଟିକିଏ ନୀରବ ଥାଇ ପ୍ରଧାନ ପୁଣି କହିଲେ—ଆମର ପୂର୍ବ ପୁରୁଷର ସମସ୍ତ ସୁନାମ ଓ ବିଶ୍ୱାସତା ଲୋପ ପାଇଲା ଶେଷ ଦେଓ୍ୟାନ ଜୟକୃଷ୍ଣ ପ୍ରଧାନଙ୍କ ମଧ୍ୟମ ପୁତ୍ର ଧୀରେନ୍ଦ୍ର ପ୍ରଧାନର ବିଶ୍ୱାସଘାତକତା ଫଳରେ । ଗଭୀର ରାତ୍ରିର ଅନ୍ଧକାରରେ ସେଇ ରାଜମାନଙ୍କୁ ରାସ୍ତା ଦେଖାଇ ଆହତ, ରୁଗ୍‍ଣ ଭଗ୍ନସ୍ୱାସ୍ଥ୍ୟ ରାଜା କୁମାର ସିଂକୁ ଧରାଇଦେଲେ । ମୃତ୍ୟୁପୂର୍ବରୁ ଅନୁଶୋଚନା କରିଥିଲେ ବିଶ୍ୱାସଘାତକ ଧୀରେନ୍ଦ୍ର ପ୍ରଧାନ । ଯେଉଁ ପାପ ସେ କରିଛନ୍ତି ତହିଁରୁ ମୁକ୍ତି ପାଇବାଲାଗି ଉପାୟ ଉଦ୍‍ଭାବନ କରିବାପାଇଁ ପୁତ୍ରମାନଙ୍କୁ ସେ ଅନୁରୋଧ କରିଥିଲେ । ଦୀର୍ଘ ଦୁଇଶ ବର୍ଷଯାଏ ମୁକ୍ତିର ପଥ ଆଉ ପାଇନାହୁଁ, କିନ୍ତୁ ମୁଁ ଆଜି ତାହା ପାଇଛି ।

 

ବିକାଶ ନୀରବ ।

 

ବହୁ କଷ୍ଟରେ ମୁଁ ମୁଦିଟିକୁ ସଂଗ୍ରହ କରିଛି ମି-ଚୌଧୁରୀ । ହିମାଳୟ ସିଂଙ୍କୁ ଯେଉଁଦିନ ଖୋଜି ପାଇବି ସେଇଦିନ ମୁଦିଟି ତାଙ୍କୁ ଦେଇ ମୋର ପାପଭାର ଲାଘବ କରିବି ।

 

ପ୍ରଚଣ୍ଡ ଅଭିମାନରେ ମି-ପ୍ରଧାନଙ୍କର କଣ୍ଠସ୍ୱର ଭାରି ହୋଇ ଆସିଲା ।

 

ବିକାଶର ମନରେ ଅବିଶ୍ୱାସର ଛାୟା ଆସି ପଡ଼ିଲା । ମି-ପ୍ରଧାନ ଯାହା କହିଲେ ସେଗୁଡ଼ିକ କଣ ସତ ? କହିଲା—କୁମାର ସିଂ ଜାଣନ୍ତି ନାହିଁ ରାଜା ହିମାଳୟ ସିଂ ବର୍ତ୍ତମାନ କେଉଁଠାରେ ?

 

ନା । କୌଣସି ଏକ କାରଣରୁ, ପ୍ରଚଣ୍ଡ ଅଭିମାନରେ ରାଜା ହିମାଳୟ ସିଂ ତାଙ୍କର ଏକମାତ୍ର କନ୍ୟା କେତକୀକୁ ନେଇ ରାତ୍ରିର ଅନ୍ଧକାରରେ ଦିଲ୍ଲୀର ପ୍ରାସାଦ ତ୍ୟାଗ କରି ପୃଥିବୀର କେଉଁ ପ୍ରାନ୍ତରରେ ହରାଇଗଲେ ସହସା । କୁମାର ସିଂ ସେମାନଙ୍କର ସନ୍ଧାନ ପାଇ ନାହାନ୍ତି । ମୁଦିଟିକୁ ମୁଁ ସଂଗ୍ରହ କରିଥିଲି ସୁଗଲର୍ ଭୀମସେନ୍ ପାଖରୁ । ଆଜି ପୁଣି ଭୀମସେନ୍ ଉକ୍ତ ମୁଦିଟିକୁ ମୋ ନିକଟରୁ ନେବାଲାଗି ସର୍ବଶକ୍ତି ପ୍ରୟୋଗ କରୁଛି । ସ୍ମଗଲର୍ ଭୀମସେନର ନାମ ଶୁଣି ବିସ୍ମିତ ହେଲା ବିକାଶ ।

 

ମି-ପ୍ରଧାନ ପୁଣି କହିଲେ—ପଅରଦିନ ରାତିରେ ହୋଟେଲ ନୀରାରେ ସ୍ମଗଲର୍ ଭୀମସେନ୍ ସହିତ ମୋର ଦେଖା ହୋଇଥିଲା । ସେ କହିଛି, ଯେ କୌଣସି ପ୍ରକାରେ ମୁଦିଟିକୁ ସେ ସଂଗ୍ରହ କରିବ । ଆପଣ କିନ୍ତୁ ତାର ପ୍ରଖର ବୁଦ୍ଧି ନିକଟରେ ପରାଜିତ ହୋଇଛନ୍ତି ମି-ଚୌଧୁରୀ !

 

ଲଜ୍ଜା ଏବଂ ଘୃଣାରେ ବିକାଶ ମୁଣ୍ଡ ତଳକୁ କଲା ।

 

ମି-ପ୍ରଧାନ ପୁଣି କହିଲେ—ସୁକୌଶଳୀ ସ୍ମଗଲର୍ ଭୀମସେନ୍ ଆପଣଙ୍କ ନିକଟରୁ ମୁଦିଟିକୁ ନେଇଯାଇଛି । ତେବେସୁଦ୍ଧା ଆପଣଙ୍କ ଉପରେ ମୋର ଆସ୍ଥା ଅଛି, ମୁଦିଟିକୁ ନିଶ୍ଚୟ ଆପଣ ଉଦ୍ଧାର କରି ପାରିବେ । ରାଜା ହିମାଳୟ ସିଂ ଓ ରାଜକୁମାରୀ କେତକୀ ସିଂଙ୍କୁ ମଧ୍ୟ ସାଙ୍ଗରେ ଆଣି ପାରିବେ ।

 

ବୋକା ଦୃଷ୍ଟିରେ ବିକାଶ ଚାହିଁଥାଏ ମି-ପ୍ରଧାନଙ୍କ ଆଡ଼େ ।

 

କାବେରୀ କେତେବେଳେ ଘରୁ ବାହରି ଯାଇଛି ଜାଣେନା ବିକାଶ ।

 

ଆପଣ ଆପଣଙ୍କର ନିର୍ଦ୍ଦିଷ୍ଟ ପଥରେ ଗତି କରନ୍ତୁ, ଅନୁସନ୍ଧାନ ଯେପରି କରିବାକୁ ହୁଏ କରନ୍ତୁ । ମୁଁ ବିଶ୍ୱାସ କରେ, ସ୍ମଗଲର୍ ଭୀମସେନ୍ ନିଶ୍ଚୟ ଆଣଣଙ୍କର ବୁଦ୍ଧି ଓ ସାହସ ନିକଟରେ ପରାଜୟ ସ୍ଵୀକାର କରିବ । ...କହିସାରି ମି-ପ୍ରଧାନ ସୋଫା ତ୍ୟାଗ କରି ଛିଡ଼ାହେଲେ ।

 

ବିକାଶ ଆସି ବସିଲା ଟ୍ୟାକସିରେ । ନକ୍ଷତ୍ର ବେଗରେ ଟ୍ୟାକସି ଛୁଟିଲା ।

 

ସମ୍ମୁଖରେ ଚୌମୁହାଣି ରାସ୍ତା ।

 

ଗାଡ଼ିର ସ୍ରୋତ ଚାଲିଥାଏ ।

 

ଟ୍ୟାକସିର ସ୍ପିଡ଼୍ କମିଲା ।

 

ହଠାତ୍ ଖଣ୍ଡିଏ ଟ୍ୟାକସି ତୀବ୍ର ଗତିରେ ସାଇଡ଼୍ କଟାଇ ଖଣ୍ଡିଏ ଲେଣ୍ଡମାଷ୍ଟର ଉପରେ ଆସି ପଡ଼ିଲା ।

 

ପ୍ରଚଣ୍ଡ ଗୋଟାଏ ଶବ୍ଦ ଉଠିଲା ।

 

ଅନ୍ୟ ଗାଡ଼ି ଗୁଡ଼ିକ ମଧ୍ୟ ଠିଆ ହୋଇ ଯାଇଥିଲା ।

 

ଜଣେ ସର୍ଜେଣ୍ଟ ଓ ଟ୍ରାଫିକ୍ ପୁଲିସ ଦୌଡ଼ି ଆସିଲେ ଘଟଣା ସ୍ଥଳକୁ ।

 

ଭିଡ଼ କ୍ରମେ ବଢ଼ିଲା । ବିକାଶ ମଧ୍ୟ ସେଠାରେ ଆସି ପହଞ୍ଚିଗଲା ।

 

ନା । କ୍ଷତିଟା ଗୁରୁତର ନୁହେଁ । କେବଳ ପଛପଟର ବଡ଼ ଚେପ୍‍ଟା ହୋଇଯାଇଛି ।

 

ଫେରି ଆସି ଟ୍ୟାକସିର ଦୁଆର ଖୋଲୁ ଖୋଲୁ ଚମକି ପଡ଼ିଲା ବିକାଶ । ଡ୍ରାଇଭର ନାହିଁ । କିନ୍ତୁ ଗାଡ଼ି ଭିତରେ ଏ କିଏ ?

Unknown

 

ଆକାଶ-ରଙ୍ଗର ଶାଢ଼ୀର ବୁକୁରୁ ଗଳ ଗଳ ହୋଇ ରକ୍ତ ବାହାରି ଆସୁଥାଏ ।

 

ପଛ ସିଟରେ କାବେରୀ ପଡ଼ିଛି ମୁମୂର୍ଷୁ ଅବସ୍ଥାରେ...ବିକାଶ ଜୋରରେ ଦୁଆରଟା ଖୋଲି ଅସ୍ଥିରଭାବେ ଭିତରକୁ ଆସିଲା ଅସହିଷ୍ଣୁ କଣ୍ଠରେ ଡାକିଲା—ଶୁଣନ୍ତୁ—

 

ଉଁ...ମୃତ୍ୟୁପଥଯାତ୍ରୀ କାବେରୀର କ୍ଷୀଣ କଣ୍ଠ ଶୁଭିଲା ।

 

ଆପଣ...

 

ମି-ଚୌଧୁରୀ ! ...ମୁଣ୍ଡ ଉଠାଇବାକୁ ଚେଷ୍ଟା କଲା କାବେରୀ । ଅସହ୍ୟ ଯନ୍ତ୍ରଣାରେ କଣ୍ଠ ତାର ଜଡ଼ିତ ହୋଇ ଆସିଲା—ସେମାନେ ମୋତେ ହତ୍ୟା କଲେ ମି-ଚୌଧୁରୀ !

 

କିଏ ? —ବିକାଶ ଆଉ ଟିକିଏ ଝୁଙ୍କି ପଡ଼ିଲା କାବେରୀ ଆଡ଼େ... ଚାଲନ୍ତୁ, ଆପଣଙ୍କୁ ହସପିଟାଲକୁ ନେଇଯିବି....

 

ନା—କାବେରୀର ଆଖି ଦୁଇଟିରୁ ଲୁହ ଗଡ଼ି ପଡ଼ୁଥାଏ । ନିଶ୍ୱାସ ନେବାଲାଗି ଭୀଷଣ କଷ୍ଟ ହେଉଥାଏ । କହିଲା—ବୋଧହୁଏ ପାଞ୍ଚ ମିନିଟ୍ ଭିତରେ ମରିଯିବି...

 

କିଏ ଗୁଳି କରିଛି ? —

 

ସ୍ମଗଲର୍ ଭୀମସେନ୍‍ର ଲୋକ...

 

ତାର ନାମ କ’ଣ ? —

 

ଅଜିତ୍ ସିଂ । ମୁଁ ତ’ କୌଣସି ଅନ୍ୟାୟ କରିନାହିଁ...କାବେରୀର ନିଶ୍ୱାସ ଦ୍ରୁତ ଗତିରେ ପଡ଼ୁଥାଏ । କହିଲା—ଠିକ୍‍ ଏମିତିଭାବେ ସେମାନେ ନଟରାଜନ୍‍କୁ ହତ୍ୟା କରିଛନ୍ତି ।

 

ବିକାଶ ନୀରବରେ ଶୁଣୁଥାଏ ।

 

ମି-ପ୍ରଧାନଙ୍କ ପାଖରୁ ମୁଦିଟିକୁ ନେବା ପାଇଁ ଭୀମସେନ୍ ମୋତେ ଓ ବସୁଧାକୁ ପଠାଇଥିଲା । ବସୁଧା ବେଧହୁଏ ଠିକ୍ ଏହିପରି ଭାବେ ଦିନେ ମରିବ ।...

 

ସ୍ମଗଲର ଭୀମସେନ୍ କେଉଁଠି ଥାଏ । —ପଚାରିଲା ବିକାଶ ।

 

ଜାଣେନା । କୌଣସି ଦିନ ତାକୁ ଦେଖିନାହିଁ । ଶୁଣିଛି ଏଠାରେ ତାର ବିରାଟ ପ୍ୟାଲେସ୍ ଅଛି । କିନ୍ତୁ—

 

ହଠାତ୍ ସ୍ତବ୍‍ଧ ହୋଇଗଲା କାବେରୀ । ଟିକିଏ ପବନ ପାଇବା ଆଶାରେ ପାଟି ପାକୁ ପାକୁ କରୁ କରୁ ଯନ୍ତ୍ରଣାରେ ଛଟପଟ ହେଉଥାଏ ।

 

ଏ ଟ୍ୟାକସିକୁ ଆସିଲେ କିପରି ? —

 

ମି-ପ୍ରଧାନଙ୍କର ପ୍ୟାଲେସ୍‍ରୁ ଲୁଚି ଲୁଚି ଆସି ପଛସିଟରେ ବସି ଯାଇଥିଲି । ...ଜିଭ ବୁଲାଇ ଓଠ ଚାଟିବାକୁ ଲାଗିଲା କାବେରୀ । କହିଲା—ବସୁଧାକୁ ଆପଣ ସାବଧାନ କରାଇ ଦେବେ, ନିଜେ ମଧ୍ୟ ସତର୍କ ଥିବେ...

 

ହଠାତ୍ କାବେରୀର ମୁଣ୍ଡଟା ପ୍ରବଳ ଭାବେ ଆନ୍ଦୋଳିତ ହୋଇ ଗୋଟିଏ ପାଖକୁ ଢଳି ପଡ଼ିଲା ।

 

ସ୍ଥିର ଅସହାୟ ଦୃଷ୍ଟି ମେଲାଇ ଗୋଟିଏ ଅସହାୟା ନାରୀର ମୃତ୍ୟୁ ଦେଖିଲା ବିକାଶ ।

 

କାବେରୀର ମୃତ୍ୟୁ ସମ୍ପୂର୍ଣ୍ଣ ବିବଶ କରିଦେଲା ବିକାଶକୁ ।

 

ଦିନଟା ସାରା ଶୋଇ ଶୋଇ କଟାଇ ଦେଲା ସେ । ଗଭୀର ଅନୁଶୋଚନା ଭୀଷଣ ଭାବେ ତାକୁ ଯନ୍ତ୍ରଣା ଦେଉଥାଏ ।

 

ସ୍ମଗଲର୍ ଭୀମସେନ୍ ।

 

ମହେଶ ପ୍ରଧାନଙ୍କ ଷ୍ଟକ୍-ରୁମରୁ ମୁଦିଟି ସଂଗ୍ରହ କରିବା ତା’ ପକ୍ଷରେ ସମ୍ଭବ ନଥିଲା । ତେବେ ସୁଦ୍ଧା ସେ ଚେଷ୍ଟା କରିଥିଲା । କାବେରୀ ଓ ବସୁଧାକୁ କାହିଁକି ଏ କାମ ପାଇଁ ପଠାଇଥିଲା ସ୍ମଗଲର ଭୀମସେନ୍ ବିକାଶ ତାହା ବୁଝିପାରେନା ।

 

ହୁଏତ ସେ ମନେ କରିଥିଲା ବସୁଧାର କଥାରେ ବିକାଶ ରାଜି ନ ହୋଇପାରେ । କିମ୍ୱା ଦୁଇଟି ନାରୀର ଆଗ୍ରହ ଦେଖି ତାର କୌତୁହଳ ବୃଦ୍ଧି ପାଇଥିଲା ।

 

ସ୍ୱୀକାର କରିବାକୁ ହେବ ସ୍ମଗଲର୍ ଭୀମସେନ୍ ବୁଦ୍ଧିମାନ ଓ କୌଶଳୀ ।

 

ବସୁଧାର ପରେ ଯଦି କାବେରୀ ଆସିଥାନ୍ତା ତାହାହେଲେ ହୁଏତ ବିକାଶ ସେତେଟା ଆଗ୍ରହ ଦେଖାନ୍ତା ନାହିଁ ! କାହିଁକି ମି-ପ୍ରଧାନ ସମସ୍ତ ଘଟଣା ଜାଣି ସୁଦ୍ଧା ତା’ ହାତରେ ସେହି ଐତିହାସିକ ମୁଦିଟିକୁ ଦେଇଥିଲେ ?

 

ରିସିଭର୍ ଉଠାଇ ଡାଏଲ୍ କଲା ବିକାଶ ।

 

ମି-ପ୍ରଧାନ ଅଛନ୍ତି ?

 

ଜଷ୍ଟ ଏ ମିନିଟ୍...ଅପର ପ୍ରାନ୍ତରୁ କିଏ ଜଣେ କହିଲା ।

 

ରିସିଭର କାନରେ ଚାପି ଅପେକ୍ଷା କରିଥାଏ ବିକାଶ ।

 

ହ୍ୟାଲୋ ! ପ୍ରଧାନ ସ୍ପିକିଂ...

 

ମୁଁ ବିକାଶ ଚୌଧୁରୀ କହୁଛି, ମି-ପ୍ରଧାନ । ଗୋଟିଏ ପ୍ରଶ୍ନର ଉତ୍ତର ମୁଁ ଚାହେଁ ।

 

କହନ୍ତୁ—

 

ମୁଦିଟା ମୋତେ ଦେଇଥିଲେ କାହିଁକି ?

 

ଆପଣଙ୍କର ବୁଦ୍ଧି ପରୀକ୍ଷା କରିବାଲାଗି...

 

ମୁଁ ତ’ ହାରି ଯାଇଛି—

 

ହଁ...

 

ପ୍ରତ୍ୟେକ ଘଟଣା ଜାଣିପାରିଥିଲେ କିପରି ?

 

ମୋର ଅନୁଚର ଚାରିଆଡ଼େ ଅଛନ୍ତି...

 

ଜାଣନ୍ତି କି ସ୍ମଗଲ୍‍ର ଭୀମସେନ୍ ବର୍ତ୍ତମାନ କେଉଁଠ ? —

 

ନା । ଆଉ କିଛି କହିବେ ?

 

ନା ।

 

ଅପର ପ୍ରାନ୍ତରୁ ଫୋନ୍ ରଖିବା ଶବ୍ଦ ଶୁଣି ବିକାଶ ରସିଭର୍‍ଟିକୁ ରଖିଦେଲା ।

 

ଚୁପ୍‌ଚାପ୍ ଶୋଇ ପଡ଼ିଲା ସେ ।

 

ହଠାତ୍ ଘଡ଼ିଆଡ଼େ ନଜର ଦେଇ ଦେଖିଲା ସନ୍ଧ୍ୟା ସାତଟା ପାଞ୍ଚ ।

 

ଡ୍ରେସିଂ ଟେବୁଲ ସମ୍ମୁଖରେ ଆସି ଠିଆହେଲା ସେ । ନିପୁଣ ହାତରେ ନିଜର ଚେହେରାକୁ ବଦଳାଇ ପକାଇଲା । ମୂଲ୍ୟବାନ କୋଟ୍ ପ୍ୟାଣ୍ଟ ଓ ଟାଇରେ ନିଜକୁ ସଜ୍ଜିତ କରି ପାଞ୍ଚଖଣ୍ଡ ଶହେଟଙ୍କିଆ ନୋଟ୍ ପକେଟରେ ରଖିଲା । ଷ୍ଟିଲ୍ ଆଲମାରୀରୁ ରିଭଲ୍‌ଭର୍ ଟାଣିନେଇ ଲୁକିଂ ଗ୍ଲାସରେ ନିଜକୁ ପୁଣି ଥରେ ଦେଖିନେଲା ।

 

ଧୀର ପଦରେ ଆସି ଠିଆହେଲା ଫୁଟ୍‍ପାଥରେ । ଚାରିଆଡ଼େ ଦୃଷ୍ଟି ବୁଲାଇ ନେବା ପରେ ତାର ଦୃଷ୍ଟି ପଡ଼ିଲା ସେ ପାଖରେ ଘରର କାନ୍ଥକୁ ଲାଗି ବସିଥିବା ଭିକାରିଟା ଯେପରି ଅତିମାତ୍ରାରେ ଚଞ୍ଚଳ ହୋଇ ଉଠିଲା ।

 

ବିକାଶ ସେଇ ଆଡ଼େ ଏକଦୃଷ୍ଟିରେ ଚାହିଁଥାଏ ।

 

ଭିକାରିଟା ଆଗେଇ ଆସିଲା । ଆଗେଇ ଆସିଲା ଆହୁରି ଆଗକୁ । ପଲକ କେଇଟା ମାତ୍ର ତାକୁ ଦେଖିନେଇ ନେଙ୍ଗେଡ଼େଇ ନେଙ୍ଗେଡ଼େଇ ଅନ୍ୟ ପାଖର ଚା’ ଦୋକାନ ପାଖରେ ଆସି ଠିଆହେଲା ।

 

ମନେ ମନେ ହସିଲା ବିକାଶ । ହୁଏତ ଲୋକଟା ତାକୁ ଚିହ୍ନି ପାରିନାହିଁ । ଭାବିଛି କେହି ଜଣେ ନୂଆଲୋକ ଆସିଥିଲା ଗୋଇନ୍ଦା ବିକାଶ ଚୌଧୁରୀ ପାଖକୁ ।

 

ଖଣ୍ଡିଏ ଟ୍ୟାକସି ଆସି ଫୁଟ୍‍ପାଥରେ ଠିଆହେଲା । ଭୂରୁ ଦୁଇଟା କୁଞ୍ଚିତ ହୋଇ ଆସିଲା ତାର ।

 

ଇନିସପେକ୍ଟର ସୁଭାଷ ସେନ୍ ଟ୍ୟାକସିରୁ ଓହ୍ଲାଇ ଭଡ଼ା ଦେଇ ବିକାଶ ଆଡ଼େ ପଲକମାତ୍ର ଚାହିଁ ଫାଟକ ଖୋଲି ସିଧା ସିଧା ଘର ଆଡ଼େ ଚାଲିଗଲେ ।

 

ବିକାଶ ସାଙ୍ଗେ ସାଙ୍ଗେ ଟ୍ୟାକସିରେ ଉଠି ପଡ଼ି କହିଲା—ସେଣ୍ଟ୍ରାଲ୍ ଏଭିନିଉ, ସର୍ଦ୍ଦାରଜୀ ।

 

ଟ୍ୟାକସି ଆଗକୁ ଗଡ଼ିଚାଲିଲା ।

 

ସେନ୍ ସାହେବ ନିଶ୍ଚୟ କାବେରୀର ପୋଷ୍ଟମର୍ଟମ୍ ରିପୋର୍ଟ ନେଇ ଆସିଛନ୍ତି ।

 

ସେ ସବୁ ଦେଖି ଆଉ କି ଲାଭ !

 

ତାର ଆଖି ଆଗରେ ପ୍ରଫେସର ମି-ଚନ୍ଦ୍ରଶେଖରମ୍ ବେଶୀ ସ୍ମଗ୍‍ଲର ଭୀମସେନ୍‍ର ଚେହେରା ଖଣ୍ଡିକ ଭାସି ଉଠିଲା ।

 

ଲୋକଟିର ଛଦ୍ମ ବେଶ ଧାରଣର କ୍ଷମତା ଅତି ଆଶ୍ଚର୍ଯ୍ୟ । ତାର ଦୃଷ୍ଟି ଯେତେବେଳେ ପ୍ରସାରିତ ହୋଇଛି ସମସ୍ତଙ୍କୁ ସେ ବୋକା ବନେଇ ଛାଡ଼ିବ ।

 

ସେଣ୍ଟ୍ରାଲ ଏଭିନ୍ୟୁ ।

 

ସମ୍ମୁଖରେ ନିୟନ ସାଇନ୍—ଅଳକାବାର୍ ।

 

ଭଡ଼ା ଦେଇ ଫୁଟ୍‍ପାଥକୁ ଆସିଲା ବିକାଶ । ଭିତରକୁ ଆସି ପୁଶ୍‍ଡୋର ଠେଲି ହଲ୍‍କୁ ଆସିଲା ।

 

ନୀଳ ସମୁଦ୍ର ।

 

ଚାରିଆଡ଼େ ଦୃଷ୍ଟି ପୁଣି ବୁଲାଇ ନେଇ ଆଉ ଗୋଟିଏ ଦୁଆର ପାଖରେ ଛିଡ଼ା ହୋଇ କାଚ ଦରଜା ଠେଲି ଭିତରକୁ ଆସିଲା ।

 

ଛୋଟ ଚତୁସ୍କୋଣ ଟେବୁଲ୍ । ଟେବୁଲକୁ କେନ୍ଦ୍ରକରି କେତେ ଗୁଡ଼ିଏ ଚେୟାର ପଡ଼ିଛି ।

 

କାନ୍ଥ ପାଖକୁ ଲାଗି ପଡ଼ିଥିବା ଲମ୍ବା ଟେବୁଲର ଆର ପାଖରେ ଚାରିଜଣ ସୁଶ୍ରୀ ମହିଳା ବସିଥିଲେ । ସମସ୍ତଙ୍କର ଦୃଷ୍ଟି ଯେପରି ତାକୁ ବାନ୍ଧି ପକାଇଲା ।

 

ସେମାନଙ୍କ ଆଡ଼େ ଚାହିଁ ଇଙ୍ଗିତ—ପୂର୍ଣ୍ଣ ହସ ହସିଲା ବିକାଶ । ଧୀରେ ଧୀରେ ଖାଲି ଟେବୁଲ ପାଖକୁ ଆଗେଇ ଆସିଲା ।

 

ଷ୍ଟୁଆର୍ଡ ମି-ଆଲ୍ଲି ଆଗେଇ ଆସିଲା । ପ୍ରଶ୍ନିଳ ଦୃଷ୍ଟିରେ ସେ ଚାହିଁଲା ତା’ ଆଡ଼େ ।

 

ବିୟର୍...କହିଲା ବିକାଶ ।

 

କୋଇ ଖାନା ସାବ୍...

 

ଶାମୀ କାବାର...

 

ଆଲ୍ଲୀ ସର୍ଭେମାନଙ୍କୁ ନିର୍ଦ୍ଦେଶ ଦେଇ ଅନ୍ୟ ଟେବୁଲ ପାଖକୁ ଆସିଲା ।

 

ବିକାଶ ସିଗାରେଟରେ ଅଗ୍ନି ସଂଯୋଗ କରି ଆରାମରେ ଟାଣିବାକୁ ଲାଗିଲା ।

 

ସେ ତରୁଣୀଟି ବେଶ୍ ମୋଟା । ଆଖିରେ କଳା ଫ୍ରେମର ଚଷମା ।

 

ତାର ଲଲାଟରେ ସିନ୍ଦୁରର ମାଙ୍ଗଳିକ ଚିହ୍ନ । ଗଳାର ହାଡ଼ ଦୁଇଟି ସ୍ପଷ୍ଟହୋଇ ଉଠିଥାଏ-। ଆଖି କୋଣରେ ଅତ୍ୟାଚାରର କାଳିମା ।

 

ପ୍ରସାଧାନଚ ସ୍ପର୍ଶରେ ରୂପ ଉଛୁଳି ପଡ଼ୁଥାଏ ।

 

ପାଖର ତରୁଣୀଟି ଅତି ସଂପ୍ରତିଭା । ଆଖି ଦୁଇଟି ମନ୍ଦ ନୁହେଁ । ଉଦାସ ଦୃଷ୍ଟିରେ ଚାହିଁଛି ତା’ ଆଡ଼େ ।

 

ଯେଉଁ ତରୁଣୀଟି ଆଖିରେ ଚଷମା ଦେଇଥିଲା ସେ ଖଣ୍ଡିଏ ସିଗାରେଟ୍ ଧରାଇଲା । ମେଞ୍ଚାଏ ଧୁଆଁ ଛାଡ଼ି ଟିକିଏ ଦମ୍ ନେଇ ଲାଗ୍ ଲାଗ୍ ଟାଣିବାକୁ ଲାଗିଲା ।

 

ଭାରି ଖରାପ ଲାଗିଲା ବିକାଶକୁ ।

 

ପୁରୁଷର ଦୃଷ୍ଟି ଆକର୍ଷଣ କରିବାର ମାରାତ୍ମକ କାଇଦା ଏମାନଙ୍କୁ ବେଶ୍ ଜଣା ।

 

ଘୃଣାରେ ବିକାଶର ଉଠିଯିବାକୁ ଇଚ୍ଛା ହେଲା । ବହୁ କଷ୍ଟରେ ନିଜକୁ ସଂଯତ କରାଇ ଧୀରେ ଧୀରେ ନିଶ୍ୱାସ ନେଲା ସେ । ପରେ ହାତଠାରି ଡାକିଲା ଉଦାସୀ ତରୁଣୀଟିକୁ ।

 

ଓଠର ଫାଙ୍କରେ ହସର ଝଲକ ଯେପରି ଝଲକି ମିଳେଇ ଗଲା ଆଖିର ପ୍ରାନ୍ତରେ । ଧୀର ପଦରେ ସେ ଆଗେଇ ଆସିଲା ବିକାଶ ପାଖକୁ ।

 

ବସ...

 

ତରୁଣୀ ମୃଦୁ ହସି ବସିଲା ।

 

ତୁମର ନାମ କ’ଣ ?

 

ଆଶାଲତା...

 

ପ୍ରକୃତ ନାମ ତ ? —ଭ୍ରୂ ଦୁଇଟା ଲଲାଟ ଉପରକୁ ଉଠାଇ ସ୍ନିଗଧ କଣ୍ଠରେ ପଚାରିଲା ବିକାଶ ।

 

ଅନେକେ ନିରାଶା ବୋଲି ମଧ୍ୟ କହନ୍ତି ।

 

ଦାନ୍ତ ବାହାର କରି ହସିଲା ଆଶା ।

 

ଟ୍ରେ-ରୁ ଶାମୀ କାବାରର ପ୍ଲେଟ ବିଅରର୍ ବୋତଲ ଟେବୁଲ ଉପରେ ରଖିଲା ପରିବେଷଣକାରୀ ।

 

ଆଉ ଏକ ଗ୍ଲାସ୍...କହିଲା ବିକାଶ । ପରିବେଷଣକାରୀ ଚାଲିଗଲା ।

 

ଶାମୀ କାବାରର ପ୍ଲେଟଟାକୁ ଆଶା ଆଡ଼କୁ ଠେଲିଦେଇ ବିକାଶ କହିଲା—ଖାଅ...

 

ନା-ନା,—ମୁଣ୍ଡଟାକୁ ଚେୟାରର ପଛଆଡ଼େ ରଖିଲା ସେ । କହିଲା—ଆପଣ ଖାଇଲେ ମୁଁ ଖୁବ୍ ଖୁସି ହେବି...

 

ଆଚ୍ଛା—

 

ଗ୍ଲାସରେ ବିୟର ଢାଳିଲା ବିକାଶ । ଗ୍ଲାସର ପାନୀୟରେ ଓଠ ସ୍ପର୍ଶକରି କହିଲା—ତୁମେ କଣ ଖାଇବ ?

 

ବିୟର୍...

 

ହୁଇସ୍କି ତୁମେ ଖାଅନା ?

 

ଆରେ ବାବା...

 

ପରିବେଷଣକାରୀ ଆଉ ଗୋଟିଏ ଗିଲାସ ଆଣି ରଖିଦେଇ ଚାଲିଗଲା । ଗିଲାସରେ ବିୟର ଢାଳି ଆଶା ଆଡ଼େ ଆଗେଇ ଦେଲା ବିକାଶ ।

 

ପିପାସାର୍ତ୍ତ ଆଶା ଏକା ନିଶ୍ୱାସରେ ଅଧ ଗିଲାସ ପିଇ କହିଲା—ଆପଣ କାହିଁକି ବିୟର ଖାଉଛନ୍ତି ?

 

କଡ଼ା ଜିନିଷ ଖାଇଲେ ଶରୀରର କ୍ଷତି ହୁଏ, ତେଣୁ—

 

ଗଙ୍ଗାପାଣି ପିଇଲେତ ଆହୁରି ଭଲ...ଖିଲି ଖିଲି ଶବ୍ଦରେ ହସି ଉଠିଲା ଆଶା ।

 

ବିକାଶ ମଧ୍ୟ ହସିଲା । ଗିଲାସ ଶେଷକରି ସାରିବାପରେ ଦେଖିଲା ବୋତଲରେ ଆଉ ସାମାନ୍ୟ ମାତ୍ର ଅଛି । କହିଲା—ଏହି ହୋଟେଲର ମେନେଜର ଜଣେ ଅସାମାନ୍ୟା ସୁନ୍ଦରୀ ଭଦ୍ର ମହିଳା ।

 

ଭଦ୍ର ମହିଳା ନୁହେଁ, କାଳ ନାଗୁଣୀ...ଆଶାର ନିଶ୍ୱାସରେ ଉତପ୍ତ ପବନ ବାହାରି ଆସିଲା ।

 

କେତେଦିନ ହେଲା ଏଠାରେ ଅଛ ?

 

ତିନିବର୍ଷ ହେଲା ।—

 

ମୋ ସାଙ୍ଗରେ ଯିବ ?....

 

ନିଶ୍ଚୟ...ଖୁସିରେ ଆଶାର ଆଖି ଦୁଇଟି ଉଜ୍ଜଳ ଦିଶିଲା ।

 

ବିଲ୍‌ ପେମେଣ୍ଟ କରି ଆଶାକୁ ସାଙ୍ଗରେ ନେଇ ବିକାଶ ଫୁଟ୍‍ପାଥକୁ ଆସିଲା ।

 

ଟ୍ୟାକସି ଆସି ସେମାନଙ୍କ ସାମନାରେ ଠିଆ ହେଲାରୁ ଦୁହେଁ ଉଠି ବସିଲେ ।

 

କଲେଜ ଷ୍ଟ୍ରୀଟ୍...ଡ୍ରାଇଭର୍‍କୁ କହିଲା ବିକାଶ ।

 

ଆଶା ପଛ ସିଟରେ ମୁଣ୍ଡରଖି ଆଖି ବନ୍ଦ କରି ବସିଲା ।

 

ଟ୍ୟାକସି ଗଡ଼ି ଚାଲିଥାଏ ।

 

କେତକୀ ସିଂ ବୋଧହୁଏ ତୁମପରି ବାରକୁ ଆସେ ? —ପ୍ରଶ୍ନ କଲା ବିକାଶ ।

 

ନା । ସିଏତ’ ମେନେଜରଙ୍କର ବାନ୍ଧବୀ ।

 

ସୁନ୍ଦର ଝିଅଟି ଥାଏ କେଉଁଠି ?

 

ରିପନ୍ ରୋଡ଼ରେ...ଆଶାର କଣ୍ଠସ୍ୱର ଅତି ଅସ୍ପଷ୍ଟ ।

 

ନମ୍ବର ଜାଣ ? —

 

ନମ୍ୱର ଦୁଇ, ତିନି, ଏକ...ହଠାତ୍ ଯେପରି ନିଜକୁ ଫେରି ପାଇଲା ଆଶା । ସନ୍ଦେହ ପୂର୍ଣ୍ଣ ଦୃଷ୍ଟିରେ ବିକାଶ ଆଡ଼େ ଚାହିଁ କହିଲା—ଏସବୁ ପ୍ରଶ୍ନ କରୁଛନ୍ତି କାହିଁକି ?

 

ସେମିତି କିଛି ନୁହେଁ...

 

ମୁଁ ଆପଣଙ୍କ ସାଙ୍ଗରେ ଯିବି ନାହିଁ...ପାରାଳଙ୍କ ପରି ଚିତ୍କାର କରି ଉଠିଲା ଆଶା ।

 

ବାଁଧକେ...

 

ଟ୍ୟାକସି ଠିଆ ହୋଇଗଲା ।

 

ଆଶା ଦୁଆର ଖୋଲିବା ଦେଖି ବାଧା ଦେଲା ବିକାଶ । ଖଣ୍ଡିଏ ଶହେ ଟଙ୍କିଆ ନୋଟ୍ ଆଶାର ହାତରେ ଗୁଞ୍ଜି ଦେଇ କହିଲା—ସାବଧାନରେ ଥିବ । ତାହା ନହେଲେ ଥାନାକୁ ନେଇଯିବି-

 

ମ୍ଳାନ ହୋଇଗଲା ଆଶାର ମୁହଁଟି । ନୋଟ୍ ଖଣ୍ଡିକ ହାତ ମୁଠାରେ ଚାପି ଧରି ଫୁଟ୍‍ପାଥରେ ଓହ୍ଲାଇ ପଡ଼ିଲା ।

 

ଚଲିୟେ ସର୍ଦ୍ଦାରଜୀ । ସିଧା—

 

ଟ୍ୟାକସିର ଇଞ୍ଜିନ୍ ଗର୍ଜି ଉଠିଲା ।

 

ରିପନ୍ ରୋଡ଼ ।

 

ଘରର ନମ୍ବର ଦେଖି ଦେଖି ଯାଉଥାଏ ବିକାଶ ।

 

ସମ୍ମୁଖରେ ପ୍ରାୟାନ୍ଧକାରରେ ଠିଆ ହୋଇଥାଏ ଆକାଶ ରଙ୍ଗର ଖଣ୍ଡିଏ ଫିଆଟ୍ ।

 

ଗାଡ଼ି ଖଣ୍ଡିକ ଏଠାରେ କାହିଁକି ରହିଛି ?

 

କିଏ— ?

 

ବସୁଧା ମୁଣ୍ଡ ଉପରକୁ ଅବଗୁଣ୍ଠନ ଟାଣି ଦେଇ ଅତି ବ୍ୟସ୍ତଭାବେ ଆସି ଫିଆଟରେ ବସିଲା ।

 

ଇଞ୍ଜିନରୁ ମୃଦୁ ଶବ୍ଦ ଉଠି ସାମ୍ନା ଆଡ଼େ ଗଡ଼ିଗଲା ଗାଡ଼ି ଖଣ୍ଡିକ ।

 

ଦୁଇ-ତିନି-ଏକ ନମ୍ବର ଘର । ବସୁଧା ତାହାହେଲେ କେତକୀ ପାଖକୁ ଆସିଥିଲା ।

 

ଦୁଆର ମୁହଁରେ ଆସି ଠିଆହେଲା ବିକାଶ ।

 

ଦୁଆର ଭିତର ଆଡ଼ୁ ବନ୍ଦ ।

 

କବାଟ ଉପରେ ମୃଦୁ ଶବ୍ଦ କଲା ବିକାଶ ।

 

କିଏ ? —ଭିତରୁ କିଏ କହିଲା ।

 

ମୁଁ…

 

ବାସି ଫୁଲପରି ବିବର୍ଣ୍ଣ ଦେଖାଯାଉଥାଏ କେତକୀର ମୁହଁଟି । ବହୁ ବାଧା ବେଦନାରେ ତାର ଯୌବନ ଯେପରି ପାଂଶୁବର୍ଣ୍ଣ ଧାରଣ କରିଛି ।

 

କଣ ଚାହାନ୍ତି ? ...ସହଜ କଣ୍ଠରେ ପ୍ରଶ୍ନ କଲା କେତକୀ ।

 

ସିଂ-କୀଙ୍କ ସାଙ୍ଗରେ ଦେଖା କରିବାକୁ ଚାହେଁ ।

 

ସେ ଅସୁସ୍ଥ...

 

ତେବେସୁଦ୍ଧା ଦେଖା କରିବାକୁ ହେବ ।

 

ଗଳାରେ ବେଶ୍ ଜୋର୍ ଦେଇ କହିଲା ବିକାଶ ।

 

ଯାହା କହିବାର ମୋତେ କହନ୍ତୁ...କେତକୀ ଦୁଆର ଆଗୁଳେଇ ଥାଏ ।

 

ବିକାଶ ଦେଖିଲା ସେ ତାକୁ ଭିତରକୁ ଛାଡ଼ିବ ନାହିଁ । ତଥାପି ଏପରି ଅବସ୍ଥାରେ ବାହାରେ ଠିଆହୋଇ କଥାବାର୍ତ୍ତା କରିବା ଆଦୌ ନିରାପଦ ନୁହେଁ । ହଠାତ୍ ସେ କେତକୀର ପାଖ ଦେଇ ଭିତରେ ଆସି ଠିଆହେଲା ।

 

ଯାଉଛନ୍ତି କୁଆଡ଼େ ! —କେତକୀ ଆତଙ୍କିତ ହୋଇ ଉଠିଲା ।

 

ବିକାଶ ପକେଟରୁ ଚକିତରେ ରିଭଲ୍‍ଭର ବାହାର କରି କହିଲା—ଦୁଆର ବନ୍ଦ କରି ଦିଅନ୍ତୁ—

 

ପ୍ରଚଣ୍ଡ ଭୟରେ କେତକୀ ଦୁଆର ବନ୍ଦ କରି ଛିଟିକିଣି ଲଗାଇ ଦେଲା ।

 

ସିଂଜୀଙ୍କ ପାଖକୁ ଚାଲନ୍ତୁ...ରିଭଲ୍‍ଭର୍‍ର ଇଙ୍ଗିତ କଲା ବିକାଶ ।

 

ଭୀତା ହରିଣୀ ପରି ସମ୍ମୁଖସ୍ଥ ଗୋଟିଏ ଘର ଭିତରକୁ ଆସିଲା କେତକୀ ।

 

ବିକାଶ ଆସିଲା ପଛେ ପଛେ ।

 

ବାବୁଜୀ ! —

 

ଶଯ୍ୟାରେ ଶୟନରତ ହିମାଳୟ ସିଂ-କୁ ଜାପୋଟି ଧରି କାନ୍ଦି ପକାଇଲା କେତକୀ ।

 

ରିଭଲଭରଟାକୁ ପକେଟରେ ରଖିଲା ବିକାଶ । ବିଶେଷ ଏକ କାଇଦାରେ ସେ ସମ୍ମାନ ଜଣାଇଲା ହିମାଳୟ ସିଂଙ୍କୁ । କହିଲା—ରାଜା ହିମାଳୟ ସିଂ କି ଜୟ ! —

 

ଶଯ୍ୟାପାଖକୁ ଆଗେଇ ଆସିଲା ସେ । ମୃଦୁ କଣ୍ଠରେ କହିଲା—ମୋର ବିଶ୍ୱାସ ଆପଣ ନିଜ ବଂଶର ମର୍ଯ୍ୟାଦା କଥା ନିଶ୍ଚୟ ଭୁଲି ନାହାନ୍ତି ।

 

ତାହା କି ଭୁଲି ହୁଏ ? —

 

ତାହାହେଲେ ସଇତାନ ଦସ୍ୟୁ ଦଳରେ ଯୋଗ ଦେଇଛନ୍ତି କାହିଁକି ? ...କଠିନ କଣ୍ଠସ୍ୱର ବିକାଶର ।

 

ନା । —ଆର୍ତ୍ତନାଦ କରି ଉଠିଲେ ହିମାଳୟ ସିଂ । କହିଲେ—ସେମାନେ ମୋତେ ହତ୍ୟା କରିବେ ବୋଲି ଭୟ ଦେଖାଇଛନ୍ତି ।

 

କାହିଁକି ?

 

କାଳେ ସେମାନଙ୍କ ସାଙ୍ଗରେ ମୁଁ ଦିଲ୍ଲୀ ନ ଯାଏ—

 

କୁମାର ସିଂ-ଙ୍କର ଅତୁଳ ବୈଭବ ତାହାହେଲେ ଏହିପରି ଭାବେ ସେମାନେ ହସ୍ତଗତ କରିବାକୁ ଚାହାନ୍ତି ?

 

ହଁ...

 

ପୁଲିସର ଆଶ୍ରୟ ନେଲେ ନାହିଁ କାହିଁକି ?

 

ସମୟ ପାଇ ନଥିଲି...

 

ମୁଦିଟି କେଉଁଠାରେ ?

 

ବସୁଧା ପାଖରେ ଅଛି...

 

କେତକୀ ଏହି ସମୟରେ ପଚାରିଲା—ଆପଣ କିଏ ?

 

ବିକାଶ ଚୌଧୁରୀ...

 

କେତକୀ ଚମକି ପଡ଼ିଲା । ଆଖି ଦୁଇଟି ତାର ବେଶ ବଡ଼ ବଡ଼ ଦେଖାଗଲା । ହଠାତ୍ ତାର ମନେ ପଡ଼ିଗଲା ବସୁଧାର କଥା, ବିକାଶ ଚୌଧୁରୀ ଖୁବ୍ ସାଙ୍ଘାତିକ ବ୍ୟକ୍ତି । ନିଖୁଣ ଛଦ୍ମବେଶ ସେ ଧରିପାରେ । ପବନରେ ମିଶି ଯାଇପାରେ । ଯେ କୌଣସି ଲୋକ ମଧ୍ୟରୁ ତାର ଆବିର୍ଭାବ ଘଟିପାରେ । କେତକୀର ମୁହଁରେ ପୁଣି ଫୁଟି ଉଠିଲା ପ୍ରଶାନ୍ତ ହସ । କହିଲା—ବସୁଧା କିନ୍ତୁ ଆପଣଙ୍କର ନାମ ଶୁଖିଲେ ଭୟ କରେ ।

 

ବସୁଧା ସହିତ ପରିଚୟ ହେଲା କିପରି ? —

 

ସେ ନିଜେ ମୋତେ ଖୋଜି ଆବିଷ୍କାର କରିଛି ।

 

ଆକୁଳ ମିନତି ଜଣାଇଲା କେତକୀ—ମୋର ବାପାଙ୍କର ଜୀବନ ରକ୍ଷା କରନ୍ତୁ । ସେମାନେ ଆମର ସମସ୍ତ ବରଂ ନିଅନ୍ତୁ, ବାପାଙ୍କର ପ୍ରାଣଟିକକ ଯେପରି ଦୟା କରନ୍ତି ।

 

ଦିଲ୍ଲୀ କେବେ ଯାଉଛନ୍ତି ?

 

ଆଜି ଭୋର ଟ୍ରେନରେ—

 

ବିକାଶ ଚଞ୍ଚଳ ହୋଇ ଉଠିଲା । କହିଲା—ଭୟ କରିବାର କିଛି ନାହିଁ । ସାଙ୍ଗେ ସାଙ୍ଗେ ପୁଲିସ ଫୋର୍ସ ଆସି ଚାରିଆଡ଼େ ଘେରାଉ କରିନେବେ ।

 

କାହାରିକୁ କୌଣସି ପ୍ରକାର କଥା କହିବାର ସୁଯୋଗ ନ ଦେଇ ଘର ଛାଡ଼ି ବାହାରକୁ ଆସିଲା ବିକାଶ । ପ୍ରାୟ ଦୌଡ଼ି ଦୌଡ଼ି ସେ ଗୋଟିଏ ଦୋକାନରେ ଆସି ପହଞ୍ଚି ସେଠାକାର ଫୋନ୍ ନେଇ ଡାଏଲ୍ କଲା ପୁଲିସ୍ ହେଡ଼ କ୍ୱାଟରକୁ ।

 

ହଁ, ମୁଁ କହୁଛି ମି-ସେନ୍ ! ଦୁଇ-ତିନି-ଏକ-ରିପନ୍ ରୋଡ଼୍‍ର ଘରଟାକୁ ମିଲିଟାରୀ ପୁଲିସ୍ ଦେଇ ଘେରାଉ କରନ୍ତୁ । —ହଁ, ହିମାଳୟ ସିଂ ଏଇଠାରେ ଅଛନ୍ତି । କିଛି ଫୋର୍ସ ନେଇ ଆପଣ ଚାଲିଆସନ୍ତୁ ଅଳକା ବାର୍‍କୁ । ରେଡ୍ କରିବାକୁ ହେବ —ବି କୁଇକ୍ ।—

 

ଫୋନ୍ କଲାପରେ ଫୁଟ୍‍ପାଥକୁ ଆସିଲା ବିକାଶ । ପାଞ୍ଚମିନିଟ୍ ଭିତରେ ଟ୍ୟାକସି ସେ ପାଇଲା ।

 

ଅଳକା ବାର ।

 

ଦାନ୍ତ ଚିପି ଚିପି ମନେ ମନେ କହିଲା ବିକାଶ ।

 

ଟ୍ୟାକସି ଠିଆହେଲା ।

 

କାଚ ଦରଜା ଠେଲି ଭିତରକୁ ଆସି ଚମକି ପଡ଼ିଲା ସେ ।

 

ମହେଶ ପ୍ରଧାନ ଓ ଅଲ୍ଲ କଥାବର୍ତ୍ତା ହେଉଛନ୍ତି ।

 

ତେବେ କି ?

 

ମୁହଁର ଚମଡ଼ା ଶକ୍ତ ହୋଇଗଲା ବିକାଶର ।

 

ଆଲ୍ଲି ଆଉ ଗୋଟିଏ ରୁମ୍‌କୁ ଚାଲିଗଲା ।

 

ମି-ପ୍ରଧାନ ହାଲୁକା ଦୃଷ୍ଟିରେ ତାଆଡ଼େ ଚାହିଁ ଗିଲାସରେ ଓଷ୍ଠ ସ୍ପର୍ଶ କଲେ ।

 

ଚାରିଆଡ଼ ଦେଖି ନେଇ ବିକାଶ ହଲ୍ ଘରର ଶେଷ ପ୍ରାନ୍ତରକୁ ଆସିଲା । ପଛଆଡ଼ଟା ଦେଖି ନେଇ ଷ୍ଟେୟାରକେସ୍ ଦେଇ ଉପରକୁ ଉଠି ବସୁଧାର ଚେମ୍ୱରର ଦୁଆର ମୁହଁରେ ଆସି ଠିଆହେଲା । ଅକମ୍ପିତ ହାତରେ କଲିଂବେଲର ବୋତାମରେ ଚାପ ଦେଇ ପକେଟରୁ ରିଭଲ୍‍ଭର୍ ବାହାର କରି ଶକ୍ତ ମୁଷ୍ଟିରେ ଧରିଲା ।

 

ଟୁଂ-ଟାଂ ଶବ୍ଦ ଶୁଭିଲା ।

 

ବାଁ ହାତରେ ଦୁଆର ମେଲାକରି ଭିତରେ ଆସି ଠିଆ ହେଲା ବିକାଶ ।

 

କିଏ ? —ବିରକ୍ତିପୂର୍ଣ୍ଣ କଣ୍ଠସ୍ୱର ବସୁଧାର । ବିକାଶ ହସିଲା । ଛୋଟ ଛୋଟ ପାଦ ପକାଇ ଟେବୁଲ ପାଖରେ ଆସି ଠିଆହେଲା ।

 

କ’ଣ ଚାହାନ୍ତି ? —ଶାଣିତ ଦୃଷ୍ଟିରେ ଚାହିଁଲା ବସୁଧା ।

 

ମୁଦି...ଚକିତରେ ସେ ରିଭଲଭର ବାହାରକରି ବସୁଧାର ଦୃଷ୍ଟି ଆକର୍ଷଣ କରାଇଲା ।

 

କିଏ ଆପଣ ?

 

ବିକାଶ ଚୌଧୁରୀ । —ଆଉ ଟିକିଏ ଆଗେଇ ଆସିଲା କହୁ କହୁ ବିକାଶ ।

 

ବସୁଧା ଭୀତହୋଇ ପଡ଼ିଲା । ଦ୍ରୁତ ହାତରେ ଟେବୁଲ ଉପରୁ ସ୍ୱର୍ଣ୍ଣ ନିର୍ମିତ ପକ୍ଷୀଟିକୁ ଉଠାଇ ନେଇ ଦୁଇପାଦ ଚାଲି ଆସିଲା ।

 

ମୁଦିଟି ମୋର ଦରକାର... ବଜ୍ରଗମ୍ଭୀର କଣ୍ଠସ୍ୱର ବିକାଶର ।

 

ଚାଲି ଯାଅନ୍ତୁ ଏ ଘରୁ—ଚିତ୍କାର କରି ଉଠିଲା ବସୁଧା । ପାଖ ଦରଜା ଦେଇ ପଳାଇ ଯିବାକୁ ଚେଷ୍ଟା କଲା ସେ ।

 

ଦୌଡ଼ିଆସି ବିକାଶ ତାର ସାମନାରେ ଠିଆ ହୋଇଗଲା । ରିଭଲଭର ଉଠାଇ କହିଲା–ଫାୟାର କରିବାରେ ମୋର ଆଦୌ କଷ୍ଟ ହେବନାହିଁ ।

 

ସତେ ନା କ’ଣ ? —ଆଶ୍ଚର୍ଯ୍ୟଭାବେ ଖିଲ୍ ଖିଲ୍ ଶବ୍ଦରେ ହସି ଉଠିଲା ବସୁଧା । ହଠାତ୍ ହସ ବନ୍ଦକରି କହିଲା—ଆପଣ ଖୋଜି ନିଅନ୍ତୁ ।

 

ବିକାଶର ଦୃଷ୍ଟି ଆସି ପଡ଼ିଲା ବସୁଧା ହାତରେ ଧରିଥିବା ପକ୍ଷୀଟି ଉପରେ । ଚିଲାମାରି ପକ୍ଷୀଟିକୁ ଛଡ଼ାଇ ନେବା ସଙ୍ଗେ ସଙ୍ଗେ ପଛଆଡ଼ୁ ଶୁଣାଗଲା ଗୁଳିର ଶବ୍ଦ । ଗୋଟିଏ ଗରମ ସୀସା କାନ୍ଧରେ ଆସି ବାଜିଲା । ତଳେ ପଡ଼ୁ ପଡ଼ୁ ସେ ନିଜକୁ ସମ୍ଭାଳି ନେଇ ଘର ଭିତରେ ଯେତେ ଗୁଡ଼ିଏ ବଲ୍‍ବ ଥିଲା ଗୁଳିକରି ସବୁ ଗୁଡ଼ିକ ଭାଙ୍ଗି ପକାଇଲା ।

 

ନିଃଶ୍ଛିଦ୍ର ଅନ୍ଧକାର ଘର ଭିତରେ ।

 

ବିକାଶ ଗଡ଼ି ଗଡ଼ି ଟେବୁଲ୍ ତଳକୁ ଚାଲି ଆସିଲା । ଅନେକ ଗୁଡ଼ିଏ ଗୋଳାଗ୍ନି ଘରର ଚାରିଆଡ଼େ ପଡ଼ିବାର ଦେଖାଗଲା ।

 

ଆ-ମିଥ୍ୟା ମରଣ ଆର୍ତ୍ତନାଦ କଲା ବିକାଶ ।

 

କେଉଁମାନେ ଯେପରି ଘରଭିତରୁ ବାହାରି ବାହାରକୁ ଚାଲିଗଲେ ।

 

ଅନ୍ଧକାରରେ କାନ୍ଥକୁ ଧରି ଧରି ଦୁଆର ମୁହଁକୁ ଆସିଲା ସେ । ବାହାରଟା ମଧ୍ୟ ଅନ୍ଧକାରାଚ୍ଛନ୍ନ । ତଳଘରେ ଖଣ୍ଡଯୁଦ୍ଧ ଚାଲିଥାଏ ।

 

ତଳକୁ ଆସିଲା ବିକାଶ । ଫୁଟ୍‍ପାଥକୁ ଆସି ବାଁ ହାତରେ ସୁନାର ପକ୍ଷୀଟିକୁ ପକେଟରେ ରଖୁ ରଖୁ ଦେଖିଲା, ନିକଟସ୍ଥ ସରୁ ଗଳି ଭିତରେ ଗୋଟିଏ କଳା ରଙ୍ଗର ଆମ୍ବାସଡ଼ର ତୀବ୍ରଗତିରେ ପଶିଗଲା । ଭିତରେ ଥିଲେ ବସୁଧା ଓ ଆଉ କେତେଜଣ ।

 

ପୁଲିସ୍‍ଭ୍ୟାନ୍ ଓ ଜିପ୍‍ବ୍ରେକ୍ କରି ଠିଆ ହେଲା ।

 

ମି-ଚୌଧୁରୀ ! —ଚିତ୍କାର କରି ଉଠିଲେ ଲାଲବଜାରର ଇନିସ୍‌ପେକ୍ଟର ସୁଭାଷ ସେନ୍-। —ଭୀଷଣ ଭାବେ ରକ୍ତ ପଡ଼ୁଛି ଆପଣଙ୍କ କାନ୍ଧରୁ...

 

ନାଁ ମୋର କିଛି ହୋଇନାହିଁ । ଏହି ଗାଡ଼ିଟାକୁ ଫଲୋକରନ୍ତୁ । ଅସହିଷ୍ଣୁ କଣ୍ଠରେ କହି ବିକାଶ ଜୀପରେ ଆସି ବସିଲା ।

 

ଆମ୍ବାସାଡ଼ରର ପଛେ ପଛେ ଜୀପ୍ ଓ ପୋଲିସ ଭ୍ୟାନ୍ ଦୌଡ଼ୁଥାଏ ।

 

ତିରିଶ—ଚାଳିଶ...

 

ଅସମ୍ଭବ ସ୍ପୀଡ଼୍ ।

 

ଦୁର୍ଘଟଣା ଘଟିବା କିଛି ଅସମ୍ଭବ ନୁହେଁ ।

 

ଆମ୍ୱାସାଡ଼ାର ବ୍ରେକ୍ କଲା ।

 

ଦୁଆର ଖୋଲି ସମସ୍ତେ ନଦୀ କୂଳକୁ ଆସିଲେ । ଛୋଟ ମଟର ଲଞ୍ଚର ଇଞ୍ଜିନ୍ ଗର୍ଜି ଉଠିଲା ।

 

ପକ୍ଷୀଟା ଦିଅ । ...ହଠାତ୍ ଥମକି ଠିଆହୋଇଗଲା ଅଲ୍ଲୀ ।

 

ବିକାଶ ଚୌଧୁରୀ ନେଇ ଯାଇଛି...ମ୍ଳାନ କଣ୍ଠସ୍ୱର ବସୁଧାର ।

 

ହୁଆଟ୍...ଚିତ୍କାର କରି ଉଠିଲା ଅଲ୍ଲୀ । ବସୁଧା କୌଣସି ଉତ୍ତର ଦେଇ ପାରିଲା ନାହିଁ ।

 

ଆଉ ଡେରି କରନ୍ତୁ ନାହିଁ । ପୁଲିସର ଗାଡ଼ି ଆଗେଇ ଆସୁଛି...କିଏ ଜଣେ ଚିତ୍କାର କରି କହିଲା । ବସୁଧାକୁ ନେଇ ମି-ଅଲ୍ଲୀ ଦୌଡ଼ିଆସି ଲଞ୍ଚରେ ଉଠିଲା ।

 

ସଙ୍ଗେ ସଙ୍ଗେ ବହୁ ଢେଉତୋଳି ରାତ୍ରିର କୃଷ୍ଣବର୍ଣ୍ଣ କୃଷ୍ଣ ଜଳରାଶି ଉପର ଦେଇ ତୀବ୍ର ଗତିରେ ଆଗେଇ ଚାଲିଥାଏ ମୋଟର ଲଞ୍ଚ ।

 

ପାଣି-ପୁଲିସ ବିଭାଗକୁ ଖବର ପଠାଅ...କହିଲା ବିକାଶ ।

 

ସୁଭାଷସେନ୍ ଓ୍ୟାରଲେସ୍ ଭ୍ୟାନ୍ ପାଖକୁ ଆସିଲେ । ବିକାଶ ଦେଖୁଥାଏ । ଲାଞ୍ଚଟା ଅନେକ ଦୂର ଚାଲିଗଲାଣି ।

 

ହଠାତ୍ ଟର୍ଚ୍ଚଲାଇଟ୍‍ର ଆଲୋକ ଆସି ପଡ଼ିଲା । ପୁଲିସର ଲଞ୍ଚ ଆସୁଛି । ଏ ଲଞ୍ଚର ଗତି ମଧ୍ୟ ବଢ଼ିଲା । ଏହି ସମୟରେ ଝାଙ୍କେ ଗୁଳିର ଆଲୋକ ଫୁଲ ହୋଇ ଫୁଟି ଉଠିଲା ।

 

ଉଭୟ ପକ୍ଷରୁ ଗୁଳି ବର୍ଷଣ ଆରମ୍ଭ ହେଲା ଏଥର ।

 

ଆଉ ମାତ୍ର ଏକ ଫର୍ଲଂ । ହଁ, ଧରାପଡ଼ିବେ ସେମାନେ । ମନେ ମନେ ଉଲ୍ଲସିତ ହୋଇ ଉଠିଲା ବିକାଶ ।

 

ହଠାତ୍ ଗୋଟାଏ ବିସ୍ଫୋରଣର ଶବ୍ଦ ଶୁଭିଲା । ସେମାନଙ୍କର ଲଞ୍ଚଟା ଚାରିଫାଳ ହୋଇଗଲା । ମେଞ୍ଚା ମେଞ୍ଚା ନିଆଁ ଆକାଶକୁ ଉଠି ପୁଣି ପାଣିରେ ଆସି ପଡ଼ିଲା ।

 

ପାଣିରେ ଢେଉ ଉଠୁଛି । ନଦୀରେ ଯେପରି ନିଆଁ ଲାଗିଛି ?

 

କ’ଣ ହେଲା, ବିକାଶ ବାବୁ...

 

ସୁଭାଷ ସେନ୍‍ଙ୍କର ଗମ୍ଭୀର ଉତ୍ତେଜନା ।

 

ବୋଧହୁଏ ଧରାପଡ଼ିବା ଆଶଙ୍କାରେ ଆତ୍ମହତ୍ୟାର ଅଭିନବ ପନ୍ଥା ସେମାନେ ଅବଲମ୍ବନ କଲେ । ...କହିଲା ବିକାଶ ।

 

ଦୀର୍ଘ ନିଶ୍ୱାସ ଛାଡ଼ିଲେ ସମସ୍ତେ । ସ୍ମଗଲର୍ ଭୀମସେନ୍‍ର ଦୌରାତ୍ମ୍ୟର ତରୀ-ସମାଧି ବୋଧହୁଏ ଘଟିଲା ।

 

ରାଜ ଦରବାର ।

 

ମି-ମହେଶ ପ୍ରଧାନ ରାଜକୀୟ ଭାବେ ହଲ୍‍ଘରଟା ସଜାଇ ଥିଲେ ।

 

ମଧ୍ୟସ୍ଥଳରେ ସୁଭଚ୍ଚ ବେଦୀ ଉପରେ ଲାଲ ଭେଲ୍‍ଭେଟର କାର୍ପେଟ୍ ବିଛା ହୋଇଥାଏ । ମୂଲ୍ୟବାନ ପଥରବସା ହାତୀଦାନ୍ତର ସୁକ୍ଷ୍ମକାରୁକାର୍ଯ୍ୟ ଖଚିତ ସିଂହାସନ ପାଖରେ ସ୍ୱର୍ଣ୍ଣାଳଙ୍କାରରେ ସଜ୍ଜିତ ଗୋଟିଏ ଛୋଟ କୁସନ୍ ।

 

ଲମ୍ୱ ନୀଳ ରଙ୍ଗର କାର୍ପେଟ୍‍ର ଉଭୟ ପାଖରେ ଆଉ ଏଗାରଟି ସୁଦୃଶ୍ୟ ଆସନ ପଡ଼ିଥାଏ ।

 

ଛାତରୁ ଝୁଲୁଥାଏ ଝାଡ଼ ଲଣ୍ଠନ ।

 

ମୃଦୁ ପବନରେ ଆଲୁଅ ଗୁଡ଼ିକ ଦୋହଲିବା ସଙ୍ଗେ ସଙ୍ଗେ ଟୁଂ ଟୁଂ ଶବ୍ଦ ଉତ୍‍ଥିତ ହେଉଥିଲା ।

 

କାନ୍ଥରେ ଟଙ୍ଗା ହୋଇଥିଲା ଢାଲ, ତରବାରୀ ଓ ବର୍ଚ୍ଛା ।

 

ଏ ପାଖରେ ଲୌହ ବର୍ମ ।

 

ସାରା ଘରଟା ଭିତରେ ଅଗୁରୁ, ଚନ୍ଦନ ଓ ଧୂପର ସୁଗନ୍ଧ ସୌରଭ ।

 

ସମସ୍ତେ ଆଶ୍ଚର୍ଯ୍ୟ ଓ ମୁଗ୍ଧ ।

 

ଡେପୁଟି କମିଶନରଙ୍କୁ ଦେଖି ବିକାଶ ଆଗେଇ ଆସି ମୃଦୁ ହସି କହିଲା—ଆପଣ ଆଜି ରାଜପାର୍ଶ୍ୱଚର । ଆସନ ଗ୍ରହଣ କରନ୍ତୁ ।

 

କେମିତି ଅଛ, ବିକାଶ—ସସ୍ନେହରେ କହିଲେ ଡେପୁଟି କମିଶନର ଅଭୟ ଦାସ ।

 

ଭଲ, ସାର୍...

 

ଅଭୟ ଦାସ ଓ ସୁଭାଷ ସେନ୍ ଗଣ୍ୟମାନ୍ୟ ଅତିଥିମାନଙ୍କୁ ନିର୍ଦ୍ଦିଷ୍ଟ ଆସନରେ ବସାଇ ଯଥା ଯୋଗ୍ୟ ସମ୍ମାନ ଦେଲେ ।

 

ହଲ୍‍ର ଶେଷ ପ୍ରାନ୍ତରର ଦୁଆର ମୁହଁରେ ଅସି ଠିଆହେଲେ ମହେଶ ପ୍ରଧାନ । ତାଙ୍କ ପାଖରେ ହିମାଳୟ ସିଂ ଓ ରାଜକୁମାରୀ କେତକୀ ।

 

ସେମାନଙ୍କୁ ଦେଖି ସମସ୍ତେ ପ୍ରାୟ ବିମୂଢ଼ ହୋଇଗଲେ ।

 

ସିଂ-ବଂଶର ରାଜା ହିମାଳୟ ସିଂ ଅପୂର୍ବ ଭଙ୍ଗିମାରେ ଦଣ୍ଡାୟମାନ । ତାଙ୍କର ସର୍ବାଙ୍ଗରେ ସ୍ୱର୍ଣ୍ଣଖଚିତ ରାଜକୀୟ ପରିଚ୍ଛଦ ।

 

ରାଜକୁମାରୀ କେତେକୀର ରକ୍ତିମ ଅଧରରେ ଅପୂର୍ବ ଶାନ୍ତିର ଆଲେଖ୍ୟ ।

 

ସିଂହାସନ ଗ୍ରହଣ କରନ୍ତୁ ରାଜା ! ମୁଣ୍ଡ ନୁଆଇଁ କହିଲେ ମହେଶ ପ୍ରଧାନ ।

 

ହିମାଳୟ ସିଂ ସିଂହାସନରେ ବସିଲେ । ରାଜକୁମାରୀ କେତକୀ ତାଙ୍କ ପାଖରେ ବସିଲା-

 

ଅବଚେତନ ମନରେ ସମସ୍ତେ ସମ୍ମାନ ଦେଖାଇଲାପରେ ପୁଣି ଆସନ ଗ୍ରହଣ କଲେ ।

 

ଆଜିର ଏ ସଭା—କହିଲେ ମହେଶ ପ୍ରଧାନ—ମୋର ବଂଶର ପାପ ଲାଘବ କରିବାର ସାମାନ୍ୟତମ ପ୍ରଚେଷ୍ଟା ମାତ୍ର । ଆପଣମାନେ ମୋର ପାଗଳାମି ଦେଖି ବିରକ୍ତ ହେଉଥିବେ, କିନ୍ତୁ ମୁଁ ଯେଉଁ ଆନନ୍ଦ ଅନୁଭବ କରୁଛି—ମୋର ଆତ୍ମା ଯେ କେଡ଼େ ଶାନ୍ତିଲାଭ କରୁଛି ତାହା କେବଳ ଭଗବାନ ବୁଦ୍ଧ ଜାଣନ୍ତି ।

ତା ପରେ ବିକାଶ ଆଡ଼େ ଚାହିଁ ମି-ପ୍ରଧାନ କହିଲେ—ମି-ଚୌଧୁରୀ ! ମୁଦିଟିକୁ ଫେରାଇ ଦେବାର ସମୟ ଆଜି ଆସିଛି ।

ବିକାଶ ହସିଲା । ସୁନାର ପକ୍ଷୀଟିର ଗୋଟିଏ ଡେଣାରେ ମୃଦୁ ଚାପା ଦେବା ମାତ୍ରେ ପେଟଟା ଫାଙ୍କ ହୋଇ ତା’ ଭିତରୁ ବାହାରି ଆସିଲା ଗୋଟିଏ ନୀଳ ରେଖାରେ ଅଙ୍କିତ ନୀଳ ଗୋଲାପର ମୁଦିଟିଏ ।

ମହେଶ ପ୍ରଧାନ ହାତ ଦୁଇଟି ପ୍ରସାରିତ କରି ମୃଦୁ କଣ୍ଠରେ କହିଲେ—ମୁଦିଟି ଧାରଣ କରନ୍ତୁ ରାଜା ।

ସମସ୍ତେ ଚିତ୍କାର କରି ଉଠିଲେ —ରାଜା ହିମାଳୟସିଂଙ୍କର ଜୟ...

ଏହି ସମୟରେ ଫୋନ୍‍ଟା ଶବ୍ଦାୟିତ ହୋଇ ଉଠିଲା । ମହେଶ ପ୍ରଧାନ ରିସିଭର ନେଇ କଥାବାର୍ତ୍ତା ପରେ କହିଲେ—ଆପଣଙ୍କୁ କିଏ ଫୋନରେ ଡାକୁଛନ୍ତି, ବିକାଶବାବୁ ।

ବିକାଶ ଫୋନ୍‍ ଧରି ନିଜର ପରିଚୟ ଦେବା ପରେ ଅପର ପକ୍ଷରୁ ଶୁଣାଗଲା—ମୁଁ ଅଲ୍ଲୀ କହୁଛି ।

ତୁମେ...

ହଁ, ମୁଁ ସ୍ମଗଲର ଭୀମସେନ୍ । ପୁଣି ଦେଖାହେବ କହି ରଖୁଛି ।

ପ୍ରଚଣ୍ଡ ରାଗରେ ସେ ରିସିଭରଟାକୁ ରଖିଦେଲା ।

ତିନିବର୍ଷ ପରେ ।

ବିକାଶ ରିସିଭର୍‍ଟାକୁ କ୍ରେଡ଼େଲ୍ ଉପରେ ରଖି ଦେଇ ଥକାମାରି ବସିପଡ଼ିଲା । ନିଜ କାନକୁ ସେ ଯେପରି ବିଶ୍ୱାସ କରିପାରୁନି । ପୁଣି ତାର ଆବିର୍ଭାବ ଘଟିଛି ।

ଷ୍ଟୁଆର୍ଟ ଅଲ୍ଲୀ, ଛଦ୍ମ ବେଶୀ ସ୍ମଗଲର୍ ଭୀମସେନ୍...ହାଇଦ୍ରାବାଦରେ ପୁଣି ତାର ଆବିର୍ଭାବ ଘଟିଛି । କି ବେଶ ସେ ଏଥର ଧରିଛି, କାହା ଉପରେ ତାର ଲକ୍ଷ୍ୟ ରହିଛି ସେଇକଥା ଚିନ୍ତା କରିବାକୁ ଲାଗିଲା ବିକାଶ ।

ସୁଭାଷସେନ୍ କି ନିର୍ଭର ଯୋଗ୍ୟ ସମ୍ୱାଦ ପାଇଛନ୍ତି ? ନିଶ୍ଚୟ ପାଇଥିବେ । ତାହା ନ ହେଲେ ତାଙ୍କପରି ପୋଖତ ଗୁଇନ୍ଦା କେବେ ବାଜେ କଥାରେ ମୁଣ୍ଡ ଖେଳାଇବେ ନାହିଁ ।

ବର୍ତ୍ତମାନ ତାହାହେଲେ କଣ କରିବାକୁ ହେବ ? ହାଇଦ୍ରାବାଦ ପୁଲିସ ସହିତ ବର୍ତ୍ତମାନ ଯୋଗାଯୋଗ ସ୍ଥାପନ କରିବା ଉଚିତ କି ନୁହେଁ ? ଅବଶ୍ୟ ସେଠାକାର ପୁଲିସ ଅଧ୍ୟକ୍ଷ ମି-ନଟରାଜନଙ୍କ ସହିତ ତାର ଯଥେଷ୍ଟ ସହୃଦୟତା ଅଛି ।

କିନ୍ତୁ ସୁଭାଷସେନ୍‍ଙ୍କ ସହିତ ଥରେ ପରାମର୍ଶ କରିବା ଉଚିତ । ସିଏତ ଆସିବେ ବୋଲି କହିଛନ୍ତି...ଦେଖାଯାଉ କି ପରାମର୍ଶ ଦେଉଛନ୍ତି ସେ ।

 

ସ୍ମଗଲର ଭୀମସେନ୍—ଷ୍ଟୁଆର୍ଟ ଅଲ୍ଲୀ...

 

ଭୃତ୍ୟ ଆସି ଠିଆହେଲା । ବିକାଶ ଭସା ଭସା ଦୃଷ୍ଟିରେ ଚାହିଁଲା ତା’ ଆଡ଼େ ।

 

ଚା, ନା କଫି ଦରକାର ?

 

ଏଁ....କଫି... ଅନ୍ୟ ଚିନ୍ତାରୁ ଫେରି ଆସିଲା ସେ । ....ଯାଅ, ନେଇ ଆସ ।—

 

ହାଇଦ୍ରାବାଦର ଧନୀମାନଙ୍କର ନାମ ମନେ ପକାଇବାକୁ ଚେଷ୍ଟା କଲା ବିକାଶ । ହାଇଦ୍ରାବାଦ ସେ ବହୁଥର ଯାଇଛି । ଯିଏ କେତେଜଣ ଧନ୍ୟ ବ୍ୟକ୍ତି ଅଛନ୍ତି ପ୍ରାୟ ସେ ସମସ୍ତଙ୍କୁ ଚିହ୍ନେ...

 

ଅନନ୍ତ କଫି ଆଣି ଟେବୁଲ ଉପରେ ରଖିଲା । ବିକାଶ କପ୍‍ଟିକୁ ନେଇ ମୃଦୁସ୍ପର୍ଶ ଦେଉ ଦେଉ ଘଡ଼ି ଆଡ଼େ ଚାହିଁ ଭାବୁଥାଏ, ଆଉ ଦୁଇଘଣ୍ଟା ପରେ ସୁଭାଷସେନ ଆସିବେ । ସବୁ କଥା ତାଙ୍କ ମୁହଁରୁ ନଶୁଣିବା ଯାଏ କିଛି ତ କରାଯାଇ ପାରେନା ।

 

ବିକାଶ ଅନ୍ୟମନସ୍କଭାବେ ଟେବୁଲ ଉପରେ ଥିବା ବହିଖାତା ଉପରେ ହାତ ବୁଲାଉ ବୁଲାଉ ଗଭୀର ଚିନ୍ତାରେ ମଗ୍ନ ଥାଏ । ହଠାତ୍ ବାହାରୁ କଲିଂବେଲ ସ୍ପର୍ଶରେ ଘରଭିତର ଶବ୍ଦାୟିତ ହେଲାରୁ ସେ ଚମକିତ ହୋଇ ଅପେକ୍ଷା କରିବାକୁ ଲାଗିଲା, କେତେବେଳେ ଭୃତ୍ୟ ଅନନ୍ତ ଦ୍ୱାର ଖୋଲି ଆଗନ୍ତୁକର ପରିଚୟ ଆଣିବ ।

 

ଅନନ୍ତ ଆସିଲା, ଖଣ୍ଡିଏ ନାମାଙ୍କିତ କାର୍ଡ଼ ରଖିଦେଲା ଟେବୁଲ ଉପରେ ।

 

ବିକାଶ ଦେଖିଲା । ଲେଖାଅଛି, ରୁପନାରାୟଣ ସିଂ—ରାଜସାହେବ, ହାଇଦ୍ରାବାଦ...

 

ହାଇଦ୍ରାବାଦ । ବିକାଶ ସଚକିତ ହୋଇ ଉଠିଲା । ଦସ୍ୟୁ ଭୀମସେନ ଯେଉଁଠାରେ ରାଜତ୍ୱ ବିସ୍ତାର କରୁଛି, ରାଜାସାହେବ ଆସିଛନ୍ତି ସେଇଠାରୁ । ବୋଧହୁଏ ରାଜାଙ୍କ ଉପରେ ଦସ୍ୟୁରାଜର ଶୁଭଦୃଷ୍ଟି ପଡ଼ିଛି ।

 

ଅନନ୍ତ ଆଡ଼େ ଚାହିଁ ସେ କହିଲା—ଯାଅ, ତାଙ୍କୁ ଡାକି ଆଣିବ...

 

ଅନନ୍ତ ସମ୍ବାଦ ଦେବାକୁ ଚାଲି ଯାଉଥିଲା, ବିକାଶ ପୁଣି ପଛରୁ ଡାକି କହିଲା—ତୁମେ ରୁହ, ମୁଁ ନିଜେ ଯାଉଛି...

 

ବିକାଶ ଆସି ବୈଠକଖାନାରେ ପହଞ୍ଚିଲା । କଥିତ ରାଜାସାହେବ ସେତେବେଳେ ଟେବୁଲ ଉପରେ ମୁଣ୍ଡ ରଖି ବୋଧହୁଏ ଘୁମେଇ ପଡ଼ିଥିଲେ, ବିକାଶର ଆଗମନ ଜାଣି ପାରିଲେନି-

 

ବିକାଶ ମୁହୂର୍ତ୍ତକ ମଧ୍ୟରେ ସ୍ଥିର କରିନେଲା, ଲୋକଟିର ରାତ୍ରି ଜାଗରଣର କ୍ଳାନ୍ତି ଦୂର ହୋଇନି, ତେଣୁ ସେ ବସୁ ବସୁ ନିଦ୍ରା ଯାଇଛନ୍ତି । ତାଙ୍କର ବିଶ୍ରାମର ପ୍ରୟୋଜନ । ବର୍ତ୍ତମାନ ନ ଉଠାଇ ବରଂ ଲୋକଟି ଆଉ କିଛି ସମୟ ବିଶ୍ରାମ କରୁ ।

ଦୁଆରଟାକୁ ଆଉଜାଇ ଦେଇ ବିକାଶ ଘରର ପଙ୍ଖାଟାକୁ ଚଲାଇ ଦେଲା । ଚେୟାରଟିକୁ ଟିକିଏ ଦୂରେଇ ଆଣି ନିଜେ ସେଇଠାରେ ବସି ଅପେକ୍ଷା କରିବାକୁ ଲାଗିଲା ।

କେତେଗୁଡ଼ିଏ ମୁହୂର୍ତ୍ତ ଅତିବାହିତ ହୋଇଗଲା । ଏକ ସମୟରେ ଟେବୁଲ ଉପରୁ ମୁଣ୍ଡ ଉଠାଇ ଆଗନ୍ତୁକ ହାଇମାରି ଅଳସ ଭାଙ୍ଗି ଚାରିଆଡ଼େ ଦୃଷ୍ଟି ବୁଲାଇବାକୁ ଲାଗିଲେ । ବିକାଶ ଗୋଟିଏ କୋଣରେ ବସିଥିଲା ବୋଲି ସେ ହଠାତ୍ ତାକୁ ଦେଖିପାରି ନ ଥିଲେ, କିନ୍ତୁ ବିକାଶ ନିଜେ ଆତ୍ମ ପ୍ରକାଶକରି କହିଲା,— ନମସ୍କାର, ରାଜାସାହେବ !

ଆଗନ୍ତୁକ ଚମକି ପଡ଼ିଲେ । ବିସ୍ମିତ ଦୃଷ୍ଟିରେ ଚାହିଁଲେ ବିକାଶ ଆଡ଼େ । କହିଲେ—ଆପଣ ମି...

ବିକାଶ ଚୌଧୁରୀ, ଆପଣ ଯାହାଙ୍କ ପାଖକୁ ଆସିଛନ୍ତି ।

ନମସ୍କାର....ଆଗନ୍ତୁକ ଚେୟାରରୁ ଉଠିବାକୁ ଯାଉଥିଲେ, ବିକାଶ ବାଧାଦେଇ କହିଲା–ଆପଣ ବସନ୍ତୁ, ରାଜାସାହେବ ।

ମୁଁ ରାଜାସାହେବ ରୁପନାରାୟଣ ସିଂ ନୁହେଁ, ବିକାଶବାବୁ । ମୁଁ ତାଙ୍କର ସେକ୍ରେଟାରୀ ରଜତ ସାମନ୍ତ ।

ଆଇ-ସି....

ମୁଁ ରାଜାସାହେବଙ୍କର ପ୍ରତିନିଧି ହିସାବରେ ଏଠାକୁ ଆସିଛି, ଚୌଧୁରୀ ସାହେବ ।

ଠିକ୍ ଅଛି । ରାତିସାରା ବୋଧହୁଏ ଆପଣ ଅନିଦ୍ରା ହୋଇଛନ୍ତି । ଲଗେଜ୍ ରଖିଲେ କେଉଁଠି ?

ହୋଟେଲ ପାରାଡ଼ାଇସ୍‍ରେ ରଖିଆସିଛି...

ଆପଣ ଏକା ଆସିଛନ୍ତି ନା, ସାଙ୍ଗରେ ଅନ୍ୟ କେହି ଆସିଛନ୍ତି ?

ନା, ମୁଁ ଏକା ଆସିଛି...

ଆପଣଙ୍କର ବୋଧହୁଏ ନିତ୍ୟକର୍ମ ସମାପିତ ହୋଇନି ? ବସନ୍ତୁ ଆଗେ ମୁଁ ଚା’ର ବନ୍ଦୋବସ୍ତ କରେ ।

ନା ନା, ମୋ ପାଇଁ ବ୍ୟସ୍ତ ହେବେନି । ମୁଁ ଯେଉଁ ଦାୟିତ୍ୱ ନେଇ ଆସିଛି ତାହା ଆଗେ ଆପଣଙ୍କୁ ବୁଝାଇଦିଏ ।

ମୁଁ ବୁଝିଛି, ରଜତବାବୁ ! ଦସ୍ୟୁ ଭୀମସେନ୍ ନିଶ୍ଚୟ ମହାରାଜାଙ୍କର କୌଣସି ମୂଲ୍ୟବାନ ସମ୍ପତ୍ତି ଉପରେ ଦୃଷ୍ଟି ଦେଇଛି ?

ବିସ୍ମିତ ହେଲେ ରଜତ ସାମନ୍ତ । କହିଲେ—ଆପଣ ଜାଣିଲେ କିପରି ? ଅବଶ୍ୟ ଆପଣଙ୍କର ସନ୍ଦେହ ଆ°ଶିକ ସତ୍ୟ । ଦସ୍ୟୁ କବଳରେ ସେ ପଡ଼ିଛନ୍ତି, ମାତ୍ର ସେ ଦସ୍ୟୁ ଭୀମସେନ କି ନୁହେଁ ତାହାତ’ ଆମେ ଜାଣୁନା । ଯାହା ହେଉ, ମୋ ଉପରେ ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ହେଉଛି—ଆଜି ରାତି ଗାଡ଼ିରେ ଆପଣଙ୍କୁ ନେଇ ହାଇଦ୍ରାବାଦ ଯିବି । ଆପଣ ପ୍ରତିଶ୍ରୁତି ଦେଲେ ମୁଁ ନିଶ୍ଚିନ୍ତ ମନରେ ହୋଟେଲକୁ ଫେରିପାରିବି ।

ବିକାଶ ମୁହୂର୍ତ୍ତେ ଚିନ୍ତା କରି କହିଲା—ମୁଁ, ମାନେ...

ଦ୍ୱିଧା ଦେଖି ରଜତ ବାବୁ କହିଲେ—ଆପଣଙ୍କର କୌଣସି ଅସୁବିଧା ହେବନି, ମି-ଚୌଧୁରୀ । ଆମେ ମେଲରେ ଯିବୁ ଏବଂ ଟ୍ରେନ୍‍ରୁ ଓହ୍ଲାଇବା ସଙ୍ଗେ ସଙ୍ଗେ ରାଜାସାହେବ ଠିକ୍ ଗାଡ଼ି ପହଞ୍ଚିବାର ସମୟ ଦେଖି ତାଙ୍କର ଗାଡ଼ି ଷ୍ଟେସନ ପାଖକୁ ପଠାଇଥିବେ । ତା’ ଛଡ଼ା ଆପଣ ଯାହା ଭାବୁଛନ୍ତି, ଆପଣଙ୍କର ପାରିଶ୍ରମିକ ନିଶ୍ଚୟ ଆଶାତୀତ ହେବ, ଏ ବିଷୟରେ ମୁଁ ଗ୍ୟାରେଣ୍ଟି ଦେଇପାରେ ।

 

ନା-ନା, ମୁଁ’ ସେ ବିଷୟ ନେଇ ଚିନ୍ତା କରୁନି, ହାତରେ ଅନେକ ଗୁଡ଼ାଏ କାମ ଅଛି, ସେଥିପାଇଁ—

 

ମୋର ମନେହୁଏ ରାଜାସାହେବ ଆପଣଙ୍କୁ ବେଶିଦିନ ବୋଧହୁଏ ଅଟକାଇ ରଖିବେନି-

 

କିନ୍ତୁ, କିପରି ଧରଣର କାର୍ଯ୍ୟ—ତାହା ମୋ ଦ୍ୱାରା ସମାଧାନର ସମ୍ଭବ କି ନୁହେଁ ଏହା ଯେତେବେଳ ପର୍ଯ୍ୟନ୍ତ ନ ଜାଣିଛି, ପ୍ରସ୍ତୁତ ହୋଇ ଯିବି କିପରି ? ...ବିକାଶ କୁଣ୍ଠିତ ସ୍ୱରରେ କହି ଭୃତ୍ୟ ଅନନ୍ତକୁ ଉଚ୍ଚସ୍ୱରରେ ଡାକିଲା ।

 

ଡାକ ଶୁଣି ଅନନ୍ତ ଆସିଲା । ବିକାଶ ତାକୁ ଦୁଇକପ୍ କଫି ପାଇଁ ନିର୍ଦ୍ଦେଶ ଦେଇ ଅନନ୍ତ ଚାଲିଗଲା ପରେ କହିଲା—ଆପଣ କାର୍ଯ୍ୟ ସମ୍ୱନ୍ଧରେ କିଛି ହିଣ୍ଟସ୍ ଦେଇପାରିବେ ?

 

ଦେଖନ୍ତୁ, ମି-ଚୌଧୁରୀ ! ଯଦିଓ ମୁଁ ରାଜାସାହେବଙ୍କ ସେକ୍ରେଟରୀ, ତଥାପି ଏପରି କେତେକ ବିଷୟ ଅଛି ଯାହା ମୁଁ ଆଦୌ ଜାଣିପାରେନା । ତହିଁମଧ୍ୟରୁ ଅନେକ ସମୟରେ କେତେପ୍ରକାର ଉଡ଼ା ଖବର ମୋ କାନରେ ଆସି ବାଜେ, କେଉଁଟା ସତ ହୋଇଥାଏ, କେଉଁଟା ନିରୋଳା ମିଥ୍ୟା । ତେବେ ଏ କ୍ଷେତ୍ରରେ ଯାହା ଶୁଣିଛି—କୌଣସି ଏକ ଦସ୍ୟୁ ରାଜାଙ୍କ ସହିତ ବ୍ଲାକ୍ ମେଲିଂ କରିବାକୁ ବସିଛି ।

 

ବିକାଶର ଅଧର ପ୍ରାନ୍ତରରେ ହସର ରେଖାଟିଏ ଦେଖାଗଲା, ପଚାରିଲା—ଏ ସମ୍ୱାଦଟି ଯେ ଉଡ଼ାଖବର ନୁହେଁ ତାହା ଜାଣିଲେ କିପରି ?

 

ନା’ ଉଡ଼ା ଖବର ନୁହେଁ । ଯେହେତୁ ସମ୍ବାଦଟିକୁ ମୁଁ ରାଜାସାହେବଙ୍କ ମୁହଁରୁ ଶୁଣିଛି । କିନ୍ତୁ କଣ ପାଇଁ ବ୍ଲାକ୍‍ମେଲିଂ, ଆପଣ ସେଠାରେ କି ଭୂମିକା ନେବେ ତାହା ମୁଁ ଜାଣେନା । ରାଜାସାହେବଙ୍କୁ କୌଣସି ପ୍ରଶ୍ନ କରିବାର କ୍ଷମତା ମୋର ନାହିଁ ।

 

ଭୃତ୍ୟ କପ୍ ଦୁଇଟି ଟେବୁଲ ଉପରେ ଆଣି ରଖିଲା । ଉଭୟେ କପ୍ ଉଠାଇ ନେଲେ । ବିକାଶ କପ୍‍ଟିରେ ଥରେ ଦୁଇଥର ମୃଦ ସ୍ପର୍ଶ ଦେଇ ପଚାରିଲା—ଆପଣ କେତେଦିନ ହେବ ରାଜାସାହେବଙ୍କ ପାଖରେ ଅଛନ୍ତି ?

 

ରଜତବାବୁ ଧୀର କଣ୍ଠରେ କହିଲେ—ମୋର ନିଯୁକ୍ତି ମେନେଜର ପଦରେ । ପ୍ରଥମେ ମୋର ବାବା ଏହି ପଦରେ ଥିଲେ । ମୁଁ ଏମ-ଏ ପରେ ଓକିଲାତି ପାସ କରିବା ସଙ୍ଗେ ସଙ୍ଗେ ବାବା ଦିନେ ମୋତେ ରାଜା ସାହେବଙ୍କ ପାଖକୁ ନେଇ ଆସି ପରିଚୟ କରାଇଦେବା ପରେ କହିଥିଲେ—ତାଙ୍କର କାର୍ଯ୍ୟ କଲାଭଳି କ୍ଷମତା ଆଉ ନାହିଁ, ଯଦି ମୋତେ ସେହି ପଦଟି ଅଫ୍‍ର କରାଯାଏ ତାହାହେଲେ ସେ ଚିରଦିନ ରାଜାସାହେବଙ୍କ ନିକଟରେ କୃତଜ୍ଞ ରହିବେ ଏବଂ ଆମରଣ ତାଙ୍କର ମଙ୍ଗଳ କାମନାରେ ବ୍ରତୀ ଥିବେ ।

 

ତାପରେ ?

 

ରାଜା ସାହେବ ରାଜିହେଲେ ଏବଂ ତହିଁ ସଙ୍ଗେ ସଙ୍ଗେ ବାବାଙ୍କୁ ଛଅମାସ ଯାଏ ଉକ୍ତ ପଦବୀରେ ନେଇ ସମସ୍ତ କାର୍ଯ୍ୟ ଶିଖାଇ ଦେବା ଲାଗି ଆଦେଶ ଦେଇଥିଲେ...

 

ରାଜା ସାହେବଙ୍କ ବୟସ ସେତେବେଳେ କେତେ ?

 

ପଚାଶରୁ କିଛି ଅଧିକ ହେବ ।

 

ଆପଣ ମେନେଜରରୁ ତାଙ୍କର ସେକ୍ରେଟରୀ ହେଲେ । କେତେଦିନ ହେଲା ଏହି ପଦରେ ଅଛନ୍ତି ?

 

ପାଞ୍ଚ ଛଅ ବର୍ଷକାଳ ମେନେଜର ଥିବା ପରେ ଗତ ଚାରିବର୍ଷ ହେଲା ସେକ୍ରେଟରୀ ପଦକୁ ଆସିଛି ।

 

ତାହାହେଲେ ରାଜାସାହେବଙ୍କର ବୟସ ବର୍ତ୍ତମାନ ଷାଠିଏରୁ କିଛି ବେଶି ହୋଇପାରେ-। ନୁହେଁ କି ?

 

ହୋଇଥାନ୍ତା, କିନ୍ତୁ ଷାଠିଏ ବର୍ଷ ସେ ଆଉ ଭୋଗ କରି ପାରିଲେ ନାହିଁ ।

 

ଅର୍ଥାତ୍...ବିକାଶର ମନରେ ସଂଶୟର ଢେଉ ଉଠିଲା ।

 

ଗତବର୍ଷରୁ ସେ ଇହଧାମ ତ୍ୟାଗ କରିଛନ୍ତି...

 

ତାହାହେଲେ ରୁପନାରାୟଣସିଂ ବୋଲି ଯାହାଙ୍କୁ କହୁଛନ୍ତି—

 

ସେ ଯୁବରାଜ ଥିଲେ, ବର୍ତ୍ତମାନ ରାଜାସାହେବ...

 

ଆଇ-ସି...ଆଚ୍ଛା କହନ୍ତୁ—

 

ରଜତ ସାମନ୍ତ ପୁଣି କଥା ଆରମ୍ଭ କଲେ—ରାଜାସାହେବଙ୍କ ମୃତ୍ୟୁପରେ ଯୁବରାଜ ରୁପନାରାୟଣସିଂ ଷ୍ଟେଟର ସମସ୍ତ ଦାୟିତ୍ୱ ବହନ କଲେ ଓ ରାଜାସାହେବ ଉପାଧି ନେଲେ । ରୁପନାରାୟଣ ଅଳ୍ପ ଦିନ ତଳେ ଫରେନରୁ ଫେରିଥାନ୍ତି । ସେ ଏଠାରେ ପହଞ୍ଚିବାର ଦୁଇମାସ ପରେ ଆମ ରାଜାଙ୍କର ମୃତ୍ୟୁ ଘଟିଥିଲା ।

 

ଯୁବରାଜ ଫରେନରେ କଣ କରୁଥିଲେ...ପଚାରିଲା ବିକାଶ ।

 

ଆମେରିକାରେ ଥାଇ, ଆମର ଏଠାରୁ ଯେଉଁ ଲୁହା ପଥର ଦେଶ ବିଦେଶକୁ ପଠାଯାଏ–ସେଠାରେ ଏକ ଅଫିସ୍ ଆମର ଅଛି, ସେ ଅଫିସର ଦାୟିତ୍ୱ ଥାଏ ତାଙ୍କ ଉପରେ ।

 

ତା’ ପରେ ?

 

ରାଜାସାହେବ ଜୀବିତ ଥାଉଁ ଥାଉଁ ସେ ତାଙ୍କର ପ୍ରାଇଭେଟ୍ ସେକ୍ରେଟରୀ ରୂପେ ମୋତେ ନିଯୁକ୍ତି ଦେଇଥାନ୍ତି । ଖୁବ୍ ବିଶ୍ୱାସ କରିଥାନ୍ତି ମୋତେ । ବାପା ଅବଶ୍ୟ କିଛିଦିନ କାମ ଚଳାଇ ମେନେଜର ପଦରେ ଆଉ ଜଣେ ନିଯୁକ୍ତି ହେବାପରେ ଚାକିରି ଛାଡ଼ି ଦେଇଥିଲେ ଓ ରାଜାସାହେବ ତାଙ୍କୁ ଉପହାର ସ୍ୱରୂପ ଗୋଟିଏ ଏକହଜାର ଟଙ୍କାର ଥଳି ଦେଇଥିଲେ ।

 

ରଜତବାବୁ ଘଡ଼ି ଦେଖିଲେ ଓ ତାଙ୍କର ବ୍ୟସ୍ତତା ଭାବ ଦେଖି ବିକାଶ କହିଲା—ଆପଣଙ୍କର ତେଣେ ବିଶେଷ କାମ ଅଛି ବୋଲି ମନେ ହେଉଛି । ବେଶ୍, ଗୋଟିଏ କାମ କରନ୍ତୁ । ଆପଣ ବର୍ତ୍ତମାନ ହୋଟେଲକୁ ଫେରି ଯାଆନ୍ତୁ, ଘଣ୍ଟାଏ ପରେ ମୁଁ ଆପଣଙ୍କୁ ଫୋନରେ ମୋର ଅଭିମତ ଜଣାଇଦେବି । ସ୍ୟୁଟ୍ ନମ୍ବରଟା ମୋର କିନ୍ତୁ ଦରକାର ।

 

ଭେରିଗୁଡ୍ । କିନ୍ତୁ ମୁଁ ଅନୁରୋଧ କରୁଛି, ଆପଣ ଯେପରି ମୋତେ ନିରାଶ ନ କରନ୍ତି । କୁମାର ଅନେକ ଆଶା ଓ ଭରସା ରଖି ଆପଣଙ୍କ ପାଖକୁ ପଠାଇଛନ୍ତି । କାରଣ ଯଦିଓ ମୋର ଅଜଣା, ତଥାପି ସେ ଖୁବ୍ ଶୀଘ୍ର ଆପଣଙ୍କର ସାକ୍ଷାତ-ପ୍ରାର୍ଥୀ ।

 

ସାମନ୍ତ ଉଠି ଠିଆହେଲେ ।

 

ବିକାଶ କହିଲା—ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ । ରାଜାସାହେବ ରୁପନାରାୟଣ-କି ବିବାହିତ ?

 

ହଁ, ବିବାହିତ...

 

ଆଚ୍ଛା, ଆସନ୍ତୁ । ...ବିକାଶ ମଧ୍ୟ ଉଠି ଠିଆହେଲା ।

 

ଆସୁଛି, ଗୁଡ୍‍ବାଇ...

 

ସୋ ଲଙ୍ଗ୍—

 

ଠିକ୍ ସମୟରେ ସୁଭାଷସେନ୍ ଆସି ପହଞ୍ଚିଲେ । ବିକାଶ ଅପେକ୍ଷାରେ ଥିଲା, ସୁଭାଷସେନ୍ ଗୋଟାଏ କ୍ଳାନ୍ତିର ନିଃଶ୍ୱାସ ଛାଡ଼ି ବସିପଡ଼ି କହିଲେ—ନା, ଏଣିକି ଆଉ ଚାକିରି କରି ହେବନି...

 

କାହିଁକି, କଣ ହୋଇଛି ମି-ସେନ୍...ପଚାରିଲା ବିକାଶ ।

 

କେତେ ଆଉ ମଣିଷ ଏପାଖ-ସେପାଖ ଦୌଡ଼ୁଥିବ ?...ବିରକ୍ତିପୂର୍ଣ୍ଣ କଣ୍ଠରେ କହିଲେ ସୁଭାଷସେନ୍...ବର୍ତ୍ତମାନ ଏଇଠିତ, ଅଧଘଣ୍ଟା ପରେ ପୁଣି ନିର୍ଦ୍ଦେଶ ଆସୁଛି ଅମୁକ ସ୍ଥାନକୁ ଯାଅ...ଜୀବନରେ ଦିନେ ହେଲେ ବିଶ୍ରାମ-ସୁଖ ଅନୁଭବ କରି ପାରିଲିନି । ଛାଡ଼ନ୍ତୁ, ଭାଗ୍ୟ ତ...କଫି କିମ୍ବା ଚା’ ଟିକିଏ ହେଲେ ଚଳନ୍ତା । ହତଭାଗା ଅନନ୍ତଟାକୁତ ଦେଖିଲି ପାନ ଦୋକାନରେ ଠିଆ ହୋଇଛି ।

 

ବିକାଶ ହସି ହସି କହିଲା—ମୁଁ ତାକୁ ସିଗାରେଟ୍ ପାଇଁ ପଠାଇଛି, ଆସୁଥିବ, ଯେ—

 

ମୁଁ ଆସିଛି, ବାବୁ...କହୁ କହୁ ଅନନ୍ତ ଭିତରକୁ ଆସି ଟେବୁଲ ଉପରେ ସିଗାରେଟ୍ ପ୍ୟାକେଟ୍-ଟାକୁ ରଖିଦେଇ କହିଲା—ବସନ୍ତୁ, ସେନ୍ ସାହେବ ! ମୁଁ କଫି ନେଇ ଆସୁଛି ।

 

ଯାଅ ବାବା, ଯାଅ—ଟିକିଏ ବେଗାବେଗି କର...ତା’ ପରେ ବିକାଶ ଆଡ଼େ ଚାହିଁ କହିଲେ—ଶୁଣନ୍ତୁ ମି-ଚୌଧୁରୀ ! ହାଇଦ୍ରାବାଦ୍ ପୁଲିସ ଗତ ସପ୍ତାହରେ ଖବର ଦେଲା, ସେମାନେ ଅଧିକାଂଶ ଶିଳ୍ପପତିଙ୍କ ମୁହଁରୁ ଶୁଣି ପାରୁଛନ୍ତି, ଦସ୍ୟୁ ଭୀମସେନ୍‍ର ଆବିର୍ଭାବ ସେଠାରେ ଘଟିଛି । ଏପରିକି କେତେକ ଲୋକ ମଧ୍ୟ ଦସ୍ୟୁ ଭୀମସେନ୍‍କୁ ସ୍ୱଚକ୍ଷୁରେ ଦେଖିଛନ୍ତି ।

 

ଦେଖିଛନ୍ତି ? କିପରି ସେ ଦେଖିବାକୁ କହନ୍ତୁ ତ ? ...ବିକାଶ ପ୍ରଚ୍ଛନ୍ନ ହସ ହସି ପଚାରିଲା ।

 

ଏହି ସମୟରେ ଅନନ୍ତ କଫି ନେଇ ଆସି ପହଞ୍ଚିଲା । ତରବରରେ ଓଷ୍ଠ ସ୍ପର୍ଶ କରି ଢୋକେ ଗିଳି ସୁଭାଷସେନ୍ କହିଲେ—କିଏ କେତେ ପ୍ରକାର ବର୍ଣ୍ଣନା ଦେଉଛନ୍ତି, ଅବଶ୍ୟ କାହାରି ବର୍ଣ୍ଣନା କାହା ସହିତ ମିଳେନା—ତଥାପି ଧରିନେବାକୁ ହେବ ସେମାନେ ଏପରି ଏକ ବ୍ୟକ୍ତିଙ୍କୁ ଦେଖିଛନ୍ତି, ଯାହା କି ସେମାନଙ୍କ ମନରେ ଭୀତିର ଉଦ୍ରେକ କରିଛି । ...ତାଛଡ଼ା...

 

କଣ ?

 

ହାଇଦ୍ରାବାଦ୍ ପୁଲିସ ରିପୋର୍ଟରେ ପ୍ରକାଶ, ସେଠାକାର ଦୁଇ-ଚାରିଜଣ ବ୍ୟକ୍ତି ପୁଲିସରେ ଜଣାଇଛନ୍ତି ଯେ, ସେମାନଙ୍କ ଘରେ ଚୋରର ଉପଦ୍ରବ ହେଉଛି...ପୁଲିସର ସାହାଯ୍ୟ ସେମାନେ ଚାହାନ୍ତି ।

 

ତାହେଲେ ଦସ୍ୟୁ ଭୀମସେନର ଭୂମିକା ଏଠାରେ କଣ ? ...ବିକାଶ କଫି ପାନ କରୁ କରୁ ପଚାରିଲା ।

 

ପୁଲିସର ଧାରଣା ଏ ସବୁ କାର୍ଯ୍ୟ ଭୀମସେନ୍ ଛଡ଼ା ଆଉ କାହାରି ହୋଇ ପାରେନା । ଜଣେ ପୁରୁଣା କନେଷ୍ଟବଲ, ସେ କୁହେ, ଏଠାକୁ ଯେତେବେଳେ ସେ ବଦଳିରେ ଆସିଥିଲା, ଲାଲବଜାରର ଫୋର୍ସ ସହ ସେ ହୋଟେଲ ଘେରାଉ ବେଳେ ଥିଲା—ସେତେବେଳେ ସେ ଭୀମସେନ୍‍ର ନାମ ଶୁଣିଛି ଓ ଯେଉଁ ବ୍ୟକ୍ତିକୁ ଦେଖି ସେ ଭୀମସେନ୍ ବୋଲି ସନ୍ଦେହ କରିଥିଲା ଠିକ୍ ସେହିପରି ଜଣେ ବ୍ୟକ୍ତିକୁ ସେ ହାଇଦ୍ରାବାଦର ଗୋଟିଏ ହୋଟେଲରେ ଦେଖିଛି ।

 

ଆପଣଙ୍କର ମନେଅଛି କି ଫୋର୍ସ ଦଳରେ ହାଇଦ୍ରାବାଦର କେହି ସେଣ୍ଟ୍ରୀ ଥିଲେ ବୋଲି-?

 

ତଦନ୍ତ କରି ଦେଖିଛି ଜଣେ ମାତ୍ର ହାଇଦ୍ରାବାଦ୍‍ର ସେଣ୍ଟ୍ରୀ ସେଦିନ ଅଳକାବାର୍ ଘେରାଉ ବେଳେ ଥିଲା । ତାର ନାମ ରଘୁବୀରସିଂ !

 

ରଘୁବୀରସିଂ ! ସେ ବର୍ତ୍ତମାନ ତାହାହେଲେ ହାଇଦ୍ରାବାଦରେ ? କେତେଦିନ ତଳେ ସେ ଦସ୍ୟୁ ଭୀମସେନ୍ କୁ ଦେଖିଥିଲା ବୋଲି ରିପୋର୍ଟ ପାଇଛନ୍ତି କି ? ...ପଚାରିଲା ବିକାଶ ।

 

ପ୍ରଥମେ ତିନିମାସ ତଳେ ସେ “ଜୁ” (Zoo) ରେ ଦେଖିଥିଲା । ପ୍ରତି ରବିବାର ଦିନ ଜୁ-ରେ ତାର ଡ଼ିଉଟି ପଡ଼େ, ସେଦିନ ସେ ଲୋକ ଗହଳିରେ ସୁଦ୍ଧା ଏଠାକାର ଛଦ୍ମବେଶୀ ମି-ଅଲ୍ଲିକୁ ଚିହ୍ନି ପାରିଥିଲା । ଅବଶ୍ୟ ଅଲ୍ଲି ବା ସର୍ଦ୍ଦାର ଭୀମସେନ୍ ଛଦ୍ମବେଶରେ ଥିଲା—ମାନେ ପଞ୍ଜାବୀ ଡ୍ରାଇଭର ବେଶରେ ।

 

କଣ ଏକା... ?

 

ନା, ସାଙ୍ଗରେ ତିନିଜଣ ତରୁଣୀ ଥିଲେ । ସେମାନେ ମଧ୍ୟ ପଞ୍ଜାବୀରମଣୀର ପୋଷାକ ପିନ୍ଧିଥିଲେ ।

 

ଦେନ୍ ? ...ଗୋ ଅନ୍...

 

ସୁଭାଷସେନ୍ କହିଲେ—ରଘୁବୀରସିଂ ସେତେବେଳେ ଏତେ ସନ୍ଦେହ କରିପାରିନି । କାରଣ, ଚୋରର ଉପଦ୍ରବ କଥା ସେତେବେଳ ପର୍ଯ୍ୟନ୍ତ ଥାନାରେ ଆସି ପହଞ୍ଚି ନଥାଏ । ତେଣୁ ସେ ସେତେବେଳେ ଧ୍ୟାନ ଦେଇନି । କିଛିଦିନ ପରେ ଉପଦ୍ରବ କଥା ବାହାରେ ପ୍ରକାଶ ହେବା ପରେ ତାର ଅନୁମାନର ସତ୍ୟତା ମନେ ମନେ ଅନୁଭବ କରିପାରିଥିଲା ।

 

ସେହି ଥରକ ନା, ପୁଣି ସେ ଭୀମସେନ୍‍କୁ—

 

ଦେଖିନି, କିନ୍ତୁ ସେହି ତିନିଜଣ ମହିଳାଙ୍କ ମଧ୍ୟରୁ ଜଣକୁ ସେ ଦେଖିପାରିଥିଲା ହାଇଦ୍ରାବାଦ୍‌ର ଗୋଟିଏ ହୋଟେଲରେ...

 

ବିକାଶ ହାତଘଡ଼ି ଦେଖିଲା । କହିଲା—ଆପଣ କି ଆଜି ମୋ ସାଙ୍ଗରେ ହାଇଦ୍ରାବାଦ୍ ଯାଇ ପାରିବେ ?

 

କେତୋଟି ମୁହୂର୍ତ୍ତ ଯାଏ ବିକାଶର ମୁହଁ ଆଡ଼େ ସ୍ଥିର ଦୃଷ୍ଟିରେ ଚାହିଁ ସୁଭାଷସେନ୍ କହିଲେ—ଆପଣ ଆଜି ଯାଉଛନ୍ତି ? ହଠାତ୍ ? ବୋଧହୁଏ କନ୍‌ଫିଡ଼ିଏନସେଲ୍ ରିପୋର୍ଟ କିଛି ପାଇଛନ୍ତି ?

 

ଖାଲି ରିପୋର୍ଟ ନୁହେଁ, ସେଠାରୁ ଲୋକ ଆସିଛନ୍ତି ମୋତେ ସାଙ୍ଗରେ ନେଇଯିବାକୁ...ହସି ହସି କହିଲା ବିକାଶ ।

 

ପୁଲିସର ଲୋକ ?

 

ନା—ରାଜାସାହେବଙ୍କର ଲୋକ...

 

ସୁଭାଷସେନଙ୍କର ବିସ୍ମୟର ସୀମା ରହିଲା ନାହିଁ ଯେପରି । ସେ ପଚାରିଲେ—ରାଜାସାହେବ, ଆଇ ମିନ୍, ରାଜାସାହେବ ରୁପନାରାୟଣସିଂ ?

 

ଆପଣ କି ତାଙ୍କୁ ଚିହ୍ନନ୍ତି ?

 

ଚିହ୍ନିଛି ! ଭଲ ସ୍ପୋର୍ଟସମ୍ୟାନ୍—କ୍ରିକେଟର ରାଜା କହିଲେ ଚଳେ । ଅବଶ୍ୟ ଚାକ୍ଷୁଷ ପରିଚୟଟା ଯଦିଓ ନ ହୋଇଛି, ତଥାପି ଖବର କାଗଜରେ ଫଟୋ ଓ ପରିଚୟ ପାଇଛି । ...ସୁଭାଷସେନ୍ କହିଲେ ।

 

ମୁଁ ଯେଉଁ ରାଜାସାହେବଙ୍କ କଥା କହୁଛି, ଇଏ ଯେ ସେହି ରାଜାସାହେବ ଏହା ଆପଣ ଜାଣିଲେ କିପରି ?

 

By hypothetically...

 

ଓ, ଆପଣ ତାହାହେଲେ ମୋ ଉପରେ ଗୁଇନ୍ଦାଗିରି କରୁଛନ୍ତି ? ବେଶ୍ ତାହାହେଲେ ଶୁଣନ୍ତୁ । ସେହି ରାଜସାହେବଙ୍କର ପ୍ରାଇଭେଟ୍ ସେକ୍ରେଟରୀ ରଜତବାବୁ ଦୁଇଘଣ୍ଟା ତଳେ ମୋ’ ପାଖକୁ ଆସିଥିଲେ । ରାଜାସାହେବ କଣ କହିବେ, କି ବିଷୟରେ ମୋର ସାହାଯ୍ୟ ଚାହୁଁଛନ୍ତି ଜାଣେନା—ତେବେ ରଜତବାବୁଙ୍କର କଥାରୁ ଅନୁମାନ କଲି ଦସ୍ୟୁ ଭୀମସେନପାଇଁ ଆତଙ୍କ ସେ ଅନୁଭବ କରୁଛନ୍ତି... । ଯିବେତ ଚାଲନ୍ତୁ । ହୁଏତ ଆପଣଙ୍କର ଶିକାର ଜାଲରେ ପଡ଼ିପାରେ ।

 

ଆପଣ କି ଶିକାରକୁ ଧରିବାର ଆଶା କରିପାରୁଛନ୍ତି ? ...କରନ୍ତୁ । ମୁଁ କିନ୍ତୁ, ଆଶା ଛାଡ଼ି ଦେଇଛି । ମୁଁ ଠିକ୍ କରିଛି, ମାସେ କିମ୍ୱା ଦୁଇମାସ ମଧ୍ୟରେ ଯଦି ଦସ୍ୟୁ ଭୀମସେନ ଧରା ନପଡ଼େ, କିମ୍ବା ଡେପୁଟି କମିଶନର ଅନ୍ୟ କାହା ଉପରେ ତଦନ୍ତର ଭାର ନ ଦିଅନ୍ତି ମୁଁ resignation ଦେବାକୁ ବାଧ୍ୟ ହେବି ।

 

ବିକାଶ ହସିଲା । କହିଲା—ଉକ୍ତିଟା ଠିକ୍ ଆପଣଙ୍କର ଉକ୍ତିପରି ହେଲା କି, ସେନ୍ ସାହେବ ? ଲାଲବଜାରର ସର୍ବମୟ କର୍ତ୍ତା, ଆପଣଙ୍କ ପାଖେ ପାଖେ ପୁଣି ମୁଁ ଅଛି, ଅଥଚ କାପୁରୁଷତା ଦେଖାଇ ଆପଣ resignation ଦେବେ...ସମସ୍ତ ପୁଲିସ ବିଭାଗର ଧାରଣା ଆପଣଙ୍କ ଉପରେ କଣ ହେବ ବୁଝିପାରୁଛନ୍ତିତ ? ବେଶ, ମୁଁ ଫେରି ଆସିବା ପର୍ଯ୍ୟନ୍ତ ଆପଣ ରେଷ୍ଟ୍ ନିଅନ୍ତୁ । ଆଶାକରେ ଫେରିଲେ ସୁସମ୍ୱାଦ ପାଇବେ...

 

Many, many Thanks ମି-ଚୌଧୁରୀ ! ମୁଁ ବର୍ତ୍ତମାନ ଡେପୁଟି କମିଶନରଙ୍କୁ ଆପଣଙ୍କର ହାଇଦ୍ରାବାଦ ଯାତ୍ରା କଥା କହିବି କି ?

 

ହଁ, କହନ୍ତୁ । ଯେହେତୁ ମୁଁ ସେଠାରେ ଏକା, ସେଠାକାର ପୁଲିସ ମୋତେ କି ପ୍ରକାର ସାହାଯ୍ୟ କରିବେ ଜାଣେନା, ପ୍ରୟୋଜନ ବୋଧକଲେ ଡି-ସିଙ୍କର ସାହାଯ୍ୟ ଦରକାର କରିବି । ଅବଶ୍ୟ ନଟରାଜନ୍ ସେଠାରେ ଅଛନ୍ତି, ବିଶେଷ ଅସୁବିଧା ନ ହୋଇପାରେ । ତଥାପି ଆମର ସୁପିରିୟର୍ ହିସାବରେ ତାଙ୍କୁ ସମ୍ବାଦଟି ଦେବା ଉଚିତ ହେଉଛି...

 

ତାହାହେଲେ ମୁଁ ଆସୁଛି...ସୁଭାଷସେନ୍ ଯିବା ପାଇଁ ଉଠି ଠିଆହେଲେ ।

 

ଆଉ ଟିକିଏ କଫି ଖାଇବେନି ?

 

ନା । ଆପଣ ଅନେକଟା ମୋତେ ନିଶ୍ଚିନ୍ତ କରିଦେଲେ, ମି: ଚୌଧୁରୀ ! ମୁଁ ଆସୁଛି—ଦରକାର ପଡ଼ିଲେ ନିଶ୍ଚୟ ମୋତେ ସମ୍ବାଦ ଦେବେ...

 

ସୁଭାଷସେନ୍ ଚାଲିଗଲେ ।

 

ସେମାନେ ଟ୍ରେନରୁ ଓହ୍ଲାଇ ଷ୍ଟେସନର ବାହାରକୁ ଆସିବା ମାତ୍ରେ ରଜତବାବୁ ଚେକିଂ ଗେଟ୍ ପାଖରେ ଡ୍ରାଇଭରକୁ ଦେଖି କହିଲେ—ମି-ଚୌଧୁରୀ, ରାଜାସାହେବଙ୍କର ବ୍ୟବସ୍ଥା ଠିକ୍ ଅଛି । ଏଇ ଦେଖନ୍ତୁ ଡ୍ରାଇଭର ଗାଡ଼ି ନେଇ ଆସୁଛି । ଡ୍ରାଇଭର୍ ମଧ୍ୟ ପାଖକୁ ଆସିଲା, ତାକୁ ଅନୁସରଣ କରି ସେମାନେ ଆସି ଗାଡ଼ି ଭିତରେ ବସିଲେ । ନିଶବ୍‍ଦରେ ଗାଡ଼ିଟି ଚାଲିଲା ଆଗକୁ ।

 

ବିକାଶ ଦେଖିଲା, ଗାଡ଼ିଭିତରେ ୟାର କଣ୍ଡିସନର ସିସଟେମ୍ ଅଛି । ପ୍ରବଳ ଶୀତ ରାତିରେ ମଧ୍ୟ ସେମାନେ ଶୈତ୍ୟତା ଅନୁଭବ କରିପାରିଲେନି ।

 

ଗାଡ଼ି ଭିତରେ ଉଭୟେ ନୀରବରେ ବସିଥାନ୍ତି । ଭୋର ହୋଇ ଆସୁଥାଏ । ସେମାନେ କେତେବାଟ ଆସିଲେଣି ଜଣା ପଡ଼ୁନଥାଏ । ଗାଡ଼ି ଯେ ପଚାଶ କିଲୋମିଟର ବେଗରେ ଚାଲୁଛି ତାହାତ ଜଣାଯାଏ । ମନେହେଲା ସେମାନେ ପନ୍ଦର କି କୋଡ଼ିଏ କିଲୋମିଟର ଚାଲି ଆସିଲେଣି ।

 

ଆକାଶ ପରିଷ୍କାର, ରାସ୍ତାରେ ଲୋକ ଚଳାଚଳ ଆରମ୍ଭ ହୋଇଛି କେତେଗୁଡ଼ିଏ ଦୋକନ ମଧ୍ୟ ଖୋଲିଥାଏ ।

 

ଗୋଟିଏ ହୋଟେଲ ପାଖରେ ଗାଡ଼ିଟା ବ୍ରେକ କରି ଛିଡ଼ା ହୋଇଗଲା । ବିକାଶ ଚାହିଁଲା ରଜତବାବୁଙ୍କ ଆଡ଼େ । ରଜତବାବୁ ତାହା ବୁଝିପାରି କହିଲେ—ଆମେ ଏହି ହୋଟେଲରେ ବ୍ରେକଫାଷ୍ଟ ସାରି ବାହାରିବୁ ମି:-ଚୌଧୁରୀ !

 

ବିକାଶ ପଚାରିଲା—କାହିଁକି, ପ୍ୟାଲେସରେ କି ସୁବିଧା ନାହିଁ ?

 

ନା, ସେ କଥା ନୁହେଁ । ଆମେ ଦଶଟା ପୂର୍ବରୁ ପହଞ୍ଚି ପାରୁନୁ । ଆଗରେ ମଧ୍ୟ ଭଲ ହୋଟେଲ୍ ପାଇବୁନି । ଆପଣଙ୍କର ଜର୍ନିଟା ଟିକିଏ ଲଙ୍ଗ୍ ହେଉଛି । ବୋଧହୁଏ କ୍ଳାନ୍ତ ହୋଇ ପଡ଼ିବେ । ବ୍ୟବସ୍ଥା ରାଜାସାହେବ ଆଗରୁ କରି ଡ୍ରାଇଭରକୁ ନିର୍ଦ୍ଦେଶ ଦେଇଛନ୍ତି ।—

 

ବିକାଶ ଆଉ କିଛି କହିଲା ନାହିଁ । ନିଃଶବ୍ଦରେ ସେ ରଜତବାବୁଙ୍କୁ ଅନୁସରଣ କଲା । ଡ୍ରାଇଭର ମଧ୍ୟ ଗାଡ଼ିଟାକୁ ଲକ୍ କରି ଆସିଲା ସେମାନଙ୍କର ପଛେ ପଛେ ।

 

ଅଳ୍ପ ସମୟ ମଧ୍ୟରେ ସେମାନେ ବ୍ରେକଫାଷ୍ଟ ସାରି ପୁଣି ଆସି ଗାଡ଼ିରେ ଉଠିଲେ । କିଛିଦୂର ଆସିବା ପରେ ଗାଡ଼ି ଫାଙ୍କା ରାସ୍ତାରେ ପଡ଼ିଲା । ରାସ୍ତାର ଦୁଇକଡ଼ରେ ପ୍ରାନ୍ତର, ସ୍ଥାନେ ସ୍ଥାନେ ଛୋଟ କୁଡ଼ିଆଘର । ରଜତ୍ ବାବୁ କହିଲେ—ଏଇଠାରୁ ଆମର ଜମିଦାରୀର ସୀମା ଆରମ୍ଭ ହୋଇଛି । ଏ ରାସ୍ତା ନିରସ, କିନ୍ତୁ ଆଉ କିଛିଦୂର ଚାଲନ୍ତୁ ଦେଖିବେ, ଶସ୍ୟ ଶ୍ୟାମଳା ଧାନକ୍ଷେତ । ବର୍ତ୍ତମାନ ଶ୍ୟାମଳା ଆଉ ନୁହେଁ —ଧାନସବୁ ପାଚି ଆଉ ଏକ ଶୋଭାବର୍ଦ୍ଧନ କରୁଛି ।

 

ପ୍ୟାଲେସ୍ ଆଉ କେତେଦୂର ଅଛି ? ...ପଚାରିଲା ବିକାଶ ।

 

ଅଛି, ଅନେକଗୁଡ଼ାଏ ବାଟ ଆମ ଆଖି ଆଗରେ...

 

ବିକାଶ ଆଉ କିଛି କହିଲା ନାହିଁ । ସିଗାରେଟ ପ୍ୟାକେଟ୍‍ଟା ବାହାର କରି ନିଜେ ଖଣ୍ଡିଏ ଓଠରେ ଚାପି ପ୍ୟାକେଟ୍‍ଟାକୁ ବଢ଼ାଇ ଦେଲା ରଜତବାବୁଙ୍କ ଆଡ଼କୁ । ମ୍ୟାଚ୍‍ବକ୍ସ ବାହାର କରି ସିଗାରେଟରେ ଅଗ୍ନି ସଂଯୋଗ ପୂର୍ବକ ଧୂଆଁ ବାହାରକୁ ଛାଡ଼ିବାକୁ ଲାଗିଲା । କଅଁଳ ସୂର୍ଯ୍ୟର କିରଣ ଦେହରେ ଲାଗି ବେଶ୍ ଆରାମ୍ ବୋଧ ହେଉଥାଏ ।

 

ଆଉ କେତୋଟି କିଲୋମିଟର୍ ସେମାନେ ଅତିକ୍ରମ କରିଗଲେ । ଧାନକ୍ଷେତର ଦୃଶ୍ୟ ପ୍ରକୃତିରେ ଅପୂର୍ବ । ଗୋଟିଏ ବଡ଼ ବସ୍ତି ମଧ୍ୟ ଦୃଷ୍ଟିପଥରେ ପଡ଼ିଲା । ଗ୍ରାମ୍ୟଚାଷୀ ଓ ରମଣୀମାନେ କ୍ଷେତ ଭିତରେ ଥାଇ କଣ ସବୁ ବଛାବଛି କରୁଥାନ୍ତି ।

 

ସମ୍ମୁଖରେ ଦେଖାଗଲା ମସ୍ତବଡ଼ ଏକ କାରୁକାର୍ଯ୍ୟ ଖଚିତ ପ୍ରକାଣ୍ଡ ଗେଟ୍ । ବିକାଶ ହାତ ଘଡ଼ିରେ ନଜର ଦେଲା । ଦଶଟା ବାଜିବାକୁ କୋଡ଼ିଏ ମିନିଟ୍ ଅଛି ।

 

ତାହାହେଲେ ସେମାନେ ରାଜପ୍ରାସାଦର ନିକଟବର୍ତ୍ତୀ ହୋଇ ଗଲେଣି । ଗେଟ୍ ଆଉ ଅଳ୍ପ ଦୂରରେ । ବିକାଶ ଆଡ଼େ ଚାହିଁ ରଜତବାବୁ କହିଲେ—ଗେଟ୍‍ଟାକୁ ଦେଖିଲେତ ? ଗେଟ୍‍ଓୟେ ଅଫ୍ ଇଣ୍ଡିଆକୁ ଛାଡ଼ିଦେଲେ ଏହି ଗେଟ୍‍ଟି ଇଣ୍ଡିଆର ଦ୍ୱିତୀୟ ଗେଟ୍ । ଶୁଣିଛି, ରୁପନାରାୟଣଙ୍କର ଗ୍ରାଣ୍ଡ-ଫାଦାର୍ ଏହି ଗେଟ୍ ତିଆରିରେ ବହୁଅର୍ଥ ବ୍ୟୟ କରିଛନ୍ତି ଓ ଦୀର୍ଘ ଆଠବର୍ଷ ସମୟ ଲାଗିଛି ଗେଟ୍‍ଟିକୁ କମପ୍ଲିଟ୍ କରିବାକୁ ।

 

ଆଇ-ସି...କେତେଟଙ୍କାର ଖର୍ଚ୍ଚ ହୋଇଥିବ ବୋଲି ଅନୁମାନ କରିପାରୁଛନ୍ତି ?

 

ମୋର ଅନୁମାନର ବାହାରେ । ତେବେ ଶୁଣାଶୁଣିରେ ଯାହା ଖବର ପାଇଛି, ଦେଢ଼ଲକ୍ଷରୁ କମ୍ ନୁହେଁ ।

 

ଦେଢ଼ଲକ୍ଷ ! ଇମାଜିନ୍ କରି ହୁଏନା । ଷ୍ଟେଟ୍‍ର ଇନ୍ କମ୍ କେତେ ?

 

ଫିଫ୍‍ଟିନ୍ ଲାଖ୍‍ସ...

 

ନିଟ୍ ?

 

ହଁ ।

 

ତାହାହେଲେ ଓଲ୍ଡ଼ ରାଜାସାହେବଙ୍କ ପକ୍ଷରେ କିଛି ଅସମ୍ଭବ ନଥିଲା । ବାଇ-ଦି-ବାଇ, ଆମର ଦେଶୀୟ ରାଜାମାନେ ଯେପରି ସୂରା ନର୍ତ୍ତକୀ ନେଇ ଓମରଖୈୟାମ୍‍ର ନାମକୁ ସାର୍ଥକ କରୁଥିଲେ, ଏମାନେ ବୋଧହୁଏ ବଂଶ ପରମ୍ପରାର ନୀତିକୁ ବଜାୟ ରଖିଛନ୍ତି ? ...ପଚାରିଲା ବିକାଶ ।

 

ଏକାବାରେ ଯେ ଛାଡ଼ି ଦେଇଛନ୍ତି ଏହା କହିଲେ ଅଯଥା ପ୍ରଶଂସା କରିବା କଥା । ରକ୍ତର ସମ୍ବନ୍ଧ ବଡ଼ ମାରାତ୍ମକ । ତେବେ, ଗ୍ରାଣ୍ଡ-ଫାଦାର ଯେତେଟା ଥିଲେ, ତାଙ୍କର ପୁଅଙ୍କ ଅମଳରେ ସାମାନ୍ୟ ହ୍ରାସ ପାଇଥିଲା, ନାତିଙ୍କ ଅମଳରେ—

 

କଣ ? ...ରଜତବାବୁଙ୍କୁ ନୀରବ ରହିବା ଦେଖି ବିକାଶ ତାଙ୍କ ମୁହଁଆଡ଼େ ଚାହିଁ ଉତ୍ତରର ଅପେକ୍ଷାରେ ରହିଲା ।

 

ଆଜିକାଲି ଅବଶ୍ୟ ସେ ନାଟମନ୍ଦିର କିମ୍ବା ଜଲସା ଘରରେ ସେତେ ଭିଡ଼ ହୁଏନା, ତେବେ ସମୟ ସମୟରେ ହୋଇଥାଏ । ପରିବେଶ କିନ୍ତୁ ବଦଳିଯାଇଛି । ଦୂର ଦୂରାନ୍ତରୁ କେହି ନର୍ତ୍ତକୀ ବେଳେ ବେଳେ ଆସେ, ମାତ୍ର ପର୍ବ ପର୍ବାଣି ବ୍ୟତୀତ ଅନ୍ୟ ସମୟରେ ନୁହେଁ । ଆମର ବର୍ତ୍ତମାନର ରାଜା ବିଶେଷ ଖେଳପ୍ରିୟ । ବର୍ଷମଧ୍ୟରେ କେବଳ ବର୍ଷାଦିନ ଛଡ଼ା ପ୍ରାୟ ସେ ବାହାରେ ଖେଳ ନେଇ ବ୍ୟସ୍ତ ଥାଆନ୍ତି । ...ରଜତ ବାବୁ କହିଲେ ।

 

ହଁ, ଶୁଣିଛି ସେ କ୍ରିକେଟ ଖେଳନ୍ତି ଓ ଏହି ଖେଳରେ ସେ ବେଶ୍ ସୁନାମ ଅର୍ଜ୍ଜନ କରିଛନ୍ତି...ବିକାଶ କହିଲା ।

 

ରାଇଟ୍ ଇଉ ଆର୍...

 

ଆଚ୍ଛା, ଆପଣଙ୍କର ରାଣୀ ମା କିପରି...

 

ପ୍ରାୟତଃ ସେ ବାହାରକୁ ବାହାରନ୍ତି ନାହିଁ । କେବଳ ଦୋଳଯାତ୍ରା ସମୟରେ ବାହାରେ ତାଙ୍କୁ ମାତ୍ର କେତେଘଣ୍ଟା ସମୟ ପାଇଁ ପ୍ରଜାମାନେ ଦେଖି ପାରନ୍ତି । ଦୋଳଯାତ୍ରା ଏଠାକାର ବଡ଼ ପର୍ବ । ସାତଦିନ ବ୍ୟାପି ମହା ସମାରୋହରେ ଏହା ଅନୁଷ୍ଠିତ ହୋଇଥାଏ । ଉତ୍ସବ ଦେଖିବାକୁ ବାହାରରୁ ମଧ୍ୟ ବହୁ ଦର୍ଶକ ଆସିଥାନ୍ତି ।

 

ଏଥର ଏକ ବିରାଟ ଗୋଟାଏ ସେମାନଙ୍କର ଦୃଷ୍ଟି ଗୋଚର ହେଲା । ରାସ୍ତାର ଦୁଇକଡ଼ରେ ମଧ୍ୟ ଛୋଟ ବଡ଼ କେତୋଟି ଘର । ରଜତବାବୁ ଘର ଗୁଡ଼ିକ ଚିହ୍ନାଇ ଦେଉଥାନ୍ତି । କେଉଁଟା ବିଚାରାଳୟ ଅଫିସ, ତହସିଲ ଅଫିସ, ଇଲେକ୍‍ଟ୍ରିକ୍, ଓ୍ୟାଟର, ମ୍ୟୁନିସିପାଲ, ରେଭିନ୍ୟୁ ଇତ୍ୟାଦି ।

 

ବିରାଟ ଅଟ୍ଟାଳିକା ଉପରେ ଜାତୀୟ ପତାକା । ଜାତୀୟ ପତାକା ପାଖରେ ଗୋଟିଏ ମର୍କରୀ ଲାଇଟ୍‍ର ବ୍ୟବସ୍ଥା ।

 

ଡ୍ରାଇଭର ଇଞ୍ଜିନର ଗୋଟିଏ ସୁଇଚ୍ ଟିପିଲା । ଅଦ୍ଭୂତ ଏକ ସୁରେଲ ଶବ୍ଦ ଶୁଭିଲା ଏଥର । ଏତେ ରାସ୍ତା ଆସିବା ମଧ୍ୟରେ ପ୍ରଥମେ ଏହି ଜାତୀୟ ହର୍ଣ୍ଣଶବ୍ଦ ଶୁଣିଲା ବିକାଶ । ବିସ୍ମିତ ଦୃଷ୍ଟିରେ ସେ ଚାହିଁଲା ରଳତବାବୁଙ୍କ ଆଡ଼େ ।

 

ରଜତ ସାମନ୍ତ ତାହା ବୁଝିପାରି କହିଲେ—ଗାଡ଼ିରେ ଏହିପରି ଏକ ହର୍ଣ୍ଣର ବ୍ୟବସ୍ଥା ରାଜା ସାହେବ କରିଛନ୍ତି । ଗାଡ଼ି ବାହାରିବା ସମୟରେ ଓ ପ୍ରାସାଦ ନିକଟରେ ପହଞ୍ଚିବା ବେଳେ ଏହି ହର୍ଣ୍ଣଟି ବ୍ୟବହାର ହୋଇଥାଏ । ଦେଖିବେ ଟିକିଏ ପରେ ରାଜାସାହେବ ବାହାରକୁ ଆସି ଆପଣଙ୍କର ଅଭ୍ୟର୍ଥନା ଲାଗି ଅପେକ୍ଷା କରିବେ । ହର୍ଣ୍ଣ ନିଶ୍ଚୟ ଅନ୍ଦର ମହଲ ପର୍ଯ୍ୟନ୍ତ ଶୁଭିଥିବ ।

 

ପ୍ରକୃତରେ ରଜତ ବାବୁଙ୍କର କଥା ସତ୍ୟରେ ପରିଣତ ହେବା ଦେଖି ବିକାଶ ମନେ ମନେ ଖୁସି ହେଲା । ଜଣେ ଦୀର୍ଘକାୟ ସୁ-ପୁରୁଷ ସିଂହଦ୍ୱାର ପାଖରେ ଛିଡ଼ା ହୋଇଛନ୍ତି । ବିକାଶ ଅନୁମାନ କରିନେଲା, ଇଏ ହେଉଛନ୍ତି ରାଜା ରୁପନାରାୟଣ ସିଂ । ରାଜାଙ୍କର ଉଭୟପାଖରେ ଦୁଇଜଣ ପାର୍ଶ୍ୱଚର ଠିଆ ହୋଇଥାନ୍ତି ।

 

ପ୍ରାସାଦ ପାଖରୁ ଦଶହାତ ଦୂରରେ ଗାଡ଼ି ଖଣ୍ଡିକ ବ୍ରେକ୍ କରି ଠିଆହୋଇଗଲା । ବିକାଶ ଦେଖିଲା ଦୁଇଜଣ ପାର୍ଶ୍ୱଚର ସହ ସେହି ଦୀର୍ଘକାୟ ପୁରୁଷଟି ଧୀରେ ଧୀରେ ଗାଡ଼ି ପାଖକୁ ଆଗେଇ ଆସୁଛନ୍ତି । ଇତି ମଧ୍ୟରେ ଡ୍ରାଇଭର ଡୋର ଖୋଲି ଦେଇଥିଲା, ରଜତବାବୁଙ୍କର ପଛେ ପଛେ ବିକାଶ ବାହାରି ଆସି ରାଜାସାହେବଙ୍କର ସମ୍ମୁଖରେ ଠିଆ ହେବାମାତ୍ରେ ରାଜା ରୁପନାରାୟଣ ହାତଟିକୁ ବଢ଼ାଇ ଦେଇ ବିକାଶର ହାତ ସହିତ ହାତ ମିଳାଇ ଗଦଗଦ କଣ୍ଠରେ କହିଲେ—Welcome Mr. Choudhry. Very glad to meet you.

I also...କହିଲା ବିକାଶ ।

ରଜତବାବୁଙ୍କର ଆଡ଼େ ଚାହିଁ ରାଜାସାହେବ କହିଲେ—ଚୌଧୁରୀ ସାହେବଙ୍କୁ ପ୍ରାସାଦର ୧୩ ନମ୍ୱର ରୁମକୁ ନେଇଯାଆନ୍ତୁ ସାମନ୍ତବାବୁ । ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ ହୋଇଅଛି । ଦୁଇଜଣ ଭୃତ୍ୟର ବ୍ୟବସ୍ଥା କରିଦେବେ । ନିତ୍ୟକର୍ମ ସାରି ସେ ରେଷ୍ଟ୍ ନିଅନ୍ତୁ । ବଡ଼ କ୍ଳାନ୍ତ ସେ ନିଶ୍ଚୟ ହୋଇପଡ଼ିଥିବେ ।

ତା’ପରେ ବିକାଶ ଆଡ଼େ ଚାହିଁ କହିଲେ—ଆପଣ ଯେ ମୋର ଅନୁରୋଧ ରକ୍ଷା କରି ଏଗାରଶ କିଲୋମିଟର ଆସିଛନ୍ତି ସେଥିପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ ଦେଉଛି । ଆପଣଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଆସ୍ଥା ଅଛି । ନିଶ୍ଚୟ ଆପଣଙ୍କର ସହଯୋଗରେ ମୋର ବିପଦ ଦୂର ହୋଇଯିବ । ...ଯାଆନ୍ତୁ, ବିଶ୍ରାମ ନେବେ,...ତା’ପରେ ଲଜ୍ଜିତ ହସ ହସି କହିଲେ... ଆମର କ୍ଲବରେ ଗୋଟାଏ ମିଟିଂ ବର୍ତ୍ତମାନ ଅଛି । ଆପଣ ଆସିବେ ଏହି ଧାରଣା ନେଇ ମୁଁ କାଲି ରାତିରେ ମିଟିଂର ଡେଟ୍‍ଟାକୁ ପୋଷ୍ଟପଣ୍ଡ କରିବାକୁ ଚେଷ୍ଟା କରିଥିଲି, ମାତ୍ର ଆମର ଲିଡ଼ର ବର୍ତ୍ତମାନ କିଛିଦିନ ପାଇଁ ଆଭେଲେବଲ୍ ହୋଇପାରିବେ ନାହିଁ ବୋଲି କହିଲାରୁ ଆଜି ମିଟିଂ ହେବାର ସ୍ଥିର ହୋଇଛି । Any how, ମୁଁ ସନ୍ଧ୍ୟା ପୂର୍ବରୁ ଫେରିଆସି ଆପଣଙ୍କ ସହିତ ଟିଫିନରେ ଯୋଗ ଦେବି । ବାଇ—ବାଇ...

ସୋ-ଲଙ୍ଗ....ବିଦାୟ ସମ୍ଭାଷଣ ବିକାଶ ମଧ୍ୟ ସାଦରରେ ଜଣାଇଲା ।

ଆଉ ଖଣ୍ଡିଏ ନେଭିବ୍ଳୁ, ରଙ୍ଗର ଫିଆଟ୍ ଆସି ପାଖରେ ଠିଆ ହୋଇଗଲା । ରାଜାସାହେବ ଗାଡ଼ିରେ ଉଠିଲେ । ନିଃଶବ୍ଦରେ ଗାଡ଼ି ଖଣ୍ଡିକ ଆଗେଇ ଚାଲିଲା ।

ବିକାଶ ଏକଧ୍ୟାନରେ ଅପକ୍ରୟମାନ ଗାଡ଼ିଟିର ଆଡ଼େ ଚାହିଁଥାଏ । ରଜତବାବୁଙ୍କ କଥାରେ ତାର ଅନ୍ୟମନସ୍କତା ଦୂର ହୋଇଗଲା । ରଜତବାବୁ କହିଲେ—ଆସନ୍ତୁ, ମି-ଚୌଧୁରୀ । ଆଉ ଡେରି କରିବେ କାହିଁକି ? ମୁଁ ମଧ୍ୟ ଟିକିଏ ବିଶ୍ରାମ ନେବି ବୋଲି ଭାବୁଛି...

ହଁ ଚାଲନ୍ତୁ...

ରଜତବାବୁଙ୍କୁ ଅନୁସରଣ କଲା ବିକାଶ । କେତେଗୁଡ଼ିଏ ଘର ଅତିକ୍ରମ କଲାପରେ ସେମାନେ ତେର ନମ୍ବର ରୁମ୍ ପାଖରେ ଆସି ପହଞ୍ଚିଲେ । ଦୁଆର ମୁହଁରେ ଜଣେ ଭୃତ୍ୟ ଅପେକ୍ଷାରେ ଥିଲା, ସେମାନଙ୍କୁ ଦେଖି ନମସ୍କାର କରି ଆଡ଼େଇ ଯିବାପରେ ରଜତବାବୁଙ୍କ ସହିତ ଭିତରକୁ ଆସିଲା ବିକାଶ ।

ଭୃତ୍ୟ ଆସି ଲାଇଟ୍ ଗୁଡ଼ିକ ଜଳାଇଦେଲା । ଉଜ୍ଜ୍ୱଳ ଆଲୋକରେ ଘରର ସମସ୍ତ ଜିନିଷ ଆଖି ଆଗରେ ଉଜ୍ଜ୍ୱଳତମ ହୋଇ ଉଠିଲା । ରଜତବାବୁ କହିଲେ—ଆପଣ ତାହାହେଲେ ଥାଆନ୍ତୁ, ମୁଁ ଚାଲିଲି । ଆପଣଙ୍କର କୌଣସି ଅସୁବିଧା ହେଲେ କାଳନ୍ଦିକୁ କହିବେ, ସେ ସମସ୍ତ ଠିକ୍ କରିଦେବ । ଆଟେଚ୍ଡ଼ ବାଥରୁମ୍...ଶୀଘ୍ର ଫ୍ରେସ୍ ହୋଇ ରେଷ୍ଟ୍ ନିଅନ୍ତୁ ।

ରଜତବାବୁ ଚାଲିଗଲେ । ବିକାଶ ପୋଷାକ-ପତ୍ର ଛାଡ଼ି ନିତ୍ୟକର୍ମ ସମାପ୍ତ ଲାଗି ପ୍ରସ୍ତୃତ ହେଲା । ଅଳ୍ପ ସମୟ ମଧ୍ୟରେ ସେ ଯେତେବେଳେ ରୁମ୍‌କୁ ଫେରିଆସେ, ଦେଖିଲା ଜଣେ ଭୃତ୍ୟ ଟେବୁଲ ଉପରେ ପ୍ରାତସରଞ୍ଜ ସଜାଡ଼ି ରଖି ଅପେକ୍ଷାରେ ରହିଛି । ଜଣେ ଭୃତ୍ୟା ଚା ଧରି ଠିଆହୋଇଛି ଟେବୁଲ ପାଖରୁ ଅଳ୍ପଦୂରରେ ।

ବିକାଶକୁ ଦେଖି ସ୍ତ୍ରୀ ଲୋକଟି ଟ୍ରେ-ଟିକୁ ଟେବୁଲର ଏକପାର୍ଶ୍ୱରେ ରଖିଦେଇ ଖାଦ୍ୟବସ୍ତୁ ଗୁଡ଼ିକ ଉପରୁ ଢାଙ୍କୁଣୀ ଗୁଡ଼ିକ ଖୋଲିଦେଇ ପ୍ଲେଟ୍ ଗୁଡ଼ିକ ସଜାଡ଼ି ଦେଲା ।

ବିକାଶ ପୋଷାକ ବଦଳାଇ, ଡାଇନିଂ ଟେବୁଲ ପାଖକୁ ଆସିବା ମାତ୍ରେ ସେ ଦୁହେଁ ବାହାରକୁ ବାହାରି ଆସିଲେ ।

ବୋଧହୁଏ ସେମାନେ ଅପେକ୍ଷା କରିଥିଲେ କେତେବେଳେ ବିକାଶର ଖିଆ ପିଆ ଶେଷ ହେବ । ଶେଷହେବା ଦେଖି ଭୃତ୍ୟଟି ଭିତରକୁ ଆସି ବିକାଶ ହାତକୁ ନେପକିନ୍ ବଢ଼ାଇ ଦେଲା ।

ଭୃତ୍ୟା ମଧ୍ୟ ପ୍ରସ୍ତୁତ ଥିଲା । ସେ ଭିତରକୁ ଆସି କପ୍ ପ୍ଲେଟ୍ ଟ୍ରେ-ରୁ ବାହାର କରି କଫି ଢାଳି ଆଗେଇ ଦେଲା ବିକାଶ ଆଡ଼କୁ ।

କଫି ପାନାନ୍ତେ ଭୃତ୍ୟ ଓ ଭୃତ୍ୟା ସରଞ୍ଜାମ ଗୁଡ଼ିକ ନେଇ ଚାଲିଗଲେ । ବିକାଶ ଶଯ୍ୟାରେ ଆସି ଆଶ୍ରୟ ନେଲା ଏବଂ ସଙ୍ଗେ ସଙ୍ଗେ ପ୍ରାୟ ନିଦ୍ରାଭିଭୂତ ହୋଇ ପଡ଼ିଲା ।

ହଠାତ୍ ନିଦଟା ତାର ଭାଙ୍ଗିଗଲା । ମନେହେଲା ଟୁଂ-ଟାଂ ଶବ୍ଦ ଆସୁଛି କେଉଁଆଡ଼ୁ । ଚକିତରେ ଶଯ୍ୟାଉପରେ ଥାଇ ମୁହଁ ଫେରାଇ ଦେଖିଲା ଭୃତ୍ୟ ଡାଇନିଂ ଟେବୁଲଟିକୁ ପରିଷ୍କାର କରୁଛି । ତାକୁ ଉଠିବାର ଦେଖି ସକାଳର ସେହି ଭୃତ୍ୟାଟି ଟ୍ରେ ଧରି ଭିତରକୁ ଆସିଲା।

ବିକାଶ ମୁହଁ ହାତ ଧୋଇ ଆସୁ ଆସୁ ଟେବୁଲ ଉପରେ ଦୃଷ୍ଟି ପଡ଼ିଲା ମାତ୍ରେ ଦେଖିଲା ଦୁଇଟି ସ୍ଥାନରେ—ଟେବୁଲର ସାମନାସାମନିରେ ପ୍ଲେଟ ଗୁଡ଼ିକ ସଜଡ଼ା ହୋଇଛି । ଚକିତରେ ତାର ମନେ ପଡ଼ିଯାଏ, ରାଜାସାହେବ କହୁଥିଲେ ଦୁହେଁ ଉପରବେଳା ଏକତ୍ର ପାନାହାର କରିବେ ବୋଲି ।

ରିଷ୍ଟଓ୍ୟାଚ ଆଡ଼େ ନଜର ଦେଲା ବିକାଶ, ପାଞ୍ଚଟା ବାଜିବାକୁ ପନ୍ଦର ମିନିଟ୍ ଅଛି । ରାଜାସାହେବ ତାହାହେଲେ ଫେରିଲେଣି । ଅନେକବେଳ ଯାଏ ସେ ଶୋଇପଡ଼ିଛି । ...ଛି-ଛି, ରାଜାସାହେବ ଯଦି ଜାଣିଥାନ୍ତି କଣ ସେ ମନେକରିବେ ।

ଭୃତ୍ୟମାନେ ଟେବୁଲ ପରିଷ୍କାର ଓ ପରିଚ୍ଛନ୍ନରେ ଲାଗିଥାନ୍ତି—ବିକାଶ ଭୃତ୍ୟାଟିକୁ ପାଖକୁ ଡାକି ପଚାରିଲା ରାଜାସାହେବ ଫେରିଛନ୍ତି କି ନା ବୋଲି ।

 

ଯେତେବେଳେ ଶୁଣିଲା ରାଜାସାହେବ ଫେରିଛନ୍ତି ଓ ବର୍ତ୍ତମାନ ଡାଇନିଂ ଟେବୁଲକୁ ଆସିବେ, ସେ ଆଉ ବିଳମ୍ବ ନ କରି ପୋଷାକ ବଦଳାଇବାରେ ଲାଗିପଡ଼ିଲା ଏବଂ ଅଳ୍ପ ସମୟ ମଧ୍ୟରେ ପ୍ରସ୍ତୁତ ହୋଇ ରାଜାସାହେବଙ୍କର ଅପେକ୍ଷାରେ ରହିଲା ।

 

ଭୃତ୍ୟା ଓ ଭୃତ୍ୟ ବାହାରକୁ ଚାଲିଗଲେ । ବାହାରୁ ଯୋତାର ଶବ୍ଦ ଶୁଣିପାରି ଦୁଆର ଆଡ଼େ ଚାହିଁଲା ବିକାଶ । ରାଜା ରୁପନାରାୟଣ ସିଂ ଭିତରକୁ ଆସି କରମର୍ଦ୍ଦନ କଲେ ।

 

ମୂଲ୍ୟବାନ ପୋଷାକ ପିନ୍ଧିଥାନ୍ତି ରାଜା ରୁପନାରାୟଣ ସିଂ । ଅତି ସୁପ୍ରତିଭ । ମୁଣ୍ଡର ବାଳଗୁଡ଼ିକ ବ୍ୟାକ୍ ବ୍ରାସ ହୋଇଛି—ବୟସ ଅନୁମାନ ବତିଶ ତେତିଶ ମଧ୍ୟରେ । ବଳିଷ୍ଠ ଚେହେରା-

 

ଆସନ୍ତୁ ମି-ଚୌଧୁରୀ, ଡାଇନିଂ ଟେବୁଲକୁ ଆସନ୍ତୁ । ଅଧଘଣ୍ଟା ମଧ୍ୟରେ ଫେରିଲି, ମିଟିଂରେ ବିଶେଷ କିଛି ସୁବିଧା ହେଲାନି—ପୁଣି ଗୋଟାଏ ଡେଟ୍‍କୁ ଘୁଞ୍ଚିଗଲା ।

 

ଉଭୟେ ଆସି ଡାଇନିଂ ଟେବୁଲରେ ବସିଲେ । ପରିବେଷଣକାରୀମାନେ ଖାଦ୍ୟବସ୍ତୁ ଆଣି ଟେବୁଲ ଉପରେ ରଖିଲେ ।

 

ପାନାହାର ମଧ୍ୟରେ ଉଭୟଙ୍କ ଭିତରେ କୌଣସି କଥା ବାର୍ତ୍ତା ହୋଇନି । ବିକାଶ ମଧ୍ୟ କିଛି ପଚାରିବାକୁ ଇଚ୍ଛା କଲାନି । ସିକ୍ରେଟ୍ ବିଷୟ ନେଇ ସେ ଏଠାକୁ ଆସିଛି, ପଦାରେ କଥା ପକାଇବାରେ ଉଚିତ ହେବନି ।

 

ଆହାର ଓ ପାନୀୟ ସେବନ ନିଶବ୍ଦରେ ଶେଷ ହୋଇଗଲା । ବିକାଶ ଏଥର ଆଉ ନୀରବ ନ ରହି ପଚାରିଲା—ଆପଣଙ୍କର ଆଉ କିଛି ଏନଗେଜମେଣ୍ଟ ଅଛି କି ?

 

ନା—ବର୍ତ୍ତମାନ ଆପଣଙ୍କୁ ସାଙ୍ଗରେ ନେଇ ରାଜାପ୍ରସାଦ ଭିତରକୁ ଯିବି । ସେଇଠାରେ ଆମ୍ଭମାନଙ୍କର ଆଲୋଚନା ଚାଲିବ । ...କହିଲେ ରୁପନାରାୟଣସିଂ ।

 

ଚାଲନ୍ତୁ, ଆପଣଙ୍କର କଥା ନ ଶୁଣିବାଯାଏ ଅନ୍ୟ କଥା ମୁଁ ଚିନ୍ତା କରିପାରୁନି । ଆମ୍ଭମାନଙ୍କର ଡିସକସନ୍ ମଧ୍ୟରେ ତୃତୀୟ ବ୍ୟକ୍ତି କେହି ଯେପରି ନରୁହନ୍ତି, ରାଜାସାହେବ—ବିକାଶ କହିଲା ।

 

I am very practical ମି-ଚୌଧୁରୀ ! ଆପଣ ଏ ସମ୍ୱନ୍ଧରେ କୌଣସି ଚିନ୍ତା କରିବେନି । ଆମ୍ଭେ ଦୁଇଜଣ ବ୍ୟକ୍ତି ଛଡ଼ା ତୃତୀୟର ଅସ୍ତିତ୍ୱ ପାଇବେନି । ...Let us go...

 

ଚାଲନ୍ତୁ...

 

ଉଭୟେ ବାହାରିଲେ । ପୁଣି କେତେଗୁଡ଼ିଏ ଘର ଅତିକ୍ରମ କରି ରାଜାସାହେବଙ୍କର ପଛେ ପଛେ ଆଉ ଏକ କକ୍ଷକୁ ଆସିଲା ସେ ।

 

ସୁସଜ୍ଜିତ କକ୍ଷଟି । ଅବଶ୍ୟ ଆସବାନ୍‍ପତ୍ରର ବାହୁଲ୍ୟତା ନାହିଁ । କେଉଁ ଆଡ଼ୁ ଆଲୋକ ଘର ଭିତରକୁ ଆସୁଛି ତାହା ବୁଝିପାରେନା ବିକାଶ ।

 

ଦୁଇଟି କୃସନରେ ଦୁହେଁ ପାଖାପାଖି ବସିଲେ । କେତୋଟି ମୁହୂର୍ତ୍ତ ନିସ୍ତବ୍ଧତା ଭିତରେ କଟିଗଲାପରେ ରାଜାସାହେବ କହିଲେ—ଶୁଣନ୍ତୁ, ମି-ଚୌଧୁରୀ ! ଯେଉଁ କାରଣରୁ ଆପଣଙ୍କୁ ଏତେଦୂରରୁ ଡକାଇ ପଠାଇଛି, ବର୍ତ୍ତମାନ ସେଇକଥା ଆରମ୍ଭ କରୁଛି । ମୋର ବିବାହ ଅଳ୍ପଦିନ ହେଲା ହୋଇଛି । ବିବାହ ସମୟରେ ମୋର ଶ୍ୱଶୁର ସ୍ତ୍ରୀଙ୍କୁ ଗୋଟିଏ ମୁଦି ଉପହାର ଦେଇଥିଲେ, ଯେଉଁ ମୁଦିଟିର ଐତିହାସିକ back ground ଅଛି ବୋଲି କୁହାଯାଇପାରେ ।

 

ମୁଦି କଥା ଶୁଣି ବିକାଶର ମନରେ ସନ୍ଦେହ ଉଙ୍କି ମାରିଲା । ପଚାରିଲା—ଆପଣଙ୍କ ସହିତ ହିମାଳୟସିଂ ବୋଲି କୌଣସି ରାଜବଂଶୀୟ ବ୍ୟକ୍ତିଙ୍କର ପରିଚୟ ଅଛିକି ?—

 

ଆଶ୍ଚର୍ଯ୍ୟ ! ରୁପନାରାୟଣସିଂ ବିସ୍ମୟରେ ଅଭିଭୂତ ହୋଇ ପଡ଼ିଲେ । ତାଙ୍କର ପ୍ରଶସ୍ତ ଲଲାଟ କୁଞ୍ଚିତ ହୋଇଆସିଲା ।

 

କଣ ହେଲା ରାଜାସାହେବ ! ମନେହେଉଛି ହିମଳାୟ ସିଂ ଆପଣଙ୍କର ପରିଚିତ । ଆଚ୍ଛା, କେତକୀଦେବୀ ନିଶ୍ଚୟ...

 

ଆପଣ ତାହାହେଲେ କେତକୀକୁ ମଧ୍ୟ ଚିହ୍ନନ୍ତି ? କେତକୀ ମୋର ସ୍ତ୍ରୀ...

 

ଆଇ-ସି ! ହିମାଳୟ ସିଂ ଭଲରେ ଅଛନ୍ତିତ’ ?

 

ନା, ମି-ଚୌଧୁରୀ ! ଗତବର୍ଷ ସେ expire କରିଛନ୍ତି । ଆପଣ ମୁଦିଟି ସମ୍ବନ୍ଧରେ କିଛି କିଛି ଜାଣନ୍ତି ବୋଲି ମନେହେଉଛି । କେତେକୀ ସହିତ ଯେତେବେଳେ ଆପଣଙ୍କର ପରିଚୟ ଅଛି–

 

ଶୁଣନ୍ତୁ, ରାଜାସାହେବ ! ମୁଦିର ଇତିହାସ ମୋର ଅଜଣା ନୁହେଁ । ଦସ୍ୟୁ ଭୀମସେନ୍ ହାତରୁ ଏହି ଐତିହାସିକ ମୁଦିକୁ ଉଦ୍ଧାର କରି ହିମାଳୟସିଂଙ୍କୁ ଦେଇଥିଲେ ମଧ୍ୟ ଦସ୍ୟୁ ଭୀମସେନ୍ ମୋର ହାତମୁଠାକୁ ଆସି ଖସି ପଳାଇଛି । ମୁଁ ମଧ୍ୟ ତାର ସନ୍ଧାନ ଜାଣିବା ପାଇଁ ଉତ୍ସୁକ । ସେ ସେଦିନ ହାତମୁଠାରୁ ଖସିଯାଇ ଫୋନରେ ଚାଲେଞ୍ଜ କରିଛି ପୁଣି ତା ସହିତ ସାକ୍ଷତ ହେବ । ମନେହୁଏ ସେହି ସାକ୍ଷାତଟା ଏହିଠାରେ ହୋଇଯିବ ।

 

ଆପଣ କଣ ଭାବୁଛନ୍ତି ସେହି ଦସ୍ୟୁ ଭୀମସେନ୍‍ର ଆବିର୍ଭାବ ଏଠାରେ ଘଟିଛି ବୋଲି-?

 

ମୋର ଧାରଣା ସେଇୟା । ତାର ଆବିର୍ଭାବ ଯେ ଏଠାରେ ଘଟିଛି ସେପରି ପ୍ରମାଣ ମୁଁ ସାଙ୍ଗରେ ନେଇ ଆସିଛି । କିନ୍ତୁ ଆପଣ ତାର କବଳରେ ଆସି ପଡ଼ିଲେ କିପରି ? ... ପଚାରିଲା ବିକାଶ ।

 

ରୁପନାରାୟଣ ସିଂ ପକେଟରୁ ଖଣ୍ଡିଏ ଚିଠି ବାହାର କରି ବିକାଶ ହାତକୁ ବଢ଼ାଇ ଦେଉ ଦେଉ କହିଲେ—ଚିଠିଟିରେ ସେ ଲେଖିଛି, ଯଦି ଆସନ୍ତା ଅଠର ତାରିଖରେ ମୁଦିଟିକୁ ଡାକବଙ୍ଗଳା ପାଖକୁ କାହା ହାତରେ ନ ପଠାଯାଏ ତାହାହେଲେ ଉଣେଇଶ ତାରିଖ ରାତି ବାରଟା ପରେ ଯେ କୌଣସି ଏକ ସମୟରେ ଡିନାମାଇଟରେ ରାଜପ୍ରାସାଦଟା ଉଡ଼ିଯାଇପାରେ । ମୁଦି ପଠାଇଲେ ନେବାର ଦାୟିତ୍ୱ ତାର...

 

ବିକାଶ ଚିଠିଟିକୁ ପଢ଼ି ପୁଣି ରାଜାସାହେବଙ୍କୁ ଫେରାଇଦେଲା ।

 

ବିକାଶ ହାତରୁ ଚିଠି ଖଣ୍ଡିକ ନେଇ ରାଜାସାହେବ କହିଲେ—ଚିଠି ଖଣ୍ଡିକ କି ଆପଣଙ୍କର ଦରକାରରେ ଆସିପାରେ, ମି-ଚୌଧୁରୀ !

 

ନା । ଦରକାର ନାହିଁ । ଆଚ୍ଛା, କେତକୀ ଦେବୀ କି ଚିଠି ଖଣ୍ଡିକର କଥା ଜାଣନ୍ତି ?

 

ନା, ମି-ଚୌଧୁରୀ ! ମୁଁ ଏପର୍ଯ୍ୟନ୍ତ କେତକୀକୁ ଏ ବିଷୟରେ କିଛି ଜଣାଇନାହିଁ ।

 

ମୁଦିଟିକୁ ସେଫ୍-କଷ୍ଟଡ଼ିରେ ରଖିଛନ୍ତି ତ ?

 

ରଖିଛି ।

 

ଦୟାକରି କାଲି ମୋତେ ଦେଖାଇବେ ?

 

ନିଶ୍ଚୟ । ...କେତକୀ ସହିତ ଦେଖା କରିବେ କି ?

 

ଆଜି ନୁହେଁ । ମୁଁ ଆସିଛି ବୋଲି ମଧ୍ୟ ତାଙ୍କୁ କିଛି କହିବେନି, ରାଜାସାହେବ—ଏତିକି ମୋର ଅନୁରୋଧ । ମୁଁ ବର୍ତ୍ତମାନ କାହାରିକୁ ନିଜର ପରିଚୟ ଦେବାକୁ ଚାହେଁନା । ଆପଣଙ୍କର ସେକ୍ରେଟରୀ ଆଇ ମିନ୍, ରଜତବାବୁ କି ଆପଣଙ୍କର ଖୁବ୍ ବିଶ୍ୱାସୀ ।

 

ହଁ, ମି-ଚୌଧୁରୀ ! ରଜତ is a fine and perfect gentleman, ବାବା ଠିକ୍ ଲୋକ ଦେଖି appoint କରିଛନ୍ତି । ଆପଣ ନିଶ୍ଚୟ ତାଙ୍କ ସହିତ କଥାବାର୍ତ୍ତା କରି ବୁଝିପାରିଥିବେ । ଲୋକଚରିତ୍ର ସମ୍ବନ୍ଧରେ ଆପଣଙ୍କୁ ଆଉ ବିଶେଷ କଣ କହିବି ।

 

ଆଉ ଗୋଟିଏ କଥା ରାଜାସାହେବ ! କାଲି ସକାଳେ ମୁଁ ବ୍ରେକଫାଷ୍ଟ ପୂର୍ବରୁ ଆପଣଙ୍କ ସହିତ ଦେଖା କରିବି ଏହି ଘରେ । ମୁଁ ଛଦ୍ମବେଶରେ ଆସିବି । ଆପଣଙ୍କର ଅଫିସ ପିଅନର ପୋଷାକରେ କେତେଗୁଡ଼ିଏ ଫାଇଲ୍ ନେଇ ସାଇକେଲରେ ମୁଁ ଆସି ଦେଖାକରିବି । ଆପଣ ଯଦି ରାତି ଭିତରେ ପିଅନ ପେଷାକ, କେତେଗୁଡ଼ିଏ ଫାଇଲ ଓ ଖଣ୍ଡିଏ ସାଇକେଲ୍ ରଜତବାବୁଙ୍କ କ୍ୱାଟରକୁ ପଠାଇଦିଅନ୍ତି, ମୁଁ କୌଣସି ଏକ ସମୟରେ ତାଙ୍କ ସହିତ ଦେଖାକରି ସେ ଗୁଡ଼ିକ ତାଙ୍କ ପାଖରୁ ନେଇଯାଇ ପାରିବି । ଆଉ ମଧ୍ୟ, ଆପଣ ଦରଓ୍ୟାନ୍‍ଙ୍କୁ ଆଦେଶ ଦେଇଥିବେ ସକାଳେ କୌଣସି ପିଅନ ଅଫିସ କାଗଜପତ୍ର ନେଇ ଆସିଲେ ତାକୁ ସେ ଯେପରି କୌଣସି ପ୍ରଶ୍ନ ନ କରି ଭିତରକୁ ଛାଡ଼ିଦିଏ...

 

ରାଜାସାହେବ ହସି ହସି ସମ୍ମତି ଜଣାଇଲେ ।

 

ବିକାଶ ଉଠିବା ପୂର୍ବରୁ କହିଲା—ଆପଣ ମୁଦିଟାକୁ ସାଙ୍ଗରେ ଆଣି ଏଇଘରେ ଅପେକ୍ଷା କରିଥିବେ, ମୁଁ ନିଶ୍ଚୟ ଆସୁଛି ।

 

ବିକାଶ ବିଦାୟ ନେଇ ଚାଲିଗଲା ।

 

ପରଦିନ ଯଥା ସମୟରେ ବିକାଶ ଆସି ପହଞ୍ଚିଲା । ରାଜାସାହେବ ମଧ୍ୟ ପ୍ରସ୍ତୁତ ଥିଲେ । ଆଖ ପାଖରେ କେହି ଯେପରି ନଥାନ୍ତି ସେଥିପାଇଁ ସେ ସମସ୍ତ ବ୍ୟବସ୍ଥା କରି ରଖିଲେ ।

 

ଏକ ସମୟରେ ଆହାରାଦି ମଧ୍ୟ ଶେଷ ହୋଇଗଲା । ରାଜାସାହେବ କହିଲେ—ମୁଦିଟିକୁ ବର୍ତ୍ତମାନ ଦେଖିବେତ ?

 

ହଁ, ରାଜାସାହେବ ! ଆଣିଛନ୍ତି ?

 

ରାଜାସାହେବ ହସି ହସି କହିଲେ—ଆପଣ ଦେଖିବେ ବୋଲି କହିଥିଲେ, ନ ଦେଖାନ୍ତି କିପରି ?

 

ପକେଟରୁ ସିଲକ୍ ରୁମାଲରେ ବନ୍ଧା ଗୋଟିଏ ପୁଡ଼ିଆ ବାହାର କରି ଟେବୁଲ ଉପରେ ରଖି ପୁଡ଼ିଆ ଫିଟାଇ ଗୋଟିଏ ଛୋଟ କ୍ୟାସକେଟ୍ ବାହାର କରି କ୍ୟାସକେଟର ଡାଲା ଖୋଲିବା ମାତ୍ରେ ମୁଦିଟି ଦେଖାଗଲା । ଅତ୍ୟଜ୍ଜଳ ପଥର ଦେହରେ ବିଦ୍ୟୁତର ଆଲୋକ ପଡ଼ି ଚକ୍ ଚକ ଦେଖାଯାଉଥାଏ ।

 

ବିକାଶ କ୍ୟାସକେଟରୁ ମୁଦିଟାକୁ ବାହାର କରି ହାତରେ ଧରି ଏ ପାଖ ସେ ପାଖ ଘୂରାଇ ପରୀକ୍ଷା କରିବାକୁ ଲାଗିଲା ।

 

ରାଜାସାହେବ ଏକଧ୍ୟାନରେ ଚାହିଁଥାନ୍ତି ବିକାଶର ମୁହଁକୁ । ଘନ ଘନ ପରିବର୍ତ୍ତନ ହେଉଥାଏ ବିକାଶର ମୁହଁର ରେଖାଗୁଡ଼ିକ ।

 

ଏକସମୟରେ ବିକାଶ ମୁଦିଟିକୁ କାସକେଟ୍ ଭିତରେ ରଖିଦେଇ ଡାଲାଟିକୁ ଘୋଡ଼ାଇ ଦେଲା । ରାଜାସାହେବଙ୍କ ଆଡ଼କୁ ବାକ୍ସଟିକୁ ଠେଲି ଦେଇ ନିରସ କଣ୍ଠରେ କହିଲା—ଆପଣ ପ୍ରତାରିତ ହୋଇଛନ୍ତି, ରାଜାସାହେବ ! ଏ ମୁଦିଟି ହିମାଳୟ ସିଂ ଦେଇଥିବା ମୁଦି ନୁହେଁ । ସେ ମୁଦିଟି ସହିତ ମୁଁ ଯେ ବିଶେଷଭାବେ ପରିଚିତ ।

 

ରାଜାସାହେବଙ୍କର ଲଲାଟରେ ବିନ୍ଦୁ ବିନ୍ଦୁ ହୋଇ ସ୍ୱେଦ ବିନ୍ଦୁ ଦେଖାଗଲା । ବିକାଶ ଲକ୍ଷ୍ୟ କଲା ରାଜା ରୁପନାରାୟଣସିଂଙ୍କର ହାତର ଆଙ୍ଗୁଳି ଗୁଡ଼ିକ କମ୍ପିବାକୁ ଲାଗିଛି । କହିଲେ—ଆପଣ ଠିକ୍‍ ଚିହ୍ନିପାରୁଛନ୍ତି ତ ମି-ଚୌଧୁରୀ !

 

ଆପଣଙ୍କ ସହିତ ପରିହାସ କରୁନି, ରାଜାସାହେବ । କେତକୀ ଦେବୀ ଯଦି ଚେଷ୍ଟା କରନ୍ତି ସେ ମଧ୍ୟ ଏହି ରତ୍ନଟିରେ ଥିବା ଡିଫେକଟ୍ ଟିକକ ବୁଝିପାରିବେ ।

 

ତାହାହେଲେ ବର୍ତ୍ତମାନ ଉପାୟ ?

 

ମନେହେଲା ରାଜାସାହେବ ଯେପରି ଅତିମାତ୍ରାରେ ନର୍ଭସ ହୋଇ ପଡ଼ିଛନ୍ତି ।

 

ବିକାଶକୁ ମଧ୍ୟ ଚିନ୍ତାନ୍ୱିତ ହେବାର ଦେଖାଗଲା । କେତୋଟି ମୁହୂର୍ତ୍ତ ଅତିବାହିତ ହୋଇଗଲା । ଘର ଭିତରେ ମୃତ୍ୟୁପରି ଶୀତଳ ସ୍ତବ୍ଧତା ।

 

ବିକାଶ ପ୍ରଥମେ ନୀରବତା ଭଙ୍ଗକରି କହିଲା—ବ୍ୟସ୍ତ ହେବେନି, ରାଜାସାହେବ ! ମୁଁ ମୋର ଯଥା—ସାଧ୍ୟ ଚେଷ୍ଟା କରିବି ଏହି ରତ୍ନଟିକୁ ଉଦ୍ଧାର କରିବା ପାଇଁ । ଏଥିରେ ଦସ୍ୟୁ ଭୀମସେନ୍ ବ୍ୟତୀତ ଅନ୍ୟ କାହାରି ହାତନାହିଁ । ସେ ଯେତେବେଳେ ଚାଲେଞ୍ଜ କରିଛି, ନିଶ୍ଚୟ ତା’ ସହିତ ମୋର ସାକ୍ଷାତ ଘଟିବ । ଭାବୁଛି, ଆଉ ବୋଧହୁଏ ବିଶେଷ ଡେରି ନୁହେଁ...

 

ବିକାଶ ଉଠିଲା । ଫାଇଲପତ୍ର ନେଇ ବାହାରିବାବେଳେ ଦୁଆର ମୁହଁର ସ୍କ୍ରିନ୍ ଆଡ଼େଇ ଦେବା ସଙ୍ଗେ ସଙ୍ଗେ ତାର ମନେହେଲା କିଏ ଜଣେ ପାଖ ପ୍ୟାସେଜ୍ ଦେଇ ହଠାତ୍ ଅଦୃଶ୍ୟ ହୋଇଗଲା । କେବଳ ଶାଢ଼ୀର ପ୍ରାନ୍ତ ଭାଗଟି ଦେଖାଗଲା ତାକୁ ।

 

ବିକାଶ ମୁହୂର୍ତ୍ତେ କଣ ଚିନ୍ତାକରି ବାହାରକୁ ବାହାରି ଆସିଲା ।

 

ପରଦିନ ବିଛଣାରୁ ଉଠି ନଥାନ୍ତି ରାଜାସାହେବ, ହଠାତ୍ ଟେଲିଫୋନର ଶବ୍ଦରେ ନିଦ୍ରା ତାଙ୍କର ଭାଙ୍ଗିଗଲା । ଏକମିନିଟ୍ କଥାବାର୍ତ୍ତା ପରେ ସେ କେବଳ ମୁହଁଟାକୁ ଧୋଇ ଡ୍ରାଇଭରକୁ ଗାଡ଼ି ବାହାର କରିବା ପାଇଁ କହି ପୋଷାକ ବଦଳାଇବାକୁ ଲାଗିଲେ ।

 

ଅଳ୍ପ ସମୟପରେ ଗାଡ଼ି ଆସି ଥାନା ପାଖରେ ପହଞ୍ଚିଲା । ବିକାଶ ଓ ପୁଲିସ ଅଧ୍ୟକ୍ଷ ନଟରାଜନ୍ ଅଭ୍ୟର୍ଥନା କରି ନେଇଗଲେ ଅଫିସ ରୁମ୍ ଭିତରକୁ ।

 

ଚା’ ପାନାଦି ପରେ ବିକାଶ କହିଲା—ଆପଣ ଠିକ୍ ସମୟରେ ମୋତେ ଡକାଇ ପଠାଇଥିଲେ ରାଜାସାହେବ ! ଆଉ ଟିକିଏ ବିଳମ୍ୱ କରିଥିଲେ ନିଶ୍ଚୟ ଆପଣ ମହାମୂଲ୍ୟ ରତ୍ନଟିକୁ ହରାଇଥାନ୍ତେ ଓ ସରକାର ମଧ୍ୟ ସମାଜର ଏକ ଆତଙ୍କକୁ ଧରି ନପାରି ନାଗରିକମାନଙ୍କ ଠାରୁ ନାନାପ୍ରକାର ଅଶ୍ରାବ୍ୟ କଥା ଶୁଣିଥାନ୍ତେ...

 

ଆପଣ ତାହାହେଲେ ରତ୍ନଟି ସହ ଆସାମୀକୁ ଧରିପାରିଛନ୍ତି, ମି-ଚୌଧୁରୀ ! ...ପଚାରିଲେ ରୁପନାରାୟଣସିଂ ।

 

ଧରିପାରିଛି ଅବଶ୍ୟ କିନ୍ତୁ ମୁଁ ଏକା ପ୍ରଶଂସାର ଭାଗୀଦାର ନୁହେଁ-ମହାମାନ୍ୟ ପୁଲିସ ଅଧ୍ୟକ୍ଷ ମି-ନଟରାଜନ ମଧ୍ୟ ଅଂଶୀଦାର ଏଥିରେ ହୋଇପାରିବେ । ତାଙ୍କର ବିନା ସାହାଯ୍ୟରେ ଏତେଶୀଘ୍ର କେସଟିର ସମାପ୍ତି ଘଟିପାରି ନଥାନ୍ତା ।

 

ମୁଦିଟି ବାହାରକୁ କିପରି ଆସିଲା, ମି-ଚୌଧୁରୀ !

 

ଆପଣଙ୍କର ସ୍ତ୍ରୀ-ଙ୍କର ପ୍ରଧାନ ପରିଚାରିକା ସୁମତି ହାତରେ ରତ୍ନଟି ବାହାରକୁ ଆସିଛି । ସୁମତି ଦସ୍ୟୁ ଭୀମସେନର ଲୋକ । ଭୀମସେନ୍ ଆମ ପାଖରୁ ପଳାଇଗଲେ ସୁଦ୍ଧା ମୁଦିଟିର ମାୟା ସେ ଛାଡ଼ି ପାରିନି । ସେ ଠିକ୍ ଜାଣି ପାରିଥିଲା ହିମାଳୟସିଂ ମୁଦିଟିକୁ କେତକୀ ଦେବୀଙ୍କୁ ବିବାହବେଳେ ଉପହାର ଦେଇଛନ୍ତି, ଏବଂ ସେହି ଦିନଠାରୁ ସେ ସୁମତିକୁ ଅନ୍ଦର ମହଲରେ ରଖାଇବାର ବ୍ୟବସ୍ଥା କରିଛି ।

 

କିପରି ? —ମୁଁ ତ ଏ ସମସ୍ତ ଜାଣେନା...ରାଜାସାହେବ କହିଲେ ।

 

ସେ ଏକ ଇତିହାସ । ସୁମତି ଆପଣଙ୍କର ଶ୍ୱଶୁରଙ୍କର ଚିଠି କେତକୀ ଦେବୀଙ୍କ ପାଖକୁ ଆଣିଥିଲା । ପିତାର ଅନୁରୋଧ ରକ୍ଷା କରି ରାଣୀସାହେବା ତାକୁ ପ୍ରଧାନ ପରିଚାକରି ପାଖରେ ରଖିଥିଲେ । ଅବଶ୍ୟ ଚିଠି ଖଣ୍ଡିକ ଜାଲ୍—ଭୀମସେନ୍ ଏ ସମସ୍ତର ବନ୍ଦୋବସ୍ତ କରି ଦେଇଥିଲା ।

 

ତାପରେ ଶୁଣନ୍ତୁ ରାଜାସାହେବ ! ରାଣୀସାହେବଙ୍କର କୌଣସି ଏକ ଅସତର୍କ ମୁହୂର୍ତ୍ତରେ ସୁମତି ରତ୍ନମୁଦିଟିର ଅବସ୍ଥାନ ସମ୍ବନ୍ଧରେ ସବୁ କିଛି ଜାଣି ପାରିଥିଲା । ନିଜର ପ୍ରତିଭା ଦେଖାଇ ସେ ତାଙ୍କର ଅତି ବିଶ୍ୱାସ ଭାଜନ ହୋଇଥିଲା । ସୁଯୋଗ ଦେଖି କୌଣସି ଏକ ସମୟରେ ଝୁଟା ମୁଦିଟି ରଖି ଅସଲଟିକୁ ହସ୍ତଗତ କରି ନେଇଛି ।

 

ତା’ପରେ—

 

ଶୁଣନ୍ତୁ, ମୁଁ ଯେ ଏଠାକୁ ଆସିଛି ଏ ସମ୍ବାଦ ମଧ୍ୟ ଭୀମସେନର ଅଜ୍ଞାତ ନଥିଲା । ମୁଁ କାଲି ସକାଳେ ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା ବେଳେ କିଏ ଜଣେ ବାହାରେ ଥାଇ ଆମ କଥା ଶୁଣିବାକୁ ଚେଷ୍ଟା କରୁଥିଲା, ମୁଁ ଯେତେବେଳେ ବାହାରକୁ ଆସେ, ସେ ପଳାୟନରତ ଥିବାବେଳେ ମୁଁ ଶାଢ଼ୀର କିୟବଂଶ ଦେଖିପାରି ବୁଝିପାରିଥିଲି ଅପହରଣକାରୀ ଜଣେ ନାରୀ ଓ ରତ୍ନଟି ଏପର୍ଯ୍ୟନ୍ତ ଅନ୍ଦର ମହଲ ମଧ୍ୟରେ ରହିଛି । ସଙ୍ଗେ ସଙ୍ଗେ ନିକଟସ୍ଥ ଥାନାକୁ ଆସି ନଟରାଜନଙ୍କୁ ଥାନାକୁ ଡକାଇ ପଠାଇ ପ୍ରାସାଦର ବାହାରକୁ କିମ୍ୱା ଭିତରକୁ କିଏ ଯାଉଛି ଅବା ଆସୁଛି ତାହା ଲକ୍ଷ୍ୟ ରଖିବା ଲାଗି କେତେଜଣ ଲୋକ ନିଯୁକ୍ତ କରିବାକୁ ଅନୁରୋଧ କଲି ।

 

ସାରାଦିନଟା ବ୍ୟର୍ଥତାରେ ଗଲା, କିନ୍ତୁ ସୁଫଳ ପାଇଲି ରାତି ଦଶଟା ପରେ । ସୁମତି ଭିତରୁ କେଉଁବାଟେ ବାହାରକୁ ଆସିଲା ଜାଣେନା, କିନ୍ତୁ ନିଶବ୍ଦରେ ସେ ଠିଆହେଲା ଆସି ଗୋଟିଏ ଗଛ ମୂଳରେ । ଚାରିଆଡ଼ ଅନ୍ଧକାର । ହଠାତ୍ ଗୋଟିଏ ନୀଳ ଆଲୋକ ତିନିଥର ଜଳିଲା ଏବଂ ଲିଭିଲା । କୃଷ୍ଣବର୍ଣ୍ଣ ପୋଷାକରେ ଆବୃତ ଜଣେ ବ୍ୟକ୍ତି ଆଗେଇ ଆସିଲା ସୁମତି ପାଖକୁ । ମି-ନଟରାଜନ୍ ଓ ମୁଁ ଦୁଇଜଣ ସର୍ଜେଣ୍ଟ ସହ ଅତି ସନ୍ତର୍ପଣରେ ଆଗେଇ ସେମାନଙ୍କୁ ଏପରିଭାବେ ଘେରିଗଲୁ ଯେ ସେମାନେ ଆତ୍ମରକ୍ଷାର ସୁଯୋଗ ସୁଦ୍ଧା ପାଇଲେନି

 

ଚାଲନ୍ତୁ ରାଜାସାହେବ ! ମହାପୁରୁଷ ଓ ମହିମାମୟୀ ନାରୀଙ୍କୁ ଦେଖି ନୟନ ସାର୍ଥକ କରିବେ ।

Image